ଏ ଐ ଐରାବତ

 

 

 

 

 

 

 

 

 

 

ଏ ଐ ଐରାବତ

ଅନ୍ନଦା ପ୍ରସାଦ ରାୟ

 

ସ୍ୱଳ୍ପଦର୍ଶୀ ସମାଲୋଚନାର ଗ୍ରାମ୍ୟତାରେ କ୍ଷୁଦ୍ରଗଳ୍ପର ବୁନିଆଦି ହିସାବ କଲାବେଳେ, ‘‘ପଞ୍ଚତନ୍ତ୍ର’’ରୁ ‘‘ସୋମନାଥ ବ୍ରତ କଥା’’ ବାଟେ ‘‘ଚତୁର ବିନୋଦ’’ ପର୍ଯ୍ୟନ୍ତ ଆସି ଫକୀର ମୋହନଙ୍କ ‘‘ରେବତୀ’’ଠାରେ ତାହା ଛିଣ୍ଡିଥାଏ । ମାତ୍ର ‘‘ପଞ୍ଚତନ୍ତ୍ର’’ ବା ‘‘ଚତୁର ବିନୋଦ’’ କ୍ଷୁଦ୍ରଗଳ୍ପ ନୁହେଁ; ସେ ସବୁ କାହାଣୀ । ଆଙ୍ଗିକ ଦୃଷ୍ଟିରୁ ସେଥିରେ ପରିସରର ସଂକ୍ଷିପ୍ତତା ନାହିଁ କିମ୍ୱା ମାର୍ମିକ ଦୃଷ୍ଟିରୁ ସେଥିରେ ସମ୍ୱେଦନର ତୀବ୍ରତା ନାହିଁ; ସେ ସବୁ ଜୀବନ-ରହସ୍ୟର ବାତାୟନ ନୁହେଁ । ସେଥିରେ କଥାବସ୍ତୁ, ଶୈଳୀ ଓ ଆବେଦନର ଏକୀଭୂତ ସତ୍ତା ନାହିଁ । ଆଧୁନିକ କ୍ଷୁଦ୍ରଗଳ୍ପରେ ସେ ସବୁ ଉଲ୍ଲେଖନୀୟ ଆଭିମୁଖ୍ୟ । ସେଥିପାଇଁ କ୍ଷୁଦ୍ରଗଳ୍ପ, ସାହିତ୍ୟର ଆଧୁନିକତମ ଓ କନିଷ୍ଠତମ ମାଧ୍ୟମ । ତେଣୁ କ୍ଷୁଦ୍ରଗଳ୍ପର ଉତ୍ପତ୍ତି ଓ ଅଭିବ୍ୟକ୍ତି ‘‘ପଞ୍ଚତନ୍ତ୍ର’’ର ଉପାଖ୍ୟାନ ଅଥବା ଋକ୍‍ବେଦର ‘‘ଉର୍ବଶୀ ପୁରୁରବା’’ ଆଖ୍ୟାୟିକାରେ ଖୋଜିବା ଏକ ବିଡ଼ମ୍ୱନା ମାତ୍ର !

 

ସେଥିପାଇଁ ୟୁରୋପୀୟ ସାହିତ୍ୟରେ ସୁଦ୍ଧା କ୍ଷୁଦ୍ରଗଳ୍ପର ଆରମ୍ଭ ଗତ ଶତାବ୍ଦୀର ମୋପାଁସାଁ ଓ ଚେକଭଙ୍କଠାରୁ ଆରମ୍ଭ କରାଯାଇଥାଏ । ଆଧୁନିକ କବିତାରେ ପୁଣି ଏକ୍‍ଜିଷ୍ଟେନସିଆଲିଜମ, ସର୍‍ରିଆଲିଜମ୍, କମ୍ୟୁନିଜମ୍ ଓ ସିମ୍ୱଲିଜମ୍ ପ୍ରଭୃତି ‘ଇଜମ୍’ର ଯେତେ ଯେତେ ପରଖ ହୋଇଛି, ଆଧୁନିକ କ୍ଷୁଦ୍ରଗଳ୍ପରେ ମଧ୍ୟ ସେ ସବୁ ବାଦ୍ ପଡ଼ି ନାହିଁ ।

 

ଓଡ଼ିଆ କ୍ଷୁଦ୍ରଗଳ୍ପ ଅନ୍ୟ ପ୍ରାନ୍ତୀୟ ସାହିତ୍ୟମାନଙ୍କ ତୁଳନାରେ ସର୍ବଜ୍ୟେଷ୍ଠ ବୋଲି ମୁଁ ଅନ୍ୟତ୍ର ଆଲୋଚନା କରିଅଛି । ତଥାପି ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ଏହା ହୁଏତ ସର୍ବକନିଷ୍ଠ । ଶୃଙ୍ଖଳା ଓ ଅନୁଶୀଳନ ଅଭାବରୁ ବହୁ ସମ୍ଭାବନାପୂର୍ଣ୍ଣ ଶକ୍ତିଶାଳୀ ଲେଖକ ନୀରବ ହୋଇ ପଡ଼ିଅଛନ୍ତି । ଓଡ଼ିଆ କ୍ଷୁଦ୍ରଗଳ୍ପର ସେହି ବିଷଣ୍ଣ ସୀମାନ୍ତରେ ଅନ୍ନଦା ପ୍ରସାଦଙ୍କ ଏହି କ୍ଷୁଦ୍ରଗଳ୍ପ ସଞ୍ଚୟନର କେତେକ ଗଳ୍ପ, ଆଶା ଓ ପ୍ରତିଶ୍ରୁତିର ଆଲୋକ ବହନ କରି ଆଣିଅଛି ।

 

ଏ ଗଳ୍ପଗୁଡ଼ିକ କ୍ୟୁବିଷ୍ଟିକ୍ ଛବି ପରି । ନିମଜ୍ଜିତ ଅବଚେତନର ଖଣ୍ଡେ ଖଣ୍ଡେ ଖଣ୍ଡିତ ଚିତ୍ର । ଏସବୁ ପୁଣି ଶୁଚି ଅଶୁଚି ଓ ସୁନ୍ଦର ଅସୁନ୍ଦରର ଊର୍ଦ୍ଧ୍ୱରେ; ମାତ୍ର ସେହି ଭଗ୍ନାଂଶ ମଧ୍ୟରେ ପରିପୂର୍ଣ୍ଣତାର ଏକ ଚିତ୍ର ମାନସପଟରେ ଉତ୍କୀର୍ଣ୍ଣ ହୋଇଥାଏ । ଏଥିରେ ତେଣୁ ଆରମ୍ଭ, ମଧ୍ୟଭାଗ ଓ ପରିସମାପ୍ତି ଅପେକ୍ଷା ମଧ୍ୟଭାଗଟି କେବଳ ବିଶେଷ ଭାବରେ ବର୍ତ୍ତୁଳ ଓ ତାହାହିଁ ପରିଲକ୍ଷିତ ହୋଇଥାଏ । ଶୈଳୀ ଦୃଷ୍ଟିରୁ ତେଣୁ ଏଥିରେ କେତେକ ଗଳ୍ପ, ସାର୍ଥକତାର ଅଧିକାରୀ ହୋଇଅଛି ।

 

ଆଗୋନୀ (agony) ବା ଅନ୍ତର୍ଦାହ ଏହି ଗଳ୍ପଗୁଡ଼ିକର ମୁଖ୍ୟ ଉପଜୀବ୍ୟ । ନର୍ତ୍ତକୀ ନୃତ୍ୟଛନ୍ଦାର ବ୍ୟର୍ଥ ରତିବାସନା, ନାରୀର କାଞ୍ଚୁଲା ବା ସ୍ତନବନ୍ଧନୀ ମାପି, କଞ୍ଚୁକୀ ବନବିହାରୀର ବିକଳ୍ପ-ପରିତୃପ୍ତି, ବିଦେହୀ ରମାର ଦେହ ପାଇଁ ବେଦନାଦଗ୍‍ଧ ଆକୁଳତା, ସୁଖଲତା ମିଶ୍ରର ପାଗଳାମି କିମ୍ୱା ପରକୀୟା ରାଇର ଚିଠି...ସବୁଥିରେ ସେଇ ଅନ୍ତର୍ଦାହ ସୁସ୍ପଷ୍ଟ । ଦେହର କୁକ୍ଷି ଭେଦି ବିଦେହର ଜନ୍ମ ଯନ୍ତ୍ରଣାରେ ଏ ଗଳ୍ପ ସବୁ ଯେପରି ବେଦନାକ୍ତ, ବିଦେହରୁ ଦେହର କ୍ଳେଦ ମଧ୍ୟକୁ ଅବତରଣରେ (‘‘ବିନିମୟ’’ ଓ ‘‘ଚନ୍ଦନକୁଙ୍କୁମ’’ ଗଳ୍ପ) ଏହା ସେହିପରି ବିବସ୍ତ୍ର !

 

ଓଡ଼ିଆ କ୍ଷୁଦ୍ରଗଳ୍ପରେ ଏସବୁ ଏକ ସାହସିକ ଅଭିନବ ପ୍ରଚେଷ୍ଟା । ଅଧ୍ୟବସାୟ, ଶୃଙ୍ଖଳା, ଉଦ୍ଦେଶ୍ୟବୋଧ ଓ ସ୍ପଷ୍ଟ ଜୀବନ ଦର୍ଶନ, ଅନ୍ନଦା ପ୍ରସାଦଙ୍କ ସମ୍ଭାବନାକୁ ସଫଳତାରେ ପରିଣତ କରିବ ବୋଲି ଆଶା ପୋଷଣ କରୁଅଛି ।

 

ଶିବାନୀ

ସୁରେନ୍ଦ୍ର ମହାନ୍ତି

୨୩, ଫେବୃୟାରୀ, ୧୯୬୬

 

☆☆☆

 

 

 

 

 

 

 

 

 

 

 

 

ତାଙ୍କୁ...

 

ସୂଚୀପତ୍ର

 

୧.

କଞ୍ଚୁକୀ ଓ କାଞ୍ଚୁଲା

୨.

ଦେହୀ, ଦେହ, ବୈଦେହୀ

୩.

ଅଜଣା ଗଛର ମାୟା

୪.

ରାଇର ଚିଠି

୫.

ପ୍ରୀତିନନ୍ଦାର ରାତ୍ରି

୬.

ବିନିମୟ

୭.

ଚନ୍ଦନ-କୁଙ୍କୁମ

୮.

ଅନ୍ଧକାରର ଆତ୍ମା

୯.

ପୌଷର ପ୍ରାର୍ଥନା

୧୦.

ଏ ଐ ଐରାବତ

☆☆☆

 

କଞ୍ଚୁକୀ ଓ କାଞ୍ଚୁଲା

 

ଘୁମନ୍ତ ଯଯାତି ନଗର...କଳିଙ୍ଗର ରାଜଧାନୀ...ଯଯାତି ନଗର । ନଗର ଉପାନ୍ତରେ ଶତ ଶତ ରାଜପ୍ରଣୟର ମୂକସାକ୍ଷୀ ବୈତରଣୀର ସ୍ୱଚ୍ଛ ବାଲୁକା ପ୍ରାନ୍ତ ଉପରେ ଦିଗନ୍ତବିସ୍ତାରୀ ଦଶମୀ ଚାନ୍ଦର ମାୟା–ବୃଦ୍ଧ ମହାରାଜ ନନ୍ଦକେଶରୀ ତୋଳି ଦେଇଥିଲେ ତାରି ଉପରେ ମାର୍ବଲନିର୍ମିତ ବସନ୍ତ ନିବାସ ।

 

ବସନ୍ତ ନିବାସର ନୃତ୍ୟଶାଳାର ନୂପୁରନିକ୍ୱଣ ବୈତରଣୀ ନୀରଧାରରେ ପ୍ରତିଧ୍ୱନିତ ହେଉଥିଲା, ରାଜନର୍ତ୍ତକୀ ନୃତ୍ୟଛନ୍ଦା ନାଚର ତାଳେ ତାଳେ ମତ୍ତତାର ତରଙ୍ଗ ସୃଷ୍ଟି କରୁଥିଲା, ତା’ର ଶ୍ଲଥ କବରୀରୁ ଗୋଲାପ ପାଖୁଡ଼ା ସୁନୀଳ ଗାଲିଚା ଉପରେ ଝଡ଼ି ପଡ଼ୁଥିଲା ।

 

ତନ୍ଦ୍ରାବିହୀନ ଛଳ ଛଳ ଚାହାଣୀ ସୃଷ୍ଟି କରୁଥିଲା କଳ୍ପଲୋକ, ଉତ୍ତେଜନାରେ ତା’ର ବିମ୍ୱୋଷ୍ଠ ଥରି ଉଠୁଥିଲା । ରେଶମୀ କାଞ୍ଚୁଲା ତଳେ ଉନ୍ନତ ବକ୍ଷୋଜ କମ୍ପିତ ହେଉଥିଲା । ଝିନ ବସନ ତଳେ ଗୁରୁ ନିତମ୍ୱର ଦୋଳନ ସୃଷ୍ଟି କରୁଥିଲା ଅମରାବତୀର ମାୟା; କରର କଙ୍କଣ, କଟିର କିଙ୍କିଣୀ, ପାଦର ନୂପୁରର ମିଶ୍ରିତ ରାଗିଣୀରେ ନୃତ୍ୟଶାଳା ମୁଖରିତ ହୋଇଉଠୁଥିଲା । ଲୀଳାୟିତ ନୃତ୍ୟର ପ୍ରତିଟି ଭଙ୍ଗିମା, ପ୍ରତିଟି ଠାଣି, ପ୍ରତିଟି ଛନ୍ଦ, ପ୍ରତିଟି ମୁଦ୍ରା ପରିବେଷଣ କରୁଥିଲା ଇନ୍ଦ୍ରଲୋକର ଆନନ୍ଦ । ଗଜଦନ୍ତପଲଙ୍କଶାୟିତ ରାଜକୁମାର ସୁରାପାତ୍ରରେ ଶେଷ ଚୁମ୍ୱନ ଦେଲେ–‘‘ଘନନୀଳକୁନ୍ତଳର ବନ୍ଧନ ଉନ୍ମୁକ୍ତ କରିଦିଅ,ନର୍ତ୍ତକୀ !’’ ରାଜକୁମାରଙ୍କ କଣ୍ଠରେ ଆଦେଶର ସ୍ୱର–

 

ନର୍ତ୍ତକୀ କବରୀ ଖୋଲିଦେଲେ । ଯଯାତି ନଗରର ଶ୍ରେଷ୍ଠ ନର୍ତ୍ତକୀ ନୃତ୍ୟଛନ୍ଦା...‘ନୃତ୍ୟଛନ୍ଦା’...ନାମକରଣ କରିଥିଲେ ରାଜକୁମାରଙ୍କ ପିତା ବୃଦ୍ଧ ମହାରାଜ...ପିତୃଦତ୍ତ ନାମ ଚିରଦିନ ଲୁପ୍ତ କରି ।

 

–‘‘ବକ୍ଷଚୋଳ ଶିଥିଳ କରିଦିଅ, ଛନ୍ଦା’’...କଣ୍ଠରେ ଥିଲା ରାଜକୀୟ ମାଦକତା ।

 

–‘‘କାଞ୍ଚୁଲା ଖୋଲି ଦେବି ମଣିମା ?’’

 

–‘‘ନାଁ ନର୍ତ୍ତକୀ, ମେଘ ଆଚ୍ଛାଦିତ ଅର୍ଦ୍ଧଚନ୍ଦ୍ର ମେଘମୁକ୍ତ ପୂର୍ଣ୍ଣଚନ୍ଦ୍ରଠାରୁ ସୁନ୍ଦର...’’ ନର୍ତ୍ତକୀ, ଝିନ ଅଂଶୁକ ଶିଥିଳ କରିଦେଲେ, ରାଜକୁମାର ସ୍ତିମିତ ଦୀପାଲୋକକୁ ଉଜ୍ଜ୍ୱଳ କରିଦେଲେ ।

 

–‘‘ସୁନ୍ଦର ! ନିଅ ତୁମର ରୂପମୂଲ୍ୟ ।’’

 

ରାଜକୁମାର ଏକ ଶତ ରୌପ୍ୟ ମୁଦ୍ରାର ଏକ ଥଳି ଛନ୍ଦାର ହାତକୁ ବଢ଼ାଇଦେଲେ । ଛନ୍ଦା ଅଭିବାଦନ କରି ଗ୍ରହଣ କଲା ରାଜୋପହାର ।

 

–‘‘ଯାଅ ! ବିଳମ୍ୱ ହେଉଛି...ବିଳମ୍ୱ ମୁଁ ସହିପାରେ ନା ।’’

 

ଛନ୍ଦା ଫେରି ଆସିଲା...ଫେରି ଆସିଲା କ୍ଲାନ୍ତ ଦେହ, ଭାରାକ୍ରାନ୍ତ ମନ, ରାଜସଂଭୋଗର ବାସନା ନେଇ...କାମନା ତା’ର କାମନାରେ ରହିଲା । ତା’ର କାମନାଠାରୁ ଦୂରରେ ବହୁ ଦୂରରେ...ବସନ୍ତ ନିବାସର ଏକ ସହସ୍ର ନର୍ତ୍ତକୀ ଭିତରେ ସେ ଶ୍ରେଷ୍ଠ...ତା’ର ରୂପ ବୃଦ୍ଧ ରାଜାଙ୍କୁ ଆକୃଷ୍ଟ କରିଥିଲା...କିନ୍ତୁ ରାଜକୁମାର ? ପାରିଲାନି ରାଜକୁମାରଙ୍କୁ ନିଜର କରି, ପାଇପାରିଲାନି ରାଜକୁମାରଙ୍କ ପୁରୁଷୋଚିତ ସ୍ପର୍ଶ, ଟିକିଏ ଚପଳତା...ତା’ର ଯୌବନ ବ୍ୟର୍ଥ ହୋଇଛି । ରାଜକୁମାର ତା’ର ରୂପକୁ ପୂଜା କରିଛନ୍ତି; କିନ୍ତୁ ତା’ର ଯୌବନକୁ ସମ୍ମାନ ଦେଇ ପାରିନାହାନ୍ତି । ତା’ର ଯୌବନର ସମସ୍ତ ନିବେଦନ ବ୍ୟର୍ଥ ହୋଇଛି...ପୁରୁଷର ସ୍ପର୍ଶରୁ ବଞ୍ଚିତ କରି, ତା’ର ଯୌବନକୁ ଅକ୍ଷୁଣ୍ଣ ରଖିବାକୁ ଚାହାନ୍ତି...ରୂପପୂଜାରୀ ରାଜକୁମାର ।

 

ରେଶମି କାଞ୍ଚୁଲାର ଜରିଖଚିତ ସୁନେଲି ଫିତା ଖୋଲିଦେଲା ଛନ୍ଦା... । ନିଜର ଅର୍ଦ୍ଧନଗ୍ନ ବୁକୁର ସୌନ୍ଦର୍ଯ୍ୟରେ ମୁଗ୍ଧ ହେଲା, ଉରଜଦ୍ୱୟର ଅଭ୍ୟୁଦୟ ଜୀବନ୍ତ, ପ୍ରାଣବନ୍ତ ପରି ତା’ର ମନେହେଲା । ସତେ ଯେପରି ତା’ର ଦେହରେ ଦୁଇଟା ଅଧିକ ଜୀବନ ଅଛି । କି ସୁନ୍ଦର ମାଂସର ସ୍ଫୀତି, ଉତ୍‍ଥିତ ସୂକ୍ଷ୍ମ ଆୟତନର ସୌନ୍ଦର୍ଯ୍ୟରେ ସେ ବିହ୍ୱଳ ହେଲା ।

 

ବୁକୁର ସାମାନ୍ୟ ଶିଥିଳତା ଦେଖି କାନ୍ଦିଉଠିଲା ଛନ୍ଦା... ।

 

ସେ ଲୋଡ଼ୁଥିଲା ମଥିହେବା ଲାଗି ସୃଷ୍ଟିର ମୁଷ୍ଟିଭରା ମନ୍ଥନ ।

 

ପୁରୁଷର ପରଶ ଲାଗି କେବେ ତାହା ଉତ୍ସୃଷ୍ଟ ହେଉନାହିଁ–

 

ତା’ର ମାଂସଳ ଛାତି ସତୀତ୍ୱରେ ଭରି ରହିଛି, ତା’ର ବୁକୁର ଗୋଲାପ ବୃନ୍ତରେ ପବିତ୍ରତାର ସ୍ୱାକ୍ଷର ଏବେ ବି ଅଛି । ସାମାନ୍ୟ ଶିଥିଳ ବୁକୁ ପରେ ପ୍ରବାଳ ପରି ଅଶ୍ରୁବିନ୍ଦୁ ପରେ ବିନ୍ଦୁ ଝରି ପଡ଼ିଲା । ବ୍ୟର୍ଥ...ବ୍ୟର୍ଥ ତା’ର ଯୌବନ... । କାମନା-ଅଗ୍ନି ନିର୍ବାପିତ ହେବାର ନୁହେଁ । ବସନ୍ତ ନିବାସକୁ ପୁରୁଷର ପ୍ରବେଶ ନିଷେଧ...ମନେପଡ଼ିଲା ତା’ର ରୋଗଶଯ୍ୟାର କଥା...ଚିକିତ୍ସକ ଆସିଥିଲେ...ତା’ର ଜୀବନରେ ପ୍ରଥମ ପୁରୁଷର ସ୍ପର୍ଶ । ତା’ର କଚଟିରେ ଝିନବସ୍ତ୍ର ବାନ୍ଧି ଦିଆଗଲା-। ଚିକିତ୍ସକ ନାଡ଼ି ପରୀକ୍ଷା କଲେ । ବସ୍ତ୍ର ଉପରେ ପ୍ରଥମ ଓ ଶେଷଥରପାଇଁ ପୁରୁଷର ସ୍ପର୍ଶ ସେ ପାଇଥିଲା ।

 

ତା’ପରେ ବୃଦ୍ଧ ମହାରାଜ...ଷଷ୍ଠଦଶାତୀତ ବୃଦ୍ଧ ମହାରାଜ ଯୌବନକୁ ବିଦାୟ ଦେଇଥିଲେ । କାମନା ତାଙ୍କର ନ ଥିଲା, ମନେପଡ଼େ କୋଣାର୍କରେ ବୃଦ୍ଧ ମହାରାଜଙ୍କ ସହ କେତୋଟି ଦିନର କଥା । ବସନ୍ତର ଏକ ପୂର୍ଣ୍ଣିମାର ସନ୍ଧ୍ୟାରେ କୋଣାର୍କରେ ନଗ୍ନ ପାଷାଣ ନର୍ତ୍ତକୀ ସହ ସେହି ଛନ୍ଦ, ସେହି ଠାଣି, ସେହି ଭଙ୍ଗୀରେ ସେ ଠିଆ ହୋଇଥିଲା । ରାଜା ଦେଶରେ...ବୃଦ୍ଧ ମହାରାଜ ନଗ୍ନ ପାଷାଣ ପ୍ରତିମାର ଉନ୍ନତ ବୁକୁ, କ୍ଷୀଣ କଟୀ,ବିପୁଳ ନିତମ୍ୱ ସହ ଛନ୍ଦାର ନଗ୍ନଦେହ ତୁଳନା କରି ତାକୁ ଅଧିକ ସୁନ୍ଦର ବୋଲି କହିଥିଲେ । ବୃଦ୍ଧ ମହାରାଜ ବହୁବାର ତା’ର ନଗ୍ନଦେହର ସୌନ୍ଦର୍ଯ୍ୟର ବିଭିନ୍ନ ଭଙ୍ଗିମା, ବିଭିନ୍ନ ଠାଣି, ବିଭିନ୍ନ ଛନ୍ଦରେ ଦେଖି ଅଛନ୍ତି, ତା’ର ନାରୀଦେହରେ ଉତ୍ତେଜନା ଭରି ଦେଇଅଛନ୍ତି । ଯୌବନର ବହୁ ଅପଚୟ କରି... ।

 

ପକ୍ଷାଘାତାକ୍ରାନ୍ତ ବୃଦ୍ଧ ମହାରାଜଙ୍କ ଉତ୍ତେଜନା ନ ଥିଲା । ବ୍ୟର୍ଥ..., ବ୍ୟର୍ଥ ତା’ର ଯୌବନ...କେତେବେଳେ ଆସି କେତେବେଳେ ଚାଲିଗଲା, ସେ ନିଜେ ଜାଣିଲାନି । ତା’ପରେ ରାଜକୁମାର...ରୂପପୂଜାରୀ...ଯାହାଙ୍କର କାମନା ପୂରଣ ଲାଗି ରାଜଭବନରେ ରୂପବତୀ ଯୁବତୀର ଅଭାବ ନ ଥିଲା । ରାଜକୁମାରଙ୍କ ପାଦରେ ରତିଯାଚନା ତା’ର ବ୍ୟର୍ଥ ହୋଇଛି, ବିଳପି ଉଠୁଥିଲା ଛନ୍ଦା...ଇଚ୍ଛା କରୁଥିଲା ସମସ୍ତ ବାଧାବନ୍ଧନ ଡେଇଁ ସେ ଚାଲିଯିବ, କିନ୍ତୁ ଉପାୟହୀନା...ରିକ୍ତ ସିନା ମୁକ୍ତ ନୁହେଁ । ଉତ୍ତେଜିତ ହୋଇ ବାହୁ ତୋଳି କାଞ୍ଚୁଲାଟି ଦେହରୁ କାଢ଼ି ଦେବାକୁ ଚେଷ୍ଟା କଲା । ବାହୁର ଗୁରୁଘନତା ଯୋଗୁଁ କାଞ୍ଚୁଲାଟି ଛିଣ୍ଡିଗଲା । କକ୍ଷନିମ୍ନ ଘନ କୃଷ୍ଣ ମସୃଣ ରେଶମୀ କକ୍ଷୋଜରାଜିରୁ କେତୋଟି କକ୍ଷ୍ୟଚ୍ୟୁତ ହେଲା । ସାମାନ୍ୟ ଦୈହିକ ଯନ୍ତ୍ରଣା ଓ ଗୁରୁ ମାନସିକ ଯନ୍ତ୍ରଣାରେ ଛନ୍ଦା ଛଟପଟ ହେଲା–ଓଃ ! କି କଷ୍ଟ, ପ୍ରାଣପୀଡ଼ା, କି ଜ୍ୱାଳା !

 

ପ୍ରବଳ ଉତ୍ତେଜନାରେ ଥରିଉଠୁଥିଲା ଛନ୍ଦାର ରତିକାଙ୍‍କ୍ଷିଣୀ ଦେହ...ସେ କାନ୍ଦିଉଠିଲା...ବିରଜା ମନ୍ଦିରର ମଙ୍ଗଳ ଆରତିର ଘଣ୍ଟା ବାଜିଉଠିଲା...ନୃତ୍ୟଛନ୍ଦା କାନ୍ଦୁଥିଲା, ଯୌବନ ଚାଲିଯିବା ପୂର୍ବରୁ ପୁରୁଷର ପରଶ ଦେ ମା’, ଥରୁଟିଏ ଲାଗି, ଥରୁଟିଏ...

 

କ୍ଲାନ୍ତ ସତୀତ୍ୱ ତା’ର କାନ୍ଦି ଉଠୁଥିଲା । ଛିନ୍ନ କାଞ୍ଚୁଲାଟି ଫିଙ୍ଗିଦେଲା...ତଳେ ପଡ଼ିଲା କାଞ୍ଚୁଲା । ଛନ୍ଦା ଚାହିଁଲା–ବୈତରଣୀର ଜୁଆର ଆସିଛି...ଦକ୍ଷିଣା ପବନରେ ଢେଉ ଉପରେ ଢେଉ, ମାର୍ବଲନିର୍ମିତ ବସନ୍ତ ନିବାସରେ ମଥା ପିଟୁଥିଲା; ‘ହେ ନିର୍ମମ, ହେ ପଥର, ଥରୁଟିଏ ଚପଳ ହୁଅ, ଥରୁଟିଏ ଚଞ୍ଚଳ ହୁଅ, କେବଳ ଥରୁଟିଏ ।’

 

କଞ୍ଚୁକୀ ବନବିହାରୀ ଛିନ୍ନ କାଞ୍ଚୁଲାଟି ଆବିଷ୍କାର କଲା । ପନ୍ଦର ବର୍ଷ ବୟସରେ ସେ ଆସିଥିଲା ରାଜଅନ୍ତଃପୁରକୁ...ତା’ର ବିକାଶୋନ୍ମୁଖୀ ଯୌବନକୁ ନଷ୍ଟ କରି ଦିଆଯାଇଥିଲା ଅପ୍ରାକୃତିକ ଉପାୟରେ...ଅସ୍ୱାଭାବିକ ଭାବେ...

 

ସେ ନପୁଂସକ...ସେ କିଂଶୁକ...ବହୁ ରାଜସମ୍ଭୋଗର ନୀରବ ଦର୍ଶକ ବନବିହାରୀ ରେଶମୀ କାଞ୍ଚୁଲାର ପରିଧି ମାପୁଥିଲା । କାଞ୍ଚୁଲାର କୃଷ୍ଣକଳୀ ରୋମାବଳୀକୁ ଯୁବରାଜଙ୍କ ମୁଛ ଭାବି...

 

ସେ ଅନ୍ତର୍ଦୃଷ୍ଟିରେ ଦେଖୁଥିଲା, ରାଜକୁମାର ଏଇ ମୁଛ ନେଇ ଏକ ରୂପସୀର ଦେହରେ ଚୁମ୍ୱନ ଢାଳି ଦେଉଛନ୍ତି ।

 

ବହୁ ନାରୀର ପରିଚୟ ପାଇଛି...ବସନ୍ତ ନିବାସର କଞ୍ଚୁକୀ ବନବିହାରୀ ଜୀବନରେ–ମନେପଡ଼େ, ବୃଦ୍ଧ ମହାରାଜଙ୍କ ଆଦେଶରେ କେତେ ରୂପସୀଙ୍କ ନଗ୍ନ ସ୍ତନର ଚନ୍ଦନଲିପି ସେ ପୋଛି ଦେଇଛି...

 

ବୃଦ୍ଧ ମହାରାଜଙ୍କ ଅଦ୍ଭୁତ ଖିଆଲ...

 

ତାଙ୍କରି ଆଦେଶରେ ରୂପସୀ ନର୍ତ୍ତକୀଗଣ ସେମାନଙ୍କର ମାଂସଳ ଦେହକୁ ତା’ ଦେହରେ ଘର୍ଷଣ କରୁଥାନ୍ତି । ସେ ଦୃଶ୍ୟକୁ ମହାରାଜ ଉପଭୋଗ କରନ୍ତି । କୌଣସି ନାରୀ ତା’ ଜୀବନ ଉପରେ ପ୍ରଭାବ ବିସ୍ତାର କରିପାରିନି । ତା’ ମନ ଭିତରେ ଫୁଟାଇ ପାରିନାହିଁ କାମନାର କଦମ୍ୱ, ସେ ଅନୁଭବ କରି ନାହିଁ ନାରୀ ଦେହର ମାଧୁରୀ...ତା’ଦେହରେ ସୃଷ୍ଟି ହୋଇନି ରୋମାଞ୍ଚ ।

 

କିନ୍ତୁ ଛିନ୍ନ କାଞ୍ଚୁଲାଖଣ୍ଡି ତା’ଦେହରେ ସୃଷ୍ଟି କରିପାରିଛି ଶତ ରୋମାଞ୍ଚ, ଶତ ବେପଥୁ...ମନରେ ଭରି ଦେଇଛି କାମନା । ତେବେ ଦେହ ଭିତରେ ମେଷ ଶାବକଟିଏ କହୁଛି ‘ତୁ ଅଥର୍ବ... ତୁ କିଂଶୁକ...କ୍ଳୀବ...ପଙ୍ଗୁ...’

 

ମନଭିତରୁ ଚକୋର କହୁଥିଲା, ‘‘ଦେବତା ! ମତେ ଯୌବନ ଫେରାଇ ଦିଅ, ଥରୁଟିଏ ଲାଗି...ରାତିଟିଏ ଲାଗି ହେଉପଛେ ।’’

 

ମଣିଷର ଅବଚେତନ ମନ ତଳେ ଜୀବନର...ଶତ ବ୍ୟର୍ଥତା ଓ ନିରାଶା ସତ୍ତ୍ୱେ ଆଶାର ଫଲ୍‍ଗୁ ଝରେ । ସେହି ଫଲ୍‍ଗୁର ମୋହରେ ମଣିଷ ସାର୍ଥକତାର ସ୍ୱପ୍ନ ଦେଖେ । ମୁଛହୀନ ବନବିହାରୀ ରେଶମୀ କାଞ୍ଚୁଲାକୁ ଚୁମ୍ୱନ କଲା । ବ୍ୟର୍ଥ ତା’ର ଯୌବନ...ବ୍ୟର୍ଥ ତାର ମନ...ବ୍ୟର୍ଥ ତା’ର ଜୀବନ...ଅକାଳବୃଦ୍ଧ ବନବିହାରୀର ରିକ୍ତ ମନ ବିଳପି ଉଠୁଥିଲା ।

 

ବନବିହାରୀ ଆଖି ମେଲି ଦେଖିଲା ।

 

ବୈତରଣୀର ଜୁଆର ଭଟ୍ଟା ପଡ଼ିଯାଇଛି । ସେ ଦେଖୁଥିଲା ବାଲି, ଖାଲି ବାଲି...ପ୍ରାସାଦ ଦ୍ୱାରସ୍ଥିତ ମାର୍ବଲ ପୁଙ୍ଗବ ଉପରେ ଲଳିତ ପଳାଶ ସ୍ତବକରୁ ଝରିପଡ଼ୁଥିଲା କାକରର ଅଶ୍ରୁବିନ୍ଦୁ ।

 

* ରବିବାସରୀୟ ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ; ପୂଜାସଂଖ୍ୟା ମାତୃଭୂମି ଓ ମାସିକ ଯୁଗବାଣୀରେ ପ୍ରକାଶିତ ।

☆☆☆

 

ଦେହୀ, ଦେହ, ବୈଦେହୀ

 

ଜଳୁଛି ଚିତା, ଜଳୁଛି ମୋ ଦେହ, ମନ, ପ୍ରାଣ... ଜଳିଯାଉଛି ମୋ ଜୀବନର ସମସ୍ତ ପୁଣ୍ୟ...ଜଳି ଜଳି ଦଗ୍‍ଧ ହେଉଛି ମୋ ଜୀବନର ଫୁଲ, ପତ୍ର, ଫଳ...

 

ତା’ର ପ୍ରତିଟି ଅଙ୍ଗୁଳି ଜଳି ଜଳି କହିଯାଉଛି–‘‘ମୁଁ ଶୁଦ୍ଧ, ମୁଁ ପବିତ୍ର, ମୁଁ ଗଙ୍ଗାଜଳ...’’

 

ଜଳିଯାଉଛି ମନ, ମାନୀ, ମାନସୀ; ଜଳୁଛି ରାତ୍ରିର କାମନାର ଜାୟା, ପ୍ରାତଃର ସ୍ନେହମୟୀ ଜନନୀ, ଦିବସର ଅଲିଅଳ ଗଙ୍ଗାଜଳର କନ୍ୟା, ସନ୍ଧ୍ୟାର ଅନୂଢ଼ା ପ୍ରେମମୟୀ କନ୍ୟା...

 

ଜଳୁଛି ମୋ ରତିରଙ୍କୁଣୀ ପ୍ରିୟା, ଜଳୁଛି ସ୍ନେହକାଙ୍ଗାଳିନୀ କୁଳବଧୂ ରମା ।

 

ଚିତାର ଗନ୍ଧ, ଧୂପର ଗନ୍ଧ, ଅଗରୁର ଗନ୍ଧରେ ହଜିଯାଉଛି ଆତ୍ମା, ମୋର ଆତ୍ମା...ରମା-। ହଜିଯାଉଛି ଅକଳନ ବର୍ଷ ବର୍ଷ ଲାଗି...ଯୁଗ ଯୁଗ ଲାଗି...ଅସୀମ ଅନନ୍ତ ସମୟ ଲାଗି ।

 

ଜଳିଯାଉଛି ରମା...ରମା...ରମାର ରବର...ଜଳିଯାଉଛି ତା’ର ମରଣ ଶୀତଳ ଦେହ ।

 

ଚିତାର ଧୂପ ଭିତରେ ମୁଁ ସ୍ପଷ୍ଟ ଦେଖିପାରୁଛି ସେଇ ଛଳ ଛଳ ଯୌବନର ତରଙ୍ଗାୟିତ ଛନ୍ଦ ନାଚୁଛି...

 

ରମା ମରିଯାଇଛି...ନା ସେ ଯେ ନାଚୁଛି...ଖାଲି ନାଚୁଛି...ନାଚି ନାଚି ମୋ ପାଖକୁ ଆସୁଛି...ରମା, ଆସ, ଆସ ମୋ କୋଳକୁ । ମୋ ଆଖିରେ ଆଖି, ଛାତିରେ ଛାତି ରଖି କୁହ ବଞ୍ଚିଛି...ବଞ୍ଚିଛି...ଥରଟିଏ କଥା କୁହ...ଥରୁଟିଏ...ଥରୁଟିଏ...

 

ତୁମେ ଏତେ ଭଲପାଅ...ମତେ...ମତେ ତ କେବଳ ଭଲପାଅ ରମା, ଆଉ ଟିକେ ଭଲପାଅ ରମା...ଆଉ ଟିକେ ଭଲପାଅ...

 

ଆସ ରମା, ଶେଷଥର ପାଇଁ ଆସ...ଶେଷଥର ଲାଗି ମୁଁ ତୁମକୁ ଆଲିଙ୍ଗନ କରେ...ଶେଷଥର ଲାଗି ତୁମରି କଅଁଳ ଛାତିରେ ଲୁହ ଢାଳିଦିଏ...ଶେଷଥର ଲାଗି ତୁମ ପାଦରେ ମୋ ରକ୍ତର ଅଳତା ଦିଏଁ ।

 

ତୁମେ ମୁକ୍ତି ପାଇଛ ରମା ! ତୁମରି ଚିତାଧାରରେ ତୁମ ସ୍ୱାମୀ ମଥାପିଟି କାନ୍ଦୁଛନ୍ତି...ଆଉ ତୁମର ଶାଶୁ...ସେ ବି କାନ୍ଦି ପାରୁଛନ୍ତି ! ତୁମେ ସେମାନଙ୍କୁ କ୍ଷମାକର...ସେ ଦୁହିଁଙ୍କୁ କ୍ଷମାକର । ‘‘ଚନ୍ଦ୍ରସେଣା’’ ‘‘ଜଟିଳା’’କୁ କ୍ଷମାକର ‘‘ରାଧା’’ ! କ୍ଷମାକର !

 

ତୁମେ କହୁଥିଲ, ତୁମେ ସମାଜର ବିବାହ ବ୍ୟବସ୍ଥାକୁ ସମ୍ମାନ ଦେଇପାରିନ...ଆଜି ଦେଇଯାଅ...ଥରକ ଲାଗି...‘‘ଦମୟନ୍ତୀର ଶାଢ଼ି’’ ଚିରିଦିଅନି ରମା, ଚିରିଦିଅନି...

 

ତୁମକୁ କେତେବାର କହିଛି, ତୁମେ ତୁମର ଶିଶୁପୁତ୍ରକୁ ଅବହେଳା କରୁଛ । ସ୍ୱାମୀଙ୍କୁ ଅସମ୍ମାନ କରୁଛ ।

 

ତୁମେ କହିଥିଲ, ଭଗବାନଙ୍କୁ ପାଇବାକୁ ହେଲେ ସବୁ ଆକର୍ଷଣକୁ ଛାଡ଼ିଦେବାକୁ ହୁଏ । ତୁମେ କହିଥିଲ, ମୁଁ ତୁମର ଭଗବାନ ।

 

ତୁମେ ବହୁବାର କହିଛ, ‘ମୁଁ କୁମାରୀ...ମୁଁ ଚିରକୁମାରୀ...ମୁଁ ପ୍ରେମିକା...ମୁଁ ପ୍ରେୟସୀ...ତୁମେ କୁହ, ପ୍ରେମ କେବେ ପାପ ହୋଇପାରେ ? ଭଲ ପାଇବା କେବେ ଅପରାଧ ହୋଇପାରେ ?’

 

ଆଜି ତୁମରି ଚିତାଧାରରେ ସେଇ କଥା ଭାବୁଛି ରମା, ପ୍ରେମ କେବେ ପାପ ହୋଇପାରେ ? ଆତ୍ମସମର୍ପଣ କେବେ ଅପରାଧ ହୋଇପାରେ ? ତୁମରି ଏକାନ୍ତ ଆତ୍ମସମର୍ପଣ ପାଇଁ, ଏକନିଷ୍ଠ ପ୍ରେମ ପାଇଁ କେବେହେଲେ ତୁମକୁ ପରକୀୟା ଭାବିପାରିନି...ତୁମେ ଅନ୍ୟର ସ୍ତ୍ରୀ–ଏକଥା କଳ୍ପନା ବି କରିନି ରମା, କଳ୍ପନା ବି କରିପାରିନି ।

 

ତୁମେ କହିଥିଲ, ‘ପ୍ରେମ ଯେତେବେଳେ ନାରୀ ଦିଏ, ସର୍ବସ୍ୱ ଦେଇ ଦିଏ, ହାତର ପାଞ୍ଚ ରଖିଦିଏ ନାହିଁ...ପ୍ରେମ ଖେଳ ନୁହେଁ, ଜୀବନ... ।’

 

ଯେଉଁଦିନ ରମା, ତୁମେ ଦେହ ଦେବ ସ୍ଥିର କଲ, ସେ ଦିନ ମୁଁ ଦେଖିଛି ନାରୀ କେବଳ ନାରୀ । ଯେତେଦିନ ଯାଏଁ ତୁମେ ଆତ୍ମସମର୍ପଣ କରିନଥିଲ, ସେତେଦିନ ଯାଏଁ ତୁମେ ଚୁମାଟିଏ ଦେଇନ...ଚୁମାଟିଏ ନେଇନ...କିନ୍ତୁ ସେଇ ନାରୀ ତୁମେ, ଯେତେବେଳେ ଏକନିଷ୍ଠ ହୋଇଛ ସ୍ୱାମୀକୁ ସ୍ପର୍ଶ କରିନ ।

 

ମନ ଦେଇଛ, ମୁଁ ମନ ନେଇଛି...ଦେହ ଦେବାକୁ ଆସିଛ...ମୁଁ ‘‘ପାରିବିନି’’, ‘‘ପାରିବିନି’’ କହି ନିଷ୍ଠୁର ଆଘାତ ଦେଇଛି, ସେ ଘାତ, ସେ ଆଘାତ ସହିପାରିଲନି ରମା !

 

ତୁମେ କହିଥିଲ, ‘ପ୍ରେମର ଶେଷ ପରୀକ୍ଷାରେ ମତେ ଉତ୍ତୀର୍ଣ୍ଣ ହେବାକୁ ଦିଅ । ଶେଷ ପରୀକ୍ଷା ଲାଗି ଅନୁମତି ଦିଅ । ଏଇ ମୋର ଅଗ୍ନିପରୀକ୍ଷା; ଦେହ ନଦେଇ ମୁଁ ତୁମକୁ ପୂର୍ଣ୍ଣ ପରିପୂର୍ଣ୍ଣ ପାଇପାରିବିନି...ଜୀବନରେ ପ୍ରେମର ଅପୂର୍ଣ୍ଣତା ରହିଯିବ ! ଦିଅ ମୋତେ ମୋ ଦେହର ପୂର୍ଣ୍ଣତା, ମୋ ପ୍ରେମର ଅଖଣ୍ଡ ଅନୁଭୂତି ।’

 

ସେଇ ପୌଷର ହିମଶୀତଳ ମଧ୍ୟ ରାତ୍ରିରେ ତୁମେ ତୁମର ଅଙ୍ଗଆଭରଣ ଗୋଟିକ ପରେ ଗୋଟିଏ ଖୋଲି ଦେଉଥିଲ । ମୁଁ କହିଥିଲି, ‘‘ତୁମକୁ ଶୀତ ଲାଗୁନି ?’’

 

ତୁମେ ଶୀତରେ ଥରି ଥରି କହୁଥାଅ, ‘‘ତୁମେ ପାଇବ ପ୍ରଥମ ନାରୀ ଦେହର ପରିଚୟ...ସେ ମୁହୂର୍ତ୍ତର ସମସ୍ତ ଆନନ୍ଦ ଦେବାଲାଗି ପୃଥିବୀର ସମସ୍ତ ଶୀତ, ସମସ୍ତ ଦୁଃଖ, ସମସ୍ତ ଯନ୍ତ୍ରଣା ସହିବାକୁ ମୁଁ ପ୍ରସ୍ତୁତ ଆଜି...ସବୁ ସହିବି...ଏ ଶୀତ, ଏ ବରଫ, ଏ ହିମ, ଏ କାକର, ତୁମଲାଗି–ତୁମରିଲାଗି ।’’

 

ମୁଁ ନିଷ୍ଠୁର ଭାବେ କହିଥିଲି, ‘‘ପରସ୍ପର ପାଖରେ ଅଛନ୍ତି...ପରସ୍ପର ଆଲିଙ୍ଗନ କରିଛନ୍ତି...ଏଇ ତ ପରମ ଆନନ୍ଦ...ଏଇ ତ ପରମ ସୁଖ...ଏଇ ତ ପରମ ରସ ଉପଲବ୍‍ଧି...ଏଇ ତ ରାଧାର ପ୍ରେମ...ଦେହହୀନ ପ୍ରେମ...... ।’

 

ତୁମେ କାନ୍ଦି କାନ୍ଦି କହିଥିଲ, ‘‘ରାଧା ନିଷ୍ଠୁର, ରାଧା କଠୋର, ରାଧାର ପ୍ରେମ ପ୍ରେମ ନୁହେଁ... ।’’ ଶେଷରେ ତୁମେ ମୂର୍ଚ୍ଛା ଯାଇଥିଲ । ତୁମର ମୂର୍ଚ୍ଛାହତ ଦେହ ତୋଳି ନେଇଥିଲି ।

 

ଦେହ ଦେଇପାରିନ ରମା ! ଜୀବନ ସାରା ଜଳିଛ...ଆଜି ବି ଜଳୁଛ...ଜଳିବାରେ ଆନନ୍ଦ ପାଉଛ । ଜ୍ୱଳନ, ଦହନ ଭିତରେ ତୁମେ ମତେ କ୍ଷମାକରି ଯାଅ...... ।

 

ପୁଣି ଉଗ୍ରଶିଖା ନେଇ ଜଳିଉଠୁଛି ଚିତା, ଆଜି ମୋର ଏକାନ୍ତ ଲୋଡ଼ା ତୁମ ଦେହ । ତୁମ ଦେହ...ହେ ବୈଦେହୀ ! ଦେହ ଦିଅ...ଦେହ ଦିଅ...ଏଇ ଜ୍ୱଳନ୍ତ ଅଗ୍ନିଶିଖା ଦେହରେ ରୂପାନ୍ତରିତ ହୋଇଯାଅ ବୈଦେହୀ...ରୂପାନ୍ତରିତ ହୋଇଯାଅ... ।

 

ଜଳିଯାଅ ରମା, ଜଳିଯାଅ... ।

 

ଚିତାର ଗନ୍ଧ, ଧୂପର ଗନ୍ଧ, ଅଗରୁର ଗନ୍ଧ ଭିତରେ ଜଳୁଛି ରୂପ, ରସ, ଗନ୍ଧ...ବର୍ଣ୍ଣବିଭୋର ।

 

ଜଳୁଛି ରମା, ମନୋରମା...ରମାର ରବର ।

 

* ରବିବାସରୀୟ ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ ।

☆☆☆

 

ଅଜଣା ଗଛର ମାୟା

 

ମୋ ଘରର ପଡ଼ୋଶୀ କହିଲେ–ଆଗରେ ରାଜପଥ...ତା'ରି କଡ଼ରେ ନବନିର୍ମିତ ମାନସିକ ଚିକିତ୍ସାଳୟ ଆଉ ସେ ବଡ଼ ଝଙ୍କା ଗଛଟା...ସେଇ ଗଛଟାକୁ ପିଲାଦିନୁ ଦେଖି ଆସୁଥିଲି ହେତୁ ହେଲା ଦିନୁ । ତା’ ନାଁ ଅଜଣା ଗଛ ବୋଲି ଜାଣିଥିଲି । ମୋର ବିଧବା ପିଇସୀ କହୁଥିଲେ, ପିଲାଦିନେ ସେ ଅଜଣାଗଛରେ ରଜ ତିନି ଦିନ ଦୋଳି ଖେଳୁଥିଲେ । ଜୟହିନ୍ଦ୍ ହୋଟେଲର ବୁଢ଼ାନନା କହୁଥିଲା, ତା’ ବାପା ସେ ଗଛ ଲଗାଇଥିଲେ ଆଉ ବୁଢ଼ାନନା ପାଇଖାନାରୁ ଫେରି ଯେଉଁ ପାଣି ବଳୁଥିଲା, ସେତକ ଚାରାଗଛ ମୂଳେ ଚଢ଼ାଇ, ବଢ଼ାଇ ବଞ୍ଚାଇ ରଖିଥିଲା ।

 

ଆଗ୍ରହ ଓ କୌତୂହଳବଶତଃ ଦିନେ ସମ୍ୱଲପୁରୀ ପର୍ଦ୍ଦା ଆଡ଼େଇ ମାନସିକ ଚିକିତ୍ସାଳୟରେ ପ୍ରବେଶ କଲି । ମୋର ବନ୍ଧୁ ଡକ୍ଟର ବର୍ମା ଗୋଟିଏ ପରେ ଗୋଟିଏ ରୋଗୀ ପରୀକ୍ଷା କରି ଚାଲିଛନ୍ତି । ତନୁପାତଳୀ ପାଗଳୀଟାଏ ଚିତ୍କାର କରୁଥିଲା ।

 

ବଜାରୀ, ଛତରା, ମତେ ଲଙ୍ଗଳା କରୁଛୁ...ମତେ ଲଙ୍ଗଳା କରୁଛୁ...ମତେ ଲଙ୍ଗଳା କରୁଛୁ...ହଉ ଦେଖ...ଦେଖ...ମତେ ଲଙ୍ଗଳା କରି ଦେଖ...ମଲା ମୋର ଲାଜ...ଦେଖ ମ...ଟିକେ ଦେଖ ...ମୋ ସୁନ୍ଦର ଦେହ ତୁମକୁ ଭଲଲାଗୁ ନାହିଁ...ଦେଖ...ଦେଖୁନ କେମିତି ଏଇ ବାଁପଟ ଛାତିରେ ତୁମ ଦାନ୍ତ ଚିହ୍ନଟା ଅଛି...ମନେ ନାହିଁ ? ସେ ଦିନ ତୁମେ କାମୁଡ଼ି ଦେଇଥିଲ...ହିଃ...ହିଃ...ହିଃ...ହୋଇ ହସିଉଠିଲା ପାଗଳ ତରୁଣୀଟି । ରୋଗିଣୀ ଆଡ଼େ ଲକ୍ଷ୍ୟ କରି ଦେଖିଲି, ରୋଗିଣୀ ଯୁବତୀ...ରୂପବତୀ । ଆଖି ତା’ର ସ୍ୱପ୍ନାଳୁ । ପାତଳ ଧଳା ଶାଢ଼ିଟିଏ ପିନ୍ଧିଥିଲା ତନୁପାତଳୀ ପାଗଳୀ । ପାତଳ ଶାଢ଼ି ତଳୁ ତା’ର ପତଳା ଦେହର ଭଙ୍ଗିମା ସୁସ୍ପଷ୍ଟ ହୋଇଉଠିଥିଲା-। ସୁନାକଳିକା ପରି ପାଗଳ ଯୁବତୀଟିକୁ ଦେଖି ମନ ମୋର ବ୍ୟଥାକୁଳ ହୋଇଉଠିଲା ।

 

ଡକ୍ଟର ବର୍ମାଙ୍କ ଆଗରେ ରୂପସୀ ନର୍ସଟିଏ ରୋଗିଣୀର Case dairy ପଢ଼ି ଚାଲିଥାଏ... ‘‘ସୁଖଲତା ମିଶ୍ର, ବୟସ ୨୨ବର୍ଷ, ଅବିବାହିତା, ଶିକ୍ଷା ମ୍ୟାଟ୍ରିକ ଷ୍ଟାଣ୍ଡାର୍ଡ଼...ମସ୍ତିଷ୍କ ବିକୃତି ଘଟିଛି ଗତ ଦୁଇ ବର୍ଷ ହେଲା...ବ୍ୟବହାର ଶାନ୍ତ ଓ କୋମଳ, ସାମୟିକ ଉତ୍ତେଜିତ ହୋଇଉଠେ...ସ୍ନାୟବିକ ବଡ଼ ଦୁର୍ବଳ...ପୁରୁଷମାନଙ୍କ ଅପେକ୍ଷା ନାରୀ-ବନ୍ଧୁତା ରୋଗିଣୀ କାମନା କରେ...ଛୋଟପିଲାଙ୍କୁ ଭଲପାଏ......ରୋଗିଣୀ ଜହ୍ନରାତି ହେଲେ ଚନ୍ଦ୍ରାଲୋକରେ ଅର୍ଦ୍ଧନଗ୍ନ । ସମୟେ ସମୟେ ନଗ୍ନ ହେବାକୁ ଭଲପାଏ...ରୋଗିଣୀର ମାସିକ ଋତୁ ନିୟମିତ...’’ ନର୍ସ ଡାଇରୀ ପଢ଼ା ବନ୍ଦ କଲେ ।

 

‘ରୋଗିଣୀକୁ ସିଙ୍ଗଲ ସେଲ ଦିଅ, ସିଷ୍ଟର’-ଡକ୍ଟର ବର୍ମା ନର୍ସକୁ ଆଦେଶ କଲେ । ଡକ୍ଟର ବର୍ମାଙ୍କ ସୁଶୀଳ ପାଗଳୀ ପ୍ରତି ଏ ପ୍ରକାର ଆଦେଶରେ ମୁଁ ବିସ୍ମିତ ହେଲି । ତା’ପରେ...ପୁଣି ଏକ ପାଗଳର ଡାଇରୀ ପଢ଼ିଲେ ନର୍ସ-‘‘ରାମଚନ୍ଦ୍ର ଦାସ, ବୟସ ୫୮ବର୍ଷ, ରୋଗୀର ଭଣଜା ବିଜୟ ଚନ୍ଦ୍ର ଦାସ ଉଚ୍ଚ ସରକାରୀ କର୍ମଚାରୀ । ରୋଗୀ ଯୁବକମାନଙ୍କୁ ଦେଖିଲେ ହିଂସ୍ର ହୋଇ ଉଠନ୍ତି...ଆଠ ଦିନ ତଳେ ଜଣେ ଅଜଣା ତରୁଣ ବ୍ୟକ୍ତିଙ୍କୁ ରୋଗୀ ଚଟିରେ ପ୍ରହାର କରିଥିଲେ ।’’

 

ରୋଗୀକୁ ଚାହିଁ ଚମକି ପଡ଼ିଲି... ଏ ଯେ ଆମ ବୁଢ଼ାନନା ! ଏହା ଭିତରେ ବୁଢ଼ାନନା ପାଗଳ ହୋଇଯାଇଛି ! ବୁଢ଼ାନନା ଆଡ଼େ ଚାହିଁ ଦେଖିଲି–ସେ ନିର୍ଲିପ୍ତ, ନିର୍ବିକାର । ଆଖି ଦୁଇଟି ଉଜ୍ଜ୍ୱଳ...।

 

ଡାକ୍ତର ଆଦେଶ କଲେ, ‘ରୋଗୀକୁ ନେଇ କିଛି ସମୟ ଲାଗି ସୁଖଲତାଙ୍କ ସେଲ୍‍ରେ ରଖି ଗତିବିଧି ଲକ୍ଷ୍ୟ କର ।’ ଏ ପ୍ରକାର ଆଦେଶ ଶୁଣି ପ୍ରତିବାଦ କରିବାକୁ ମୋର ଇଚ୍ଛା ହେଲା । ମୋର ମନେହେଲା, ପାଗଳମାନଙ୍କ ସାଙ୍ଗରେ ରହି ଡାକ୍ତର ମଧ୍ୟ ପାଗଳ ହୋଇଗଲେଣି । ବନ୍ଧୁ ଡାକ୍ତର ବର୍ମା ମୋର ଆଖିରୁ ମନକଥା ବୁଝିପାରିଲେ । ମୋ କାନ୍ଧରେ ହାତ ରଖି କହିଲେ–‘ବ୍ୟସ୍ତ ହୁଅନି ବନ୍ଧୁ, ତୁମ ଗଳ୍ପ ଲାଗି ଖାଦ୍ୟ ମିଳିବ । ଆସ, ଆସ ମୋ ସଙ୍ଗରେ ।’

 

ଡକ୍ଟର ବର୍ମା, ନର୍ସ ଆଉ ମୁଁ ସୁଖଲତା ମିଶ୍ରଙ୍କ ସେଲରେ ପହଞ୍ଚି, ସେଲ୍ ବାହାରେ ରହି କାନପାରି ଶୁଣିଲୁ ।

 

–କି ଲୋ, ତୁ କାହା ଝୁଅ ?

 

–ମୋ’ ବାପା ରାମ ନାୟକ, ଶ୍ୟାମ ନାୟକ, ରଘୁ ଦାସ, ଶ୍ୟାମ ଦାସ, ରାମ ଦାସ ।

 

–କିଏ ଲୋ, ତୁ, କହିଲା ରାମ ଦାସ ଝୁଅ–ହଇ ଲୋ ଛତରୀ, ମୁଁ ତ ଆଣ୍ଠୁକୁଡ଼ା, ତୁ ଝୁଅଟେ ଅଇଲୁ କେଉଁଠୁ ? ଛତରୀ, ବାରବୁଲି, ସବାଖାଇ କଉଛି ମୋ ଝୁଅ ! ନାଇଁ ଲୋ ନାଇଁ ତୁ, ମୋ ଝୁଅ, ମୋ ଝୁଅ, ନାଇଁ ନାଇଁ ତୁ ମୋ ବୋହୂ, ମୋ ଭଣଜାକୁ ତୁ ବାହାହେବୁ ଲୋ–ମୋ ବାୟା ଦୁର୍ଗିଟାକୁ ତୁ ବା’ ହେବୁ । ମୋ–ବୋହୂ ମୋ ବୋହୂ–ଯା–ଯା–ଯା–ଛତରୀ ଏଇଟା କାଳେ ମୋ ବୋହୂ ହେବ ! ମୋ ଭଣଜା କିଲଟର ହାକିମ, ଛିଣ୍ଡାଳୀ ଛତରୀ କୋଉଠିକାର, ବାହାର ଏଠୁ, ବାହାର !

 

ସୁଖଲତା କଇଁ କଇଁ କାନ୍ଦୁଥିଲା ।

 

–ମୋ ସୁନାବୋହୂଟା ପରା–କାନ୍ଦନା ଲୋ କାନ୍ଦନା, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବି-। ହଜି ଯାଇଥିଲେ ଖୋଜେଇ ଦେବି । କାନ୍ଦନା, ଝିଅ କାନ୍ଦନା । ହେଁ ହେଁ, ଛତରୀ କାନ୍ଦ, କାନ୍ଦ, ଛିଣ୍ଡାଳ କାନ୍ଦୁଛି, କାନ୍ଦ କାନ୍ଦ–ମର ମର । ନାଇଁ ଲୋ କାନ୍ଦନା, କଉଚି କାନ୍ଦନା, ଦେଖୁଛୁ ନା ଝିଅ ଗଛଟା ଦେଖାଯାଉଛି–ଅଜଣାଗଛ । ସେଇ ଗଛ ଲୋ ସେଇ ଗଛ ! ସେଇ ଗଛରେ ଯେଉଁଦିନ ଫୁଲ ଫୁଟିବ, ସେଇଦିନ ତୋ ବର ଆସିବ । ତୋତେ ସୁନା ପାଲିଙ୍କିରେ ବସାଇ ନେବ-। ମୋ ଦୁଗରେ ଦୁର୍ଗି, ଦୁର୍ଗି–ଦେଖ ରେ ତୋ ସୁନାବୋହୂକୁ, ସୁନା ଚାନ୍ଦକୁ, ରୂପା ଥାଳୀକୁ–ଦେଖ ରେ, ଦେଖ ରେ–ଥେଇ, ଥେଇ, ଥେଇ ।’

 

ଡକ୍ଟର ବର୍ମାଙ୍କ ନିର୍ଦ୍ଦେଶରେ ନର୍ସ ଆଉ ମୁଁ ଧୀରେ ଧୀରେ ସେ କକ୍ଷ ମଧ୍ୟରେ ପ୍ରବେଶ କଲୁ ।

 

–କିଏ ସେ ? ବୁଢ଼ାନନା ପଚାରିଲେ ।

 

–‘ମୁଁ’ ଡକ୍ଟର ବର୍ମା ସଂକ୍ଷିପ୍ତରେ କହିଲେ ।

 

–‘ଦୁର୍ଗି, ଦୁର୍ଗି, ଦୁର୍ଗି’–ବୁଢ଼ାନନା ଡାକି ଚାଲିଲେ ।

 

–ନାଁ, ମୁଁ ଡାକ୍ତର, ଦୁର୍ଗିକୁ ସାଙ୍ଗରେ ଆଣିଛି ।

 

–କାହିଁରେ, କାହିଁରେ ଦୁର୍ଗି ତୋ ବୋହୂକୁ ଦେଖ–ହଇରେ ତତେ ପାଠ ପଢ଼େଇଥିଲି; ତୁ ମତେ ଚାକର କହିଲୁ । ହଇ ରେ ଅପା ଥିଲେ...ଅପା ଆଜି ଥିଲେ...କହି ବୁଢ଼ା ମୂର୍ଚ୍ଛା ଗଲେ । ଡକ୍ଟର ବର୍ମା ବୁଢ଼ାନନାଙ୍କୁ ଅନ୍ୟ ଏକ ପ୍ରକୋଷ୍ଠକୁ ନେଇଗଲେ ।

 

ସୁଖଲତା ଅବଗୁଣ୍ଠନ ଟାଣି ଲାଜକୁଳୀ ନବପରିଣୀତା ବଧୂ ପରି ବସିଥିଲା । ନର୍ସ ରୋଗିଣୀ ସୁଖଲତାର ମୁହଁରୁ ଓଢ଼ଣୀ କାଢ଼ିବାକୁ ଯାଇ କହିଲେ–

 

–ଲାଜ କାହାକୁ କରୁଛ ? ଓଢ଼ଣୀ କାଢ଼ ।

 

–‘ନାଇଁ, ନାଇଁ, ଓଢ଼ଣା କାଢ଼ିବିନି–ସେଇ କେବଳ ଓଢ଼ଣା କାଢ଼ିବେ–ସେଇ କେବଳ ଓଢ଼ଣା କାଢ଼ିବେ; ଯିଏ ମୋର ହାତ ଧରିବେ ।’ କଣ୍ଠ ତା’ର ଆର୍ଦ୍ର ହୋଇଗଲା ।

 

ନର୍ସ ମତେ ଚାହିଁ ହସିଲେ, ମୁଁ ମୁକ ପାଲଟି ଯାଇଥିଲି । ହଠାତ୍ ରୋଗିଣୀ ମତେ ଚାହିଁ ପଚାରିଲା ମତେ ଅଚାନକ ପ୍ରଶ୍ନ–

 

–ତୁମେ ମତେ ବାହା ହେବ ?

 

–‘ମୁଁ...ମୁଁ...ମୁଁ ବାହା ହେବି ?’ ମୁଁ ଥତମତ ହୋଇଗଲି ।

 

–‘ହିଃ-ହିଃ-ହିଃ’ ହସି ଉଠିଲା ସୁଖଲତା ।

 

–‘ହସୁଛ କାହିଁକି ସୁଖଲତା ?’ ସୁଶ୍ରୀ ନର୍ସ ପଚାରିଲେ ।

 

–‘ମତେ ଲତୁ ଡାକମ’ ହଇହେ ତୁମେ ପରା ହାକିମ, ସେଇ ଟୋକାଟାକୁ ଗିରଫ କର, ସେଇ ଛତରାଟା, ସେଇ ଛତରା ତାକୁ ଜାଣ ନା–ଖାଲି ଗପ ଲେଖେ, ପ୍ରେମ କରେ, ଗପ ଲେଖେ ମ–ଗପ ଲେଖେ । ପ୍ରେମ କରେ ମ–ପ୍ରେମ କରେ । ତାକୁ ମାର, ତାକୁ ପିଟ, ବାଡ଼ାଅ । ମୁଁ ତୁମ ସ୍ତ୍ରୀ । ମୋ ଇଜ୍ଜତ ସେ ନେଇଛି, ତାକୁ ପିଟ, ବାଡ଼ା, ମାର ମାର–ଡରୁଛ ସେ ପ୍ରଫେସର ବୋଲି, ଡରୁଛ ସେ ଛତରାର ପ୍ରଭାବକୁ, ବଜାରୀର ବ୍ୟକ୍ତିତ୍ୱକୁ । ମାର ମାର, ପିଟ୍ ପିଟ୍ । ଡରୁଛ-ଛି-ଛି-ମାଇଚିଆ, ମାଇଚିଆ, ଯା–ଯା ଉଡ଼ିଗଲାରେ–ପଳେଇଲା ରେ...ଛତରା, ବାହାର, ବାହାର–ମୋ ରଡ଼, ମୋ ନିଆଁ, ମୋ ଗାତ, ମୋ ଚୁଲି-ବାହାର ଏଠୁ ଛତରା, ବଜାରୀ କାହାଁକା ।

 

ନର୍ସ ଧାଇଁଗଲେ ବେହେରାକୁ ଡାକିବାକୁ । ମୁଁ ଚାଲି ଆସୁଥିଲି–ଫେରିଲି ଆଖିରେ ଆଖିଏ ଲୁହ ଭରି...

 

ଆରେ, ତୁମେ ଚାଲିଯାଉଛ–ଗେଲ ଟିକେ ମତେ କରିବନି, ଚୁମାଟେ ଦେବନି,–ସେଟା ଥିଲା କବି, ତାକୁ ଚୁମା ଦେଇ ଆସେନି, ଖାଲି ପରା ମତେ ଚାଟିବ । ତୁମେ ହାକିମ...ଆସ୍ତେ ଆସ୍ତେ, ଧୀରେ ଧୀରେ ଚୁମା ଦିଅ, ଦିଅ ମ–ଓଃ, ରାଗିଛ, ରାଗିଛ ନା-ଚୁମାଟେ ଦିଅ ମ ।

 

ସେ ମତେ ଭିଡ଼ିଧରି ଚୁମା ପରେ ଚୁମା ଢାଳି ଦେଇଗଲା ମୋ ଗଣ୍ଡ, ଅଧର, ଆଖି । ମୁଁ ସାମାନ୍ୟ ବଳପ୍ରୟୋଗ କରି ତା’ର ଆଲିଙ୍ଗନରୁ ନିଜକୁ ମୁକ୍ତ କରି ବାହାରକୁ ଧାଇଁ ଆସିଲି ।

 

‘ଯାଉଛ, ଯା-ଯା’ । ଅଜଣାଗଛରେ ଯେଉଁଦିନ ଫୁଲ ଫୁଟିବ, ସେଇଦିନ ତୁମେ ଆସିବ ନା ? ସୁନା ପାଲିଙ୍କିରେ ଆସିବ ।’

 

ଚାଲି ଆସିଲି ଭାରାକ୍ରାନ୍ତ ମନ, କ୍ଲାନ୍ତ ଅବଶ ଦେହ ନେଇ–ମାନସିକ ଚିକିତ୍ସାଳୟ ଫାଟକ ପରେ ରାଜରାସ୍ତା ମୋ ଆଗରେ ବୌଦ୍ଧଦ୍ରୂମ ପରି ସେଇ ଅଜଣାଗଛଟା ।

 

ରାତି ସାରା ବଡ଼ ବ୍ୟସ୍ତ ଲାଗିଲା–ମୋ ଆଖିରେ ସେଇ ତନୁପାତଳୀ ପାଗଳୀର ଅନୁପମ ରୂପଶୋଭା । ତା’ ନୟନର ଅଶ୍ରୁକଣା ନାଚି ଯାଉଥିଲା । ସତେ ଯେପରି ସେ ମତେ ହାତଠାରି ଡାକୁଥିଲା ସେଇ ଝଙ୍କା ଅଜଣାଗଛ ତଳକୁ ଯିବା ଲାଗି । ମୋ ମନରେ ଭୟ, ପ୍ରେମ, କରୁଣାର ଅପୂର୍ବ ସମନ୍ୱୟ ମଧ୍ୟରେ ମୁଁ ଦେଖିଥିଲି ସେଇ ରୂପସୀ ପାଗଳୀ ସୁଖଲତାକୁ । ଭାବୁଥିଲି, ଭଗବାନ ତାକୁ ଏତେ ସୁନ୍ଦର କରି ଗଢ଼ି ପାଗଳୀ କଲେ କାହିଁକି ? ଅନିନ୍ଦ୍ୟ ସୁନ୍ଦରୀ ତରୁଣୀ ପାଗଳ ହୋଇପାରେ ?

 

ମଣିଷ ପାଗଳ ହୁଏ–ପାଗଳ ବ୍ୟକ୍ତି ତା’ର ପାଗଳାମି ଲାଗି ଯେତିକି ପରିମାଣରେ ଦାୟୀ, ତାହାଠାରୁ ତା’ର ପରିବାର, ପାରିପାର୍ଶ୍ୱିକ ଅବସ୍ଥା, ସାମାଜିକ ପରିସ୍ଥିତି ଅଧିକ ପରିମାଣରେ ଦାୟୀ । ପାଗଳାମି କଲେ ଲୋକ ପାଗଳ ହୁଏ ନାହିଁ–ପାଗଳ ମଣିଷ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ–ମଣିଷ ସମାଜରେ ବହୁବିଧ ବ୍ୟକ୍ତିତ୍ୱ, ବହୁ ପ୍ରକାରର ବ୍ୟକ୍ତିତ୍ୱର ବିକାଶ କରିବାକୁ ଯାଇ ମଣିଷ ପାଗଳ ହୁଏ । ମୋର ମନେହେଲା, ପାଗଳକୁ ପାଗଳ କହି ଆମେ ଭଗବାନଙ୍କ ଇଚ୍ଛାକୁ ଅସମ୍ମାନ କରୁଛୁ । ବହୁ ରାତି ପର୍ଯ୍ୟନ୍ତ ଚିନ୍ତାକରି ମୋର ବାଲ୍ୟପରିଚିତ ବୁଢ଼ାନନା ରୂପସୀ ସୁଖଲତା ଲାଗି ମୋର କର୍ତ୍ତବ୍ୟ ସ୍ଥିର କରି ପାରିଲିନି ।

 

ତା’ପରଦିନ ଭୋର-

 

ସେଇ ଅଜଣାଗଛଟା ଆଡ଼େ ଚାହିଁଲି । ବହୁଲୋକ ଭିଡ଼ ବାନ୍ଧି ଠିଆ ହୋଇଛନ୍ତି । ଯାଇ ଯାହା ଦେଖିଲି, ତାହା ନଦେଖିଥିଲେ ଭଲ ହୋଇଥାନ୍ତା–ତନୁପାତଳୀ ପାଗଳୀ ତା’ର ପାତଳ ଶାଢ଼ିରେ ଗଳା ଭିଡ଼ିଦେଇ ଅଜଣାଗଛର ଏକ ପତ୍ରହୀନ ଡାଳରେ ଝୁଲି ପଡ଼ିଥିଲା । ପୌଷର ଘୂର୍ଣ୍ଣିରେ ଝଡ଼ା ପତ୍ର ଉଡ଼ି ବୁଲୁଥିଲା...ତା’ର ମରଣ ଶୀତଳ ତରଙ୍ଗାୟିତ ଦେହର ନଗ୍ନ ସୁଷମା ପାତଳ ଶାଢ଼ିରେ ସ୍ପଷ୍ଟ ଫୁଟି ଉଠିଥିଲା । ଅନାବୃତ ବାମ ସ୍ତନରେ ପ୍ରଣୟୀର ଦନ୍ତଚିହ୍ନ ପରି ଏକ ଗଭୀର କଳାଦାଗ କକ୍ଷ ନିମ୍ନ କୃଷ୍ଣକଳୀ ରୋମାବଳୀର ଛାୟାରେ ଢାଙ୍କି ହୋଇ ପଡ଼ିଥିଲା ।

 

ଲୋକ ଗହଳି ଭିତରେ ପାଗଳ ବୁଢ଼ାନନା କହୁଥିଲା–

 

‘ଆହା, ଚାଲିଗଲା–ଗଛଟା ଫୁଲ ଫୁଟିଲାଯାଏ ଅପେକ୍ଷା କଲା ନାହିଁ–ଛତରୀଟା ଚାଲିଗଲା...ଭଲ ହେଇଛି; ଥେଇ...ହିଃ ହିଃ ହିଃ...ମରିଗଲା–ଭଲ ହେଲା–ଆହା ବିଚାରୀ ମରିଗଲା-!’

 

ପାଗଳ ବୁଢ଼ାନନା କଇଁ କଇଁ କାନ୍ଦିଉଠିଲା । ତା’ର ବିକଳ କ୍ରନ୍ଦନ ମୋ ମନ କରୁଣାପ୍ଲୁତ କରିଦେଲା ।

 

ବୁଢ଼ାନନା କାନ୍ଦି କାନ୍ଦି କହୁଥିଲା, ‘ବିଚାରୀ ଗଛଟା ଫୁଲ ଫୁଟିଲାଯାଏ ଅପେକ୍ଷା କଲା ନାହିଁ, ଚାଲିଗଲା...’ ପରିଚିତା ନର୍ସ ମୋ ଆଡ଼େ ଚାହିଁ କହିଲେ-‘ଏ ଗଛରେ ଫୁଲ ଫୁଟେ ନାହିଁ ।’ ମୁଁ ଅନ୍ୟମନସ୍କ ଥାଇ ଭାବୁଥିଲି, ଏ ଗଛରେ ଫୁଲ ଫୁଟେ ନାହିଁ–ଫୁଟେ ଚିନ୍ତାର ଫୁଲ...ସେ ଫୁଲ ପବିତ୍ର, ଶୁଦ୍ଧ, ଅବିନଶ୍ୱର ବୁଦ୍ଧି...ସେଇ ଅଜଣାଗଛର ପତ୍ରହୀନ ଶାଖା ତଳେ ମୁଁ ଦେଖିଥିଲି ବୌଦ୍ଧିକ ଚିନ୍ତାର ଫୁଲ ପେନ୍ଥାଟିଏ... ।

 

(ଶାନ୍ତିନିକେତନ ‘ଓଡ଼ିଆ ସାହିତ୍ୟ ପରିଷଦ’ ଓ କେନ୍ଦ୍ରାପଡ଼ା ‘ସାହିତ୍ୟ ଆଳାପନୀ’ରେ ପଠିତ, ଆଲୋଚିତ ଓ ଆସନ୍ତାକାଲିରେ ପ୍ରକାଶିତ ।)

☆☆☆

 

ରାଇର ଚିଠି

 

ରାଇ ଲେଖିଛି ଚିଠି । ଚିଠି ପରେ ଚିଠି...ଖାଲି ଚିଠି...ଚିଠି, ଚିଠି, ଚିଠି ।

 

୧୦-୩-୬୪

 

‘‘ମନକଥା ମୁହଁରେ କହିପାରିନି ବୋଲି ଲେଖୁଛି, ତୁମକୁ କହିବାପାଇଁ ଅନେକ କଥା ଅଛି । ତୁମର ‘ନଷ୍ଟଚନ୍ଦ୍ର’ ଉପନ୍ୟାସ ପଢ଼ିଛି...ତୁମେ ତ ନଷ୍ଟନାୟକ, ତୁମର ପଙ୍କିଳ ଜୀବନ ଭିତରେ ମୁଁ ପଦ୍ମ ହିଁ ଦେଖିଛି । ତୁମେ ଦୁଶ୍ଚରିତ୍ର । ମନରେ ଭାବିଲେ ବି ମନ ମାନିଲା ନାହିଁ, ପରିସ୍ଥିତି ତୁମକୁ ତଳକୁ ଟାଣି ନେଇଛି, ଛଳନା ତୁମକୁ ଲମ୍ପଟ କରିଛି, ତେବେ ବି ବେଶି ବେଶି ଭାବପ୍ରବଣ ହୋଇ ତୁମେ ତଳକୁ ଖସି ଯାଉଚ । ଏଡ଼େ ମୂଲ୍ୟବାନ ହୃଦୟକୁ ଜାଣି ଜାଣି ପୋଡ଼ି ଜାଳି ଦେଇଚ ! ନିଜ ଭିତରେ ନିଜର ଜୀବନ ଆବିଷ୍କାର ହିଁ ତୁମ ଜୀବନର ଚରମ ସାର୍ଥକତା ।

 

ବୃଥା ମରୀଚିକା ପଛରେ ଧାଇଁ ଧାଇଁ ନିଷ୍ଠୁର ଆନନ୍ଦ ପାଉଛ, ନୁହେଁ ? ଝିଅଙ୍କ ସ୍ନେହ ତୁମକୁ ତୁଟାଇବାକୁ ହେବ । ଯଦି କେହି ପ୍ରକୃତ ତୁମର ଥାଏ, ସେ ଆପେ ଆପେ ଆସିବ, ଆପେ ଜୀବନର ବିକାଶ କର, ନିଜେ ମରନା କି ପ୍ରତିଭାକୁ ମାରି ଦିଅନା ।

 

କୌଣସି ଅପରିଚିତା ପାଠିକା ବୋଧହୁଏ, ଲେଖକକୁ ଏପରି କଥା କହିପାରିବନି । ମୁଁ ତୁମକୁ ପ୍ରାଣରେ ଭାଇ ବୋଲି ଭାବିଛି...ଏ ପବିତ୍ରତା ଭିତରେ କୌଣସି ମଳି ଧୂଳି ନାହିଁ, ମତେ ତୁମ ଗପ ଲିଖିତ ସୀତାଅପା ଠଉରାଉ ନାହଁ ତ ? କାହିଁକି ନା ବୟସ ନିର୍ବିଶେଷରେ ତୁମେ ନାରୀକୁ କି ରୂପରେ ଦେଖିଛ, ମୁଁ ତା’ର ପ୍ରମାଣ ପାଇଛି ।

 

ତେବେବି ମୁଁ ତୁମ ଲେଖାରେ ପବିତ୍ରତାର ସ୍ୱାକ୍ଷର ଦେଖିଛି...ବୟସ ଦଶ ବାରବର୍ଷ ବଡ଼ ହେଲେ ବି ତୁମକୁ ପୁଅ ଭଳି ଦେଖୁଛି, ମୋ ମୁନ୍ନାଠୁଁ ବୋଧହୁଏ ଅନ୍ୟ ଦୃଷ୍ଟିରେ ଦେଖୁନି...

 

ତୁମର ପ୍ରତିଭା ଅଛି, ଦିନେ ନିଶ୍ଚୟ ତୁମେ ବଡ଼ ହେବ–ତୁମକୁ ମନ୍ତ୍ରୀରୂପେ ଦେଖିଲେ ମୁଁ ସୁଖୀ ହେବି ନାହିଁ...ଜଣେ ପ୍ରତିଷ୍ଠିତ ସାହିତ୍ୟିକ ରୂପରେ ଦେଖିଲେ ସୁଖୀ ହେବି, ବେଶି ସୁଖୀ ହେବି ତୁମକୁ ସଚ୍ଚରିତ୍ର ଗୃହସ୍ଥ ରୂପରେ ଦେଖିଲେ ।’

 

୧୪-୩-୬୪

 

‘‘କ’ଣ ମୁଁ ଲେଖିବି କହିଲ ? ତୁମ ଭଳି ଦୁଷ୍ଟ ଜୀବକୁ ମୁଁ କ’ଣ କହିବି ? ଅଜାଣତରେ ତୁମେ ମୋର ହୃଦୟର ହୋଇଗଲଣି । ଘଡ଼ିଏ ତୁମକୁ ନଦେଖିଲେ ବାଉଳା ଲାଗୁଛି । ଆଜି ସକାଳେ ତ ଲ’ କଲେଜ ନ ଥିଲା, ଆଜି ତ ବୁଧବାର, ତେବେ ଆଜି କାହିଁକି ଆସିଲନି ? ବାରମ୍ୱାର ତୁମ ବାଟକୁ ଚାହିଁବା ମୋର କାମ । ସିନେମା ତ ମୁଁ ଯାଏନି...ତେବେ କାଇଁକି ଯାଇଛି ଜାଣ ? ଖାଲି ତୁମରି ପାଇଁ, କାହିଁକି ? ଏ ଭଳି ସ୍ନେହ ? ମତେ ତୁମେ ଭୁଲ୍ ବୁଝ ବା ଠିକ୍ ବୁଝ, ଯାଏ ଆସେ ନାହିଁ, ମୁଁ ତୁମକୁ ନିଜର କରିଛି, କିଏ କହିଲା ତୁମେ ଦୁଶ୍ଚରିତ୍ର ? କହିଛି ପରା ପଙ୍କ ଭିତରେ ତୁମେ ପଙ୍କଜ, ପଦ୍ମ ଦେହରେ ପଙ୍କ ଲାଗେ କି ? ‘‘ମନର ମଣିଷ ଖୋଜୁଛ’’ ବୋଲି ଲେଖିଛ କାହିଁରେ ? ସରାଗ ଦେବ, ପ୍ରେମ ଦେବ, ସେ ଆସିବ ଦିନେ ନା ଦିନେ ତୁମର ପ୍ରାଣର ଡାକ ବିଫଳ ହେବନି ।

 

ଜାଣେନି ଭଗବାନଙ୍କ ହାତ କେଉଁଆଡ଼େ ମତେ ନେଇଚି...କି ଇଙ୍ଗିତ ଦେଉଚି, ମୁଁ ସ୍ୱର୍ଗକୁ ଯାଉଚି ନା ନର୍କକୁ ଯାଉଚି...ପ୍ରେମ, ସ୍ନେହ...ସ୍ୱର୍ଗୀୟ କିନ୍ତୁ ମୋର ଦେହ କ’ଣ ???

 

ତୁମ ଜୀବନରେ ଅମୃତ ନା ବିଷ, କ’ଣ ସୃଜିବ ? ଯେଉଁଥିପାଇଁ ତୁମକୁ ଛାତିକୁ ଆଉଜାଇ ଆଣିଲି ଅମୃତ ଦେବି ବୋଲି । ଭଲବାଟ ଦେଖାଇବି ବୋଲି । ଜାଣେ, କୌଣସି ଝିଅ ସଙ୍ଗେ ଦୈହିକ ସମ୍ପର୍କ ନ ରହିଲେ ତୁମେ ଗଳ୍ପ ଲେଖି ପାରିବନି । ତେଣୁ ମନେ ମନେ ଠିକ୍ କରିଥିଲି, ଯେଉଁ ଝିଅକୁ ତୁମେ ବାଛିବ, ତାରି ସମସ୍ତ ସୁବିଧା ମୁଁ କରିଦେବି ।

 

କିନ୍ତୁ ତୁମେ କେତେ ସାନ...ହୃଦୟ କହୁନି, ଶାସ୍ତ୍ରୀୟ ମତରେ ମୁଁ ତୁମର ମାତୃସ୍ଥାନୀୟା, ଆୟୁଷହାନି ହୁଏ ପରା ?? ତୁମର ସମସ୍ତ କଳୁଷ କାଳିମା ମୋତେ ଦିଅ, ତୁମେ ଦୀର୍ଘାୟୁ ହୁଅ, ଯଶସ୍ୱୀ ହୁଅ, ମତେ କ୍ଷମାକର, ପବିତ୍ର ସମ୍ପଦ ମୋର ।’

 

୧୮-୩-୬୪

 

‘‘ସୁକୁମାରମତି ବାବୀ ମୋର, କୁନୁ ମୋ ଅନ୍ତରତମ, ଏଡ଼େ କୋମଳ ପ୍ରାଣ କାହାପାଖେ ଢାଳି ଦେଉଚ ? ଚିଠି ପଢ଼ିଲି, ତୁମ ପ୍ରାଣର ମୁଁ କିଛି ନୁହେଁ ତୁମର ତରଙ୍ଗାୟିତ ହୃଦୟ ସାଗରରେ ଲିଭିଯିବ ଦିନେ ମୋର ସତ୍ତା, କିନ୍ତୁ ତୁମେ ଏତେ କଥା ଜାଣିଲ କାହୁଁ ? ଚଣ୍ଡିଦାସଠୁଁ ରବୀନ୍ଦ୍ର ଯାଏଁ ? ଅପୂର୍ବ ତୁମର ଚିଠିଲେଖାର ଶୈଳୀ, ପ୍ରାଣତଳେ ପ୍ରେମର ବନ୍ୟା ! ମତେ ଭସେଇନେଇ ଯାଉଛ କେଣେ ?

 

ଶିଥିଳ ବକ୍ଷ, ଶିଥିଳ ମନ ମଧ୍ୟ; ଖାଲି ପ୍ରାଣ ପ୍ରାଚୁର୍ଯ୍ୟ ଛଡ଼ା ତହିଁରେ କିଛି ନାହିଁ । ସେଇ ପ୍ରାଣ ଟିକକ ଦେଇ ତୁମକୁ ମୁଁ ନିଜର କରି ରଖିବି ବୋଲି । ଭାବିଥିଲି, ହୃଦୟର ସାନଭାଇ କରି ରଖିବି ବୋଲି । ମା’ ନାଇଁ, ମା’ର ସ୍ନେହ ଦେବି, କିନ୍ତୁ ସ୍ନେହ ନ ଦେଇ ଦେଲି ଗରଳ, ଅମୃତ ବଦଳେ ବିଷ ପରିଷିଲି । ଅଠର ବର୍ଷର ଘର ସଂସାର କଲା ପରେ ତୁମ ପାଇଁ ଦେଲାଭଳି ନୂତନ କିଛି ନାହିଁ, ଯାହାକି ତୁମଭଳି ଏକୋଇଶ ବର୍ଷର ଯୁବକ ମନକୁ ହରଣ କରିବ ।

 

ଭଲପାଇବାର ଦୁର୍ନାମ ନିଶା ମତେ ଘାରିଚି । ତୁମେ, ତୁମେ କିଆଁ ମତେ ପାଗଳୀ କରୁଚ ? ଏ କେତେଦିନ, କେତେଦିନ ହେଲା ମୁଁ କିଛି ଖାଇପାରୁନି, ଶୋଇଲେ ଶୋଇପାରୁନି, ନ ବସିଲେ ସ୍ଥିରହୋଇ ଘଡ଼ିଏ ବସିପାରୁନି ।

 

ତୁମେ କିଏ ? ଅନାବିଳ ସ୍ନେହର ମୂର୍ତ୍ତି ଧରି ମୋ ହୃଦୟ ମଥିତ କରୁଛ ? ମୋ ପ୍ରାଣ ଝଂକୃତ କରୁଛ ? ଠିକ୍ ଠିକ୍ । ପ୍ରେମ ହିଁ ପ୍ରକୃତ ଅନ୍ଧ !!! ଶେଷକୁ ମୋର ଏଭଳି ଅଧଃପତନ ହେଲା ? ମୁଁ ତୁମ ଭଳି ଛୋଟ ପିଲାଟିକୁ...??? ପ୍ରାଣର ମୋର–ମୋତେ କ୍ଷମାକର !!! ବେଶି ତୁମକୁ କ’ଣ ଲେଖିବି ? ଅନୁଶୋଚନାରେ ମୋ ହୃଦୟ ଭାଙ୍ଗିଯାଉଛି । ଲୁହର ସୁଅରେ ଅନ୍ତର ମୋର ଧୋଇଯାଉଚି । କେବଳ ମୁଁ କାନ୍ଦୁଛି ହିଁ କାନ୍ଦୁଛି ।

 

ଚିର ଜୀବନକୁ ପ୍ରେମ ଚାହେଁ ବୋଲି କହିଚ–ଘଡ଼ିକେ ମୁଁ ଏଠି, ପୁଣି କିଏ କେଉଁଦିନ, କେଉଁଆଡ଼େ ଚାଲିଯିବା ଯେ ତା’ର କ’ଣ ଠିକଣା ରହିବ ! ତାଙ୍କର ତ Railway ଚାକିରି...ତୁମେ ରହ କେଉଁଠି ଆଉ ମୁଁ, ଦଶ ବର୍ଷରେ ବି ଥରେ ଏକାଠି ହେବା କଠିଣ ହେବ ।

 

ବାରବର୍ଷ ଜଣକ ଲାଗି ପାଗଳୀ ହୋଇ ପ୍ରେମ କ’ଣ, କିଛି କିଛି ବୁଝିଛି । ନାରୀ ବଡ଼ ଜଘନ୍ୟ, ଭାବି ପାରିବନି, ଦେହ ବିନା ପ୍ରେମ ତିଷ୍ଠିପାରେନା । ମୋ ଭଳି ସ୍ୱାସ୍ଥ୍ୟବତୀ ସ୍ତ୍ରୀ ମାସରେ ଥରୁଟିଏ ସ୍ୱାମୀ ସମ୍ପର୍କ, ଜାଣନି ତୁମେ, ବିବାହବାସରେ ସେ ମତେ ଗୀତା ବୁଝାଇଥିଲେ ।

 

ତୁମକୁ ପ୍ରାଣଭରି ଚୁମା ଦଉଚି । ନିଅ, ନିଅ ମୋର ନିବିଡ଼ ଆଲିଙ୍ଗନ, ନିଅ ହୃଦୟରୁ ଯା’ନବାକୁ ଚାହୁଁଚ । ଲୁଟି ନେଇଯାଅ, ମତେ ମୁକ୍ତ କର, ମତେ ମୁକ୍ତ କର । ଜାଣନି ତୁମେ, ପଳେ ପଳେ ଦହି ହୋଇ ହୋଇ ମୁଁ ମରୁଛି । ମୁହଁରେ ହସ, ଚପଳତା, ଆଉ ମନରେ ଦାରୁଣ ଆଘାତ । ଦୁଃସହ ଦୁଃଖ ମତେ ବି ପଥକୁ ନେଇଛି, ତେବେ ବି ମୁଁ ଦୃଢ଼ଭାବେ କହିବି–ମୁଁ ବିପଥଗାମିନୀ ନୁହେଁ ।

 

ସ୍ୱାମୀ ବୋଲି ଯାହାକୁ ପାଇଛି, ସେ ଦେବତା; କିନ୍ତୁ ‘ପାଷାଣ ଦେବତା’ । ସେଠି ସବୁ ମୋର ହାର ମାନେ, ନିଷ୍ଫଳ ହୁଏ, ଜୀବନ ପଳ ପଳ ହୋଇ ଦହି ହେଉଥାଏ । ଯେଉଁଠି ପ୍ରାଣ ନାହିଁ, ହୃଦୟ ନାହିଁ, ସେଠି ବଞ୍ଚିରହିବାପାଇଁ ମଣିଷ କଅଣ ଖୋଜେ ??

 

ବାବୀ, ଛଳନା ଭିତରେ ଆଉ ବଞ୍ଚିପାରିବି ନାହିଁ । ତୁମଠୁ କିଛି ମାଗୁନି, କିଛି ଚାହୁଁନି, ତୁମକୁ ଢଳେଇ ଦେଉଚି ବୋଲି ମତେ କ୍ଷମାକର । ଜାଣେ, ଈଶ୍ୱରଙ୍କ ପାଖରେ ମୋର କ୍ଷମା ଅଛି, କାହିଁକି ସେ ମୋତେ ଏ ହୃଦୟ ଦେଇ ତାକୁ ପୁଣି ଛାରଖାର କରିଦେଲେ ।

 

କ’ଣ ଲେଖିବି ? ବହୁତ ଅଛି । ହେଲେ, ଏତେ ଡର, ଏତେ ଭୀତି, ଲୁଚାଚୋରା । ତା’ ମଧ୍ୟରେ କି ଚିଠି ଲେଖି ହୁଏ ?

 

୨୦-୩-୬୪

 

‘‘କିଆଁ ? ପାଷାଣ ଭଳି ପ୍ରାଣକୁ ମୋର ତରଳ କରୁଛ ? ନିଜକୁ ନିଜେ ଜାଳି ଜାଳି ଆଜିଯାଏଁ ଯେ ବଞ୍ଚିଲା ତା’ରି ଦେହ, ମନ କିଆଁ ତୁମରି ଲାଗି ଉଦ୍‍ବିଗ୍ନ ହୋଇ ରହୁଛି ? ତୁମରି ଲାଗି–ହଁ ତୁମରି ଲାଗି, ପ୍ରାଣ କହୁଚି ତୁମେ ମତେ ବୁକୁରେ, ଦେହରେ, ମନରେ ଗ୍ରହଣ କର । ବିବେକ କହୁଛି, ନାଁ–ତୁମେ କିଏ ?

ତୁମେ ଆଉ ଆସନି...କୁନୁ ଆସନି, ମୋତେ ତିଳ ତିଳ କରି ପୋଡ଼ି ମାରନି ।

ଜଳିବାରେ ପୁଣି ଏତେ ଆନନ୍ଦ, ଏତେ ପୁଣି ଅଧୀରତା, ଏତେ ଶିହରଣ, ଏତେ ରୋମାଞ୍ଚ, ଏତେ ପୁଣି ମାଦକତା...ତୁମେ ଯାଅ, ତୁମେ ଯାଅ–କୁହ, ମୋର ପ୍ରାଣ, ମୋ ହୃଦୟ, ମୋ ମନ, ମୋ ଦେହ, ମୋ ଦେବତା, ମତେ କ୍ଷମା କର, କାହିଁକି ତୁମ ସଙ୍ଗେ ଖେଳିଲି ଜାଣେନି-ଏ ଦ୍ୟୁତକ୍ରୀଡ଼ାରେ ନିଜକୁ ନିଜେ ମୁଁ ହରାଇ ଦେଲି କୁନୁ, ମୋତେ ମୁଁ ହରାଇଛି–ସେଇ ଷୋଳ ବରଷର ରୋମାଞ୍ଚ ମୋ ମନେ ମନେ ଫେରିଆସିଚି, ମୁଁ ଲୋଟିଯାଉଚି ତୁମ ଛାତିରେ, ମୁଁ ତୁମଠୁ ବୟସରେ ବଡ଼, ଏକଥା ମୋ ମନେ ରହୁନି । ପାପଚିନ୍ତା ତ ମନକୁ ସ୍ପର୍ଶ କରୁନି, ତୁମେ ଯେତେବେଳେ ଚୁମା ଦଉଚ ପ୍ରାଣ, ମନ, ଦେହ ଏକ କରି ଦେଉଚ । ବିଶ୍ୱାସ କରିବ ? ମିଛ ଭାବିବ ବୋଧହୁଏ, ଯାହାକୁ ପ୍ରେମ କରିଥିଲି ସ୍ୱାମୀଙ୍କର ଅବହେଳାରେ, ରିକ୍ତ ହୋଇ ସେଇ ମାନୁଠୁଁ ଚୁମା ଚାହିଁଛି । ସେ ନାହିଁ କରିଚି, ଯଦି ଦେହ ଦେବୁ ତେବେ ଚୁମା ପାଇବୁ ।

ଦେହ ଦେଇନି କି ଚୁମା ପାଇନି, ଅଥଚ କଥାରେ କଥାରେ ରାତି ପାହିଯାଇଛି । ପ୍ରାଣଭରି ଚୁମା ଓ ଆଲିଙ୍ଗନ ପାଇଥିଲେ ନିଜକୁ ମୁଁ ସମ୍ଭାଳି ରଖିପାରି ନଥାନ୍ତି । ଆଉ...ଆଉ ଦେହ ଛୁଇଁ ନିୟମ କରିଛି ଆଉ ତୁମ ପ୍ରାଣ ଧରି ଦେହ ମନ ପ୍ରାଣ ଲୋଟାଇ ଦେଉଛି, ସେ ପ୍ରାଣ ତୁମରି ହୋଇ ରହୁ, ତା’ବି ଠିକ୍ କ’ର ? ମୋର ଭାଗ୍ୟର ପରିବର୍ତ୍ତନ ପୁଣି କେଉଁଠିକି ମତେ ବାଟ କଢ଼ାଇବ କିଏ ଜାଣେ ?

ତୁମ ଚିଠିରେ, ତୁମ ପ୍ରାଣରେ ରୋମାଞ୍ଚ, ମୋ ଚିଠିରେ ପ୍ରାଣ କାହିଁ ? ନବଯୁବକ ତୁମେ–ମନତଳେ ଅଗ୍ନି ଜଳୁଚି–ମୋ ମନରୁ ବୋଧହୁଏ ଅଗ୍ନି ଲିଭିଚି । ପାଉଁଶ ତଳେ ଥିଲେ ଅବା ଥାଇପାରେ, ତା’ର ସନ୍ଧାନ ମୁଁ ପାଇନି...

କାନ୍ଦିବିନି ବୋଲି କହିଲ ? ମୁଁ କ’ଣ ହସି ହସି ତୁମକୁ ଆପଣାର କରିଚି ? ରକ୍ତ ପାଣି ଫଟେଇ ଲୁହ କରିଛି ଆଗେ, ତା’ପରେ ତୁମକୁ ନେଇଚି କୋଳକୁ–ତୁମେ ମୋ’ଠୁଁ ବୟସରେ ସାନ–ମୁଁ ମୋର ମାନସମ୍ଭ୍ରମ ସବୁ ଭୁଲିଯାଇ ତୁମ ଛାତିରେ ଲୋଟିଯାଇଚି । ସତେ...ସତେ ମୁଁ ସ୍କୁଲ ଝିଅଟିଏ ହୋଇଯାଇଛି, ପାଞ୍ଚୋଟି ମା’ ବୋଲିବି ମନରେ ନାଇଁ, ମୀନା ପାଇଁ ବୁକୁରେ ଯେତିକି ସ୍ନେହ, ତା’ଠୁଁ ଟିକେବି ଊଣା ତୁମ ପାଇଁ ନାହିଁ । ମତେ ଈଶ୍ୱର ରାଣ, ତୁମକୁ ପର ବୋଲି ଭାବିଲେ ବି ହୃଦୟ ପର କହୁନି ।

ଏଇ କେତେଦିନ ମୁଁ ଶାନ୍ତିରେ ଖାଇପାରିନି...ତୁମେ ଖାଇଚ ତ ? କ’ଣ ହୋଟେଲରେ ଆଜି ରନ୍ଧା ହୋଇଥିଲା ? ତୁମେ କ’ଣ ଶୋଇଚ, ନା ଅନର୍ସ ପିଲାଙ୍କୁ ପଢ଼ାଉଚ ? ସବୁ ମନେପଡ଼ୁଛି । ଦଶ ବର୍ଷ ଧରି ଆମେ ଦୁହେଁ କେମିତି ଥିଲୁ ଜାଣ ? ଦେହ, ମନ, ପ୍ରାଣ ଯେତେବେଳେ ଏକ ହୋଇଆସେ, ସେତିକିବେଳେ ସେ ଚାଲିଯାଏ ତା’ ସ୍ତ୍ରୀ ପାଖକୁ; ଆଉ ମୁଁ...ମୋ ଦୁଃଖର ଜୀବନ କେବେ ଶୁଣିବ ତୁମେ ?

 

ରାତି ରାତି ବିତିଯାଏ ଲୁହର ସୁଅରେ । କିଛି ଯାଏନି । ପ୍ରେମିକ ମୋର ତା’ ଘରେ, ସ୍ୱାମୀ ମୋର ସେ ଘରେ, ଅଲଗା ଶେଯ, ଅଲଗା ମନ ।

 

ମୁଁ ଯଦି ଟିକିଏ ସ୍ନେହ ପାଇଥାନ୍ତି, ଆଜି ସତୀ-ସାବିତ୍ରୀ ହୋଇଥାନ୍ତି । ମୋ ମନ ମୋଟେ ଚଞ୍ଚଳ ନୁହେଁ, ହେଲେ, ଖାଲି ହସ...ଗୋଟାଏ ଫମ୍ପା କଥା ଯେ ଭାବୁଥିବ ୟା’ଠୁ ଭଳି ସୁଖରେ କେହି ନାହିଁ । କିନ୍ତୁ ବେଳେବେଳେ ଏମିତି ହୁଏ ଲୁହର ସମୁଦ୍ରରେ ଭାସିଯାଏ, ମନ କାହିଁ ହଜିଯାଏ । ରବୀନ୍ଦ୍ର, ତୁମେ ପଢ଼ିଚ, ମୁଁ ତନ୍ନ ତନ୍ନ କରି ପଢ଼ିଚି...ତରଳ ମନ ନେଇ ରସାଣିତ ଚିଠି ଲେଖିବି । ତୁମେ ଲେଖିଛ ମୋର ଶିଥିଳ ସ୍ତନକୁ ନେଇ ବେଲୁନ୍ ଭଳି ଖେଳିବ । ତୁମର ବେଲୁନ୍ ଖେଳର ସାଥୀ ମୁଁ ନୁହେଁ...ମୋତେ ହୃଦୟ ଦିଅ, ପ୍ରାଣ ଦିଅ, ମୁଁ ପ୍ରାଣର କାଙ୍ଗାଳିନୀ ।

 

ପ୍ରକାରାନ୍ତରେ ଦେହ ଚାହୁଁଛ ତ ? କ’ଣ ଅଛି ତହିଁରେ ? ଯେତେବେଳେ ମନ ତୃପ୍ତ ନହେବ, ଘୃଣାରେ ମନ ଶିହରି ଉଠିବ, କାହିଁକି ଭୁଲ୍ କଲି ବୋଲି ପ୍ରାଣ କାନ୍ଦିବ, ଅନୁତାପ କରିବ, ତା’ପରେ ସବୁ ଶୁଖିଯିବ–ସ୍ନେହ, ଶ୍ରଦ୍ଧା କମିଯିବ–ତୁମେ ମୋ ଜୀବନ ନଷ୍ଟ କରିଦେଲ ବୋଲି ମତେ ଦୋଷୀ କରିବ ।

 

କଳ୍ପନାରେ ଭାସିଯାଇଥିଲ । ରାତିଟିଏ ଚାହିଁଥିଲ, ଆସିବ...ମୁଁ ଯିବି...ତୁମେ ମୋ ମୁନୁ ମୁନୁ...ପ୍ରାଣର, ହୃଦୟର, ପୁଣି ମନର...ଦେହର । ତୁମେ ଯେମିତି ମତେ ଭାବୁଚ ମୁଁ ବି ସେମିତି ତୁମକୁ ଭାବୁଛି । ତୁମେ ମୋର ସବୁ–ସ୍ୱାମୀ, ପୁଅ...ଅନ୍ୟ ଆଉ କ’ଣ ? ଭାଇଟିଏ ଯିଏ ଯାହାର ପ୍ରାପ୍ର୍ୟ ଭିନ୍ନ କରିନିଏ କିନ୍ତୁ ତୁମକୁ ମୁଁ ଏକତ୍ର ସବୁ ଢାଳିଦେଇଚି ।

 

ଅଦୃଷ୍ଟ ମୋ ସଙ୍ଗେ ଖେଳୁଚି । ମାନୁକୁ ଯେତେବେଳେ ଭଲପାଉଥିଲି ପ୍ରାଣ ଦେଇ, ହୃଦୟ ଦେଇ–କାହା ମୁହଁ କାହା କଥା ସୁଖ ଲାଗେନି । କିଛି ନାଁ...ଇମିତି ସ୍ୱାମୀଙ୍କ ସହ ଦେହ ବିନିମୟ କଲାବେଳେ ଭାବେ ଏଇ ମୋ ମାନୁ...ତା’ପରେ ନାରୀକି ଭୁଲିବାକୁ ପୁରୁଷ ମଦ ଖାଇଲା ପରି ମୋର ଉତ୍କଟ ପ୍ରେମକୁ ଭୁଲିବାକୁ ମାନୁ ଭଲପାଇଲା ସାଗରିକା ବୋଲି ଝିଅକୁ । ତିନି ବର୍ଷ ଦେଖା ନାଇଁ ସାକ୍ଷାତ ନାଇଁ...ଆଳ କରି ଗଲି ମୁଁ କଟକ । ସାଗରିକା ଥାଏ କୋଳରେ–ମୁଁ ଯାଇ ଜୁହାର ହେଲି । ‘ତୁ ପୁଣି ଆସିଲୁ ? ଯା...।’ ମୁଁ କହିଲି ମୁଁ ଈର୍ଷା କରୁନି, ମୋ ପ୍ରାଣ ଏପରି ଗଢ଼ା ଯେ ତହିଁରେ ଈର୍ଷା ଆଦୌ ନାହିଁ । ଥରଟିଏ ମୋତେ ଚୁମା ଦିଅ...ମୁଁ ଫେରିଯିବି...। ‘ନାଁ, ତା’ହେଲେ ମୁଁ ଦୁର୍ବଳ ହୋଇଯିବି...ତୁ ଯା...।’ କହିଲି, ‘ମୁଁ ଯିବିନି...ଦୋତାଲାରୁ ପେଲିଦେଲେ ଯେ ଗଡ଼ି ଗଡ଼ି ତଳେ ପଡ଼ିଲି । ପନ୍ଦରଦିନ ଡାକ୍ତରଖାନାରେ ଆଶ୍ରୟ...ହେଲେ, ମାନୁକୁ ଫେରିପାଇଲି–ମାନୁ ମୋର କୋଳରେ ବସି ଡାକିଲେ ‘ରାଣୀ’, ପୁଣି ଏତେ ଭଙ୍ଗାଗଢ଼ା ପରେ...ଶ୍ରୀମତୀ ମଲ୍ଲୀକାଙ୍କ ଭୁତ ଗ୍ରାସିଛି...ସେ ବି ଧର୍ମଝିଅ ସାଜି...

 

ଏଥର ସ୍ପଷ୍ଟ ସେ ମୋତେ କହିଲେ, ତୁ ଆଉ ଚିଠି ଦେବୁନି ମତେ । କି କଷ୍ଟ, କି ଜ୍ୱଳା, କି ପୀଡ଼ା...ଆଉ ତୁମେ ଖେଳୁ ଖେଳୁ ଏଯାଏ ଆସିଲ, ତୁମେ ତ ପିଲା...ପ୍ରେମର ଏଡ଼େ...ଆର୍ଟ ଜାଣିଲ କାହୁଁ ?

 

ବିବାହ କରିବାକୁ ମନା କରୁଚ ? ପାଗଳ, ଦେହର କ୍ଷୁଧା ମଣିଷର ପରମ କ୍ଷୁଧା । ବେଳ ଆସେ, ଆଖିରୁ ଲୁହ ଝରିପଡ଼େ ପ୍ରାଣ କାନ୍ଦିଉଠେ । ମନ ବିକଳ ହୋଇ ତକିଆକୁ ଭିଡ଼ି ଧରେ । ସେ ଅସହାୟ ଲୁହର ତୁଳନା ଅଛି ??? ସେଥିପାଇଁ ଲୋଡ଼ା ବିବାହ । ଏକରକମ ଆନନ୍ଦ, ମୁଠେ ଖାଇବାକୁ ପାଇବ । ପ୍ରତିଦିନ ଟିକିଏ ଦୈହିକ ସୁଖ, ଠିକ୍ ଭାତ ଖାଇଲା ପରି, ଲୁଗା ପିନ୍ଧିଲା ପରି...ସେ ଯାହାହେଉ...

 

ଆଉ ମୁଁ–କୁନୁରେ...କେତେ ଦିନ ? ମୁଁ ତ ଚାଲିଯିବି...ରୋଜ ଆଲିଙ୍ଗନ ଟିକେ, ଚୁମାଟିଏ ପାଇବନି...ବଞ୍ଚିପାରିବ ? ନାଇଁରେ ନାଇଁ, ବିବାହ କର, ଚିଠି ଲେଖିଲାବେଳେ ଛାତି ଦପ୍ ଦପ୍ ହେଉଛି । କିଏ ଆସିଲା କି ? ପଛରେ ସ୍ୱାମୀ କି ? ଇମିତି ଭୂତ ଭଳି ଭୟ । ମନର ଝରଣା ଝରି ପାରୁନି, ଆଉ କବିତା ? ଆସ ପିଲା ତୁମେ, ତୁମର ଅକ୍ଷୁଣ୍ଣ ମନର ଚିଠି ମୋତେ ପାଗଳ କରିଛି–ସତେ ଯଦି ମୁଁ ତୁମରି ପହିଲି ପ୍ରେୟସୀ ହୋଇଥାନ୍ତି ! କିଛି ନୁହେଁ...କିଛି ନୁହେଁ...ସପନ ହଜିଯାଇଛି...

 

୨୪-୩-୬୪

 

ଆଜି ‘କାନ୍ତ’ ବୋଲି ସମ୍ୱୋଧନ କରୁଛି । କଲମ କେତେଥର କହିଛି, ମନ କହୁନଥିଲା, ଆଜି କହିଲା କାନ୍ତ, କାନ୍ତ ମୋର । ମୁଁ ତୁମର ଅପା ନୁହେଁ, କିଆଁ ଏଡ଼େ ବଡ଼ ସମ୍ୱୋଧନଟାକୁ ବୁଡ଼ାଇ ମାରିବା ସଂସାରରୁ; ଦେହ ମନ ପ୍ରାଣ ଯାର ଉତ୍ସୃଷ୍ଟ, ସେ କି କେବେ ଭାଇ ହୋଇପାରେ-? କୁନୁ, ସତେ, ସତେ ତୁମେ ମୋତେ ପାଗଳୀ କରିଚ । କାଲି ସାରା ରାତି ଛଟପଟ କରି ମାରିଚ–ଲୁହର ସୁଅରେ ମୁଁ ଭାସିଯାଉଚି–ମୋର ମନପ୍ରାଣ ସବୁକିଛି ଭାସିଯାଉଚି ତୁମ ପାଖକୁ । ତୁମେତ ଆଉ କାହିଁ ଚନ୍ଦ୍ରଭାନୁ ହେଲନି ? ଲାବଣ୍ୟବତୀର ସ୍ୱପ୍ନରେ ରହିଲ, ଚାଲିଯିବାକୁ କହୁଚ–ଯାଇପାରିବ ? ପିଲାଦିନେ ଇମିତି ଖେଳିଥିଲି ତାଙ୍କ ସଙ୍ଗେ । ତୁମେ ନ ଆସିଲେ ମରିଯିବି–ବିଷ ଖାଇବି । କହୁଥିଲି ତୁମେ ତ ସେଇ ଖେଳ ଖେଳୁଚ–ପ୍ରେମ ପରେ କିଏ ଯାଇପାରେ ?

 

ପ୍ରିୟ ମୋର, ମତେ ଜାଳୁଛ କି ଜଳାଇ ମାରୁଚ ? ନା ନିଜେ ପତଙ୍ଗ ପରି ପୋଡ଼ି ମରୁଚି ତୁମରି ଉଜ୍ଜ୍ୱଳ ଶିଖାରେ ? ଧନ ଦଉଲତ ମୁଁ ଖୋଜି ନଥିଲି, ଖୋଜିଥିଲି ପ୍ରାଣ, ହୃଦୟ, ମନ–ସତେ ତୁମେ ମତେ ଦେଇଚ ? ନଦେଇଥିଲେ ମୁଁ ଏତେ ଅଥୟ ହୁଅନ୍ତି କାହିଁକି ! କାହିଁକି ପ୍ରାଣ ନିଃଶେଷ କରି ଅଜାଡ଼ି ଦିଅନ୍ତି ! ଘରଦ୍ୱାର, ସ୍ୱାମୀ, ପିଲାଏ ସବୁ ବିଷ ପରି ଦିଶୁଛନ୍ତି । ବିବେକ ଲଗାମ ଟାଣୁଛି–କୁନୁ, ପର ମୁହୂର୍ତ୍ତରେ ମନ ଉଡ଼ିଯାଉଛି ତୁମରି ପାଖକୁ–ତୁମରି କୋଳକୁ–ତୁମରି ସେଇ କଅଁଳ ଛାତି ଉପରକୁ । ତୁମରି ବାହୁରେ ମୁଁ ବନ୍ଦୀ ହେଉଚି, ତୁମରି ଓଠରେ ଓଠ, କୁନୁ, କୁନୁ ମୋର, ସୁନ୍ଦର ମୋର–ମୋର ସେଇ କାତର ମିନତି, ତୁମର ସେଇ ସବୁ ଦେଇ ନ ଦେବାର ଛଳନା–ଆମର ସେଇସବୁ ଆବିଳତା ଭିତରେ ଅନାବିଳ ପ୍ରେମ...ତୁମେ ଆଉ ମୁଁ...ସାକ୍ଷୀ ଖାଲି ଅନ୍ଧାର ! ପବିତ୍ର ତୁମ ଧୈର୍ଯ୍ୟ, ଯା’ପାଖେ ମୁଁ ମୁଣ୍ଡ ନୁଆଇଁଚି–ନୁଆଇଁବି ମୋର ହୃଦୟ । ମୁଁ କାମାସକ୍ତ ନୁହେଁ କୁନୁ, କିନ୍ତୁ ବେଳେବେଳେ ଭାବେଁ ଦେହ ଦେଇଦେଲେ, ମନ ହୁଏ ତ ନ ଯାଇପାରେ; କିନ୍ତୁ ମନ ଦେଇଦେଲେ ଦେହ ଆପେ ଆପେ ଚାଲିଯାଏ । ଯେ ମୋର ମନ ନେଇଛି, ତାକୁ ଦେହ ନଦେଇ ରହିପାରିବି ? ଏତେ ସ୍ନେହ, ଏତେ ମମତା, ଏତେ ପ୍ରେମ–ସବୁ ଯେଉଁଠି ମିଶିଥିଲା, ରକ୍ତ ମିଶିଯାଉ–ସେଇ ମିଶିଯିବା ଭିତରେ, ହଜିଯିବା ଭିତରେ ନଥାଏ କାମନା, ଥାଏ ଖାଲି ସବୁ ଦେଇ, ନିଜେ ହଜିଯିବାର ପ୍ରଶସ୍ତି । କୁନୁ, ସେ ଲାଗି ମୋତେ କ୍ଷମାକର, କିନ୍ତୁ ଏ ଭୀରୁ ମନକୁ ମୋର ଘୃଣା କରନି । କାମନାନଳରେ ତୁମକୁ ପୋଡ଼ି ମାରିବାକୁ ମୁଁ ଚାହେଁନା । ତୁମକୁ ଅପବିତ୍ର, କଳୁଷିତ କରିବାକୁ ଆମର ପ୍ରେମ ଧୂପ ଜଳୁଥାଉ–ସୁରଭିତ କରୁଥାଉ ଅନ୍ତର ଓ ମନ ।

 

କାହ୍ନୁ, ଏ ଗଭୀର ବର୍ଷାମୁଖର ରାତିରେ ତୁମେ ନେଉଛ ମୋର ଝରା ଲୁହ, ମନର କୋହ, ଶୂନ୍ୟ କୋଳରେ ଶୂନ୍ୟତା ଭରିଛି–ତୁମରି ସ୍ମୃତି, ତୁମେ ମୋର ସର୍ବସ୍ୱ–ଶୂନ୍ୟ ମୋର ପ୍ରାଣକୁ ପଲ୍ଲବିତ କଲ–ଏତେ ଦିନେ ଜାଣେନି କ’ଣ ଦେଇଚ ତୁମେ, କିନ୍ତୁ ଲୁଟିନଉଚ ସବୁ ।

 

୨୭।୩।୬୪

 

‘କାନ୍ତ, ତୁମକୁ ଏ ସମ୍ୱୋଧନ ଭଲ ଲାଗେ ‘‘ବାବୁନୁ’’ ଡାକିବାକୁ, ତୁମେ ତ ପ୍ରକୃତରେ ମୋର ବାବୁନୁ–ମୋ କୁନୁ–ମୋ ପୁଅ-ବାବୀ...ବାକି ଯା କିଛି ସେ କେବଳ ତୁମର ମନର ଖିଆଲ । ସେ ଖିଆଲର ଖେଳଣା କୁଣ୍ଢାଇ ମୁଁ–ତୁମେ ଯେତେବେଳେ କୁହ ମୁଁ ଅନ୍ୟ ସ୍ତ୍ରୀ ଛୁଇଁବି ନାହିଁ, ବିଭା ହେବିନି, ସେ ସବୁ ମୋତେ ଆଦୌ ଭଲ ଲାଗେ ନାହିଁ-ଯିମିତି ତୁମର ସବୁ ସୁଖସମ୍ପଦ ମୁଁ ଲୁଟିନେଉଛି, ସାମାନ୍ୟ ସ୍ନେହ ବଦଳରେ...ପ୍ରିୟ ମୋର, ବେଳେ ବେଳେ ଭାବେ, ମଣିଷ ପ୍ରାଣରେ ଏତେ ପ୍ରେମ ଥାଏ କେଉଁଠି ? ମୋ ମନ ତଳର ପ୍ରେମ ମୁଁ ନିଜେ କଳନା କରିପାରୁନି, ତୁମ ଭଳି ଭାଷା ନାହିଁ–ମୋର ଛଳ ନାହିଁ–ଯା ଅଛି, ତା’କେବଳ ତୁମେ ବୁଝିବ । ତୁମେ ଦେଇଚ–ସବୁ ତୁମରି ଦାନ–ତୁଳସୀପତ୍ର ଦେଇ ବୃନ୍ଦାବତୀ ପୂଜିଲା ପରି ତୁମରି ସ୍ପର୍ଶରେ ଫୁଟେଇଚ ମତେ–ଗଙ୍ଗାଜଳରେ ଗଙ୍ଗା ପୂଜିଛି–ତୁମରି ପାଦତଳେ ମୁଁ ଆଜି ଅଜାଡ଼ି ଦେଇଛି ତୁମରି ନିବେଦିତା ରାଈ–କାଲିଠୁ ତୁମ ଚିଠି ପାଇନି–ପାଇନି ତମରି ଦେହର କାଉଁରୀ ସ୍ପର୍ଶ–ଦେଖିନି ତୁମକୁ–

 

ତମରି ‘ରାଈ’

 

୩୦।୩।୬୪

 

‘ବାବୁନୁ, ଆଜି ବାବୁନି ଡାକୁଛି, ଚାଲିଯାଉଛି ବାବୁନୁ କେଉଁଠାକୁ ଯାଉଛି ନିଜେ ବି ଜାଣେନା, ଅବଶ୍ୟ ବହୁତ ଦୂରକୁ, ଛଳନା ଭିତରେ ବଞ୍ଚିପାରିବି ନାହିଁ ବାବୁନୁ...ଚାଲିଲି...ମତେ ଖୋଜିବନି...ବହୁତ କିଛି କହିଥାନ୍ତି...ଲେଖିଥାନ୍ତି...ହେଇ ଟ୍ରେନ ଆସିଗଲା, ଚାଲିଲି । ଖୋଜିବନି, ଏତିକି ମୋର ମିନତି...... ।’
 

X X X X

 

ଗଦା ଗଦା ନୀଳ, ନାଲି, ସବୁଜ ଲଫାପା ଭିତରେ ମୁଁ ରାଈକୁ ଖୋଜିଛି, ଆଜି ବି ଖୋଜୁଛି ।

 

(ଆସନ୍ତାକାଲିରେ ପ୍ରକାଶିତ ।)

☆☆☆

 

ପ୍ରୀତିନନ୍ଦାର ରାତ୍ରି

 

ପଶ୍ଚିମପାର୍ଶ୍ୱ ମଠ । ନାଟମଣ୍ଡପର ଅଙ୍ଗନରେ ଅଷ୍ଟପ୍ରହର କୀର୍ତ୍ତନ...ମୃଦଙ୍ଗ, କରତାଳ, ଘଣ୍ଟାର ଐକ୍ୟତାନ ଭିତରେ କୃଷ୍ଣଲୀଳା-ଗାନରତା ରୂପସୀ ପ୍ରୀତିନନ୍ଦାର ଆଖିରୁ ଝରିପଡ଼ୁଥିଲା ଅଶ୍ରୁ...ଗେରୁଆ ପରିଧାନ, ବାହୁମୂଳରେ ଅପୂର୍ବ ଉଜ୍ଜ୍ୱଳତା ‘ଯେ ଜନ୍ ଭଜେ କ୍ରିଷ୍ଣେର ନାମ ସେ ହଏ ଆମାର୍ ପ୍ରାନ୍‍ରେ’ ଗାଇଲା କଣ୍ଠ ତା’ର ଥରି ଉଠୁଥିଲା । ଘଣ୍ଟା, କରତାଳ, ମୃଦଙ୍ଗର ତାଳେ ତାଳେ ସ୍ୱର ତା’ର ବେତାଳ ହେଇଯାଉଥିଲା । ସେଇ ବୈତାଳିକ ବେତାଳ ଲୀଳା ଗାନ ଭିତରେ ପୃଥୁଳ ମହନ୍ତ ମହାରାଜ ମାର୍ବଲ ସ୍ତମ୍ଭକୁ ଆଉଜି ଘୁଙ୍ଗୁଡ଼ି ମାରୁଥିଲେ ।

 

ଶେଷ କୀର୍ତ୍ତନ ବଢ଼ିଲା । ପ୍ରୀତିନନ୍ଦା ଫେରିଆସିଲା ତା’ର ପ୍ରକୋଷ୍ଠକୁ । ମାତୃହୀନା ପ୍ରୀତିନନ୍ଦା, ବାଲ୍ୟବିଧବା ପ୍ରୀତିନନ୍ଦା ଆଜି ସନ୍ନ୍ୟାସିନୀ । କୈଶୋର ଜୀବନରୁ ସେ ପୁରୁଷର ଲୋଲୁପ ଦୃଷ୍ଟିକୁ ଏଡ଼ାଇ ଆସିଛି...କିଏ ଚାହିଁଛି ରାତିଟିଏ, କିଏ ଚାହିଁଛି ମୁହୂର୍ତ୍ତଟି...ସେ ଚାହିଁଛି ଜୀବନ...ଜୀବନ... । ମହନ୍ତ ମହାରାଜ କହିଛନ୍ତି, ତା’ର ପ୍ରେମିକ ଭଗବାନ...ତା’ର ପ୍ରେମିକ ସେଇ ନନ୍ଦନନ୍ଦନ ବଂଶୀବଦନ, ଗୋପୀବଲ୍ଲଭ, ପ୍ରେମିକ ଶ୍ରେଷ୍ଠ କୃଷ୍ଣ, ସେ ଆସିବେ । ମହନ୍ତ କହିଛନ୍ତି, କୃଷ୍ଣ ଆସିବେ, ନିଶିଥ ଘନ ଅନ୍ଧକାରରେ ଦିନେ ସେ ଆସିବେ...

 

ମଥା ଉପରେ ତା’ର ରାଧାକୃଷ୍ଣଙ୍କ କ୍ୟାଲେଣ୍ଡର ଝୁଲୁଛି । ଏଇ ରାଈ ଲାଗି କାହ୍ନୁ ମୋର ଆସୁନାହାନ୍ତି । କ୍ୟାଲେଣ୍ଡର ପାଖରେ ଠିଆହେଲା ପ୍ରୀତିନନ୍ଦା । ସେଇ ଅଙ୍ଗଭଙ୍ଗୀ, ସେଇ ଠାଣି ଅନୁକରଣ କରୁ କରୁ ସେ ବିବସ୍ତ୍ରା ହୋଇଗଲା...ମହମବତୀର ଆଲୋକରେ ସେ ସ୍ପଷ୍ଟ ଦେଖୁଥିଲା–ଯେ ରାଈଠାରୁ ଅସୁନ୍ଦର ହେଇଯାଇଛି...ତା’ର ଉନ୍ନତ ସ୍ତନ ଶିଥିଳ ହୋଇଯାଇଛି । ବେକ ତଳେ କଳା କଳା ଦାଗ...କଟିରେ ମେଦ ଜମିଯାଇଛି । ଜଙ୍ଘର ମସୃଣତା ନଷ୍ଟ ହୋଇଯାଇଛି-! ତା’ର କମନୀୟ ଦେହ ଆଉ ନାହିଁ । ସେ ବୁଢ଼ୀ ହୋଇଛି...ସେ ବୁଢ଼ୀ ହୋଇଯାଇଛି...ସତେଇଶ ପୌଷର ସ୍ପର୍ଶରେ ବୁଢ଼ୀ ହୋଇଯାଇଛି । ସେ ପଛକୁ ତା’ର ଚାହିଁଲା...ପରିପୂର୍ଣ୍ଣ ନିତମ୍ୱ...ତା’ଦେହର ସବୁଠାରୁ ସୁନ୍ଦର ଅଂଶ ‘ନ କୁରୁ ନିତମ୍ୱିନୀ, ଗମନବିଳମ୍ୱିନ...’ । ସେ ରାଈ...କାହ୍ନୁ ତା’ର ଆସିବେ, କାହ୍ନୁ ତା’ର ଆସିବେ, ବୟସରେ ତା’ର ସୌନ୍ଦର୍ଯ୍ୟର ଅବଶେଷ ରଖିଯାଇଛି ନିତମ୍ୱର ବିପୁଳତାରେ...କାଳହୀନ ସୌନ୍ଦର୍ଯ୍ୟ ।

 

‘ହେ କୃଷ୍ଣ ! ଥରେ ଆସ, ଥରେ ମାତ୍ର ରଚିବା ଆମେ ନିଧୁବନ । ଏଇ ତ ତମେ ରାଈର କୁଚ ଯୁଗଳରେ ବାହୁ ଚାପି ବଂଶୀବାଦନ କରୁଛ ପ୍ରିୟ ! ଏଇ ଥରେ, ଆଜି ରାତିକ ଆସିବନି ରାଈ, ଭଉଣୀ ମୋର, ଥରେ କୃଷ୍ଣଙ୍କୁ ଦିଅ ମୋତେ...ଥରୁଟିଏ, ଥରୁଟିଏ...ତୁମେ ପରା କୁହ, କୃଷ୍ଣ ଯେଉଁ ଗୋପୀକୁ ଚାହାଁନ୍ତି, ତୁମେ ସେଇ ଗୋପୀର ପାଦତଳେ ପଡ଼ି ତାକୁ ଆଣି କୃଷ୍ଣଙ୍କୁ ଭେଟାଇ ଦିଅ । କୃଷ୍ଣ କ’ଣ ମତେ ଚାହାଁନ୍ତି ନାହିଁ... ? ଥରୁଟିଏ ମତେ ଆଲିଙ୍ଗନ କର କୃଷ୍ଣ, ଥରୁଟିଏ ମତେ ଚୁମ୍ୱନ କର...ଥରୁଟିଏ ମତେ ଚାପି ଧର ମତେ, ତୁମ କରପଲ୍ଲବରେ ମଥିତ କର...ମତେ ଦଳି ଦିଅ ଦେବତା ! ହେ ପ୍ରେମିକ, କାହ୍ନୁ ମୋର ! ଏ ଅଧର, ଏ ଗଣ୍ଡ, ଏ ସ୍ତନ, ଏ ନିତମ୍ୱ ସବୁ ତୁମର...ତୁମରି ଲାଗି । ଗୀତଗୋବିନ୍ଦ ଗାଇଲେ ପରା ତୁମେ ଆସ ! ମୁଁ ତ ରାତି ରାତି ଗାଉଛି...ତୁମେ ଆସିବନି ? ଥରେ, ଖାଲି ଥରେ । ମହନ୍ତ କହିଛନ୍ତି, ତୁମେ ଆସିବ ବୋଲି । ସତେ ତୁମେ ଆସିବନି ? ମହନ୍ତ ତାହାହେଲେ ମିଛ କହିଛନ୍ତି ? ହଁ, ମିଛ କହିଛନ୍ତି ।

 

ବୃଦ୍ଧ ମହନ୍ତ ମହାରାଜ...ବିଶାଳ ବପୁ, ବିପୁଳ ଉଦର ପୃଥୁଳ ମହନ୍ତ ମହାରାଜ ବାଳବ୍ରହ୍ମଚାରୀ । ନାରୀର ଛାଇ ସ୍ପର୍ଶ କଲେ ସେ ଶୁଦ୍ଧସ୍ନାନ କରନ୍ତି । ତାଙ୍କର ଚରିତ୍ର ସମ୍ପର୍କରେ ପ୍ରୀତିନନ୍ଦା କାହାଠାରୁ କିଛି ଶୁଣି ନାହିଁ । ଭାରି ସ୍ନେହୀ ମହନ୍ତ ମହାରାଜ । ଦୀର୍ଘ ଚାରିବର୍ଷ ଅବସ୍ଥାନ ଭିତରେ ଦିନେ ହେଲେ ସେ ପ୍ରୀତିନନ୍ଦା ଉପରେ ରାଗି ନାହାନ୍ତି । ପ୍ରୀତିନନ୍ଦା ଭୁଲ୍ କରେ, ତୁଳସୀ ଦେଉ ଦେଉ ବେଲପତ୍ରୀ ଦେଇଦିଏ, ବିଳମ୍ୱରେ ଶଯ୍ୟାତ୍ୟାଗ କରେ, ମହନ୍ତ ମହାରାଜ ରାଗନ୍ତି ନାହିଁ...ଗାଳି ଦିଅନ୍ତି ନାହିଁ । ପ୍ରୀତିନନ୍ଦାଙ୍କୁ ଡାକି ବୁଝାନ୍ତି–ତୋ ଦୁଃଖ କିଏ ବୁଝିବ ପ୍ରୀତି ! ସେଇ କେବଳ ବୁଝିବେ, ତାଙ୍କୁ-ଇ ଡାକ...ସେଇ ରାଧାମାଧବ...’

 

ଉଲଗ୍ନ ପ୍ରୀତିନନ୍ଦା ଉଠିଆସିଲା ବାହାରକୁ, ସେ କଦମ୍ୱମୂଳକୁ । ଏଇଠି ରାଧାମାଧବ ବସ୍ତ୍ରହରଣ କରିଥିଲେ ଗୋପୀତନୁର ନଗ୍ନ ସୁଷମା ଦେଖିବା ଲାଗି । ସେ ଆଜି ଉଲଗ୍ନ, କାହାନ୍ତି ରାଧାମାଧବ, କାହାନ୍ତି ? ମହନ୍ତ ମହାରାଜ ମିଛ କହିଛନ୍ତି, ହଁ ମିଛ କହିଛନ୍ତି । ସେ ପଚାରିବ ମହନ୍ତ ମହାରାଜଙ୍କୁ–କାହିଁକି ସେ ମିଛ କହିଲେ ? ପ୍ରୀତିନନ୍ଦା ମହନ୍ତ ମହାରାଜଙ୍କ ପ୍ରକୋଷ୍ଠକୁ ପ୍ରବେଶ କଲା ।

 

ପିଲ୍ଲିସଜ ଉପରେ ଜ୍ୱଳନ୍ତ ପ୍ରଦୀପ । ପତଙ୍ଗଟିଏ ଉତ୍ତପ୍ତ ତୈଳ ଭିତରେ ପଡ଼ି ଛଟପଟ ହେଉଛି । ପ୍ରୀତିନନ୍ଦା ଚାହିଁରହିଛି ଆଗରେ । ଶୁଭ୍ରଫେନନିଭ ଶଯ୍ୟାରେ ସୁପ୍ତ ମହନ୍ତ ମହାରାଜ । ଘୁଙ୍ଗୁଡ଼ି ମାରୁଛନ୍ତି । ବୃଦ୍ଧ, ମେଦବହୁଳ ମହନ୍ତ ମହାରାଜ । ନୀବି ବନ୍ଧନ ଶିଥିଳ ହୋଇଯାଇଛି । ସେଇ ପୃଥୁଳ ଉଦର । ଲୋମଶ ଜଙ୍ଘ ଭିତରେ ପ୍ରୀତିନନ୍ଦାର ଆତ୍ମା ହଜି ଯାଉଥିଲା । ମହନ୍ତ ପାର୍ଶ୍ୱ ପରିବର୍ତ୍ତନ କଲେ । ବିଶାଳ ଚରମ...ପୁରୁଷୋକାର କଟୀ । ଶକ୍ତ ଜାନୁ । ମହନ୍ତ ଘୁଙ୍ଗୁଡ଼ି ମାରୁଥିଲେ-। ପତଙ୍ଗଟା ଉତ୍ତପ୍ତ ପ୍ରଦୀପରେ ଆଉ ଛଟପଟ ହେଉ ନାହିଁ । ମରିଗଲା, ମୁକ୍ତି ପାଇଗଲା । ମହନ୍ତ ମହାରାଜ ଶୋଇଛନ୍ତି । ଭଣ୍ଡା, ଜଙ୍ଘ ବିବସ୍ତ୍ର ହୋଇଛି । ଇସ୍ ! କି ସୁନ୍ଦର ଜଙ୍ଘ, ମସୃଣ ଭଣ୍ଡା । ସେ ତ ଦିନେହେଲେ ମହାରାଜଙ୍କ ପଦସେବା କରିନି । ସେ ମୁକ୍ତି ପାଇବ କେମିତି-? ମହନ୍ତ ମହାରାଜ ତ ନାରୀସ୍ପର୍ଶ କଲେ ଶୁଦ୍ଧସ୍ନାନ କରିବେ । ତା’ଉପରେ ରାଗିବେ, ମଠରୁ କ’ଣ ବାହାର କରିଦେବେ-? ଯାହାହେଉ, ସେ ପଦସେବା କରିବ ।

 

ସେ ଧୀରେ ଧୀରେ ମହନ୍ତ ମହାରାଜଙ୍କ ନଗ୍ନଭଣ୍ଡା, ନଗ୍ନ ଜାନୁରେ ହାତ ଚାପିଲା । ‘କିଏ-?’ ମହନ୍ତ ପଚାରିଲେ । ପ୍ରୀତିନନ୍ଦା ଭୟରେ ଥରୁଥିଲା...‘‘କିଏ ଦେବୀ ?’’ ଉଜ୍ଜ୍ୱଳ ପ୍ରଦୀପାଲୋକରେ ପ୍ରୀତିନନ୍ଦା ଦେହର ଅପୂର୍ବ ନଗ୍ନ ସୁଷମା । ‘ମୁଁ...ମୁଁ...ମାନବୀ...ମହାରାଜ ପ୍ରୀତି...’

 

–ପ୍ରୀତି !

 

–ଆଜ୍ଞା !

 

–କାହିଁକି, କାହିଁକି ତୁ ଉଲଗ୍ନ ?

 

–ମତେ ଭଣ୍ଡୁଛନ୍ତି କାହିଁକି ମହାରାଜ ?

 

–ଭଣ୍ଡୁଛି ? ମୋର ଶକ୍ତି କାହିଁ ଭଣ୍ଡିବାପାଇଁ ? ତୋ ଦୁଃଖ ବୁଝୁଛି...ମୁଁ ବୃଦ୍ଧ ପ୍ରୀତି, ମୁଁ ଶକ୍ତିହୀନ; ଅଥର୍ବ... ତୁ ରାଧାମାଧବଙ୍କୁ ଡାକ ପ୍ରୀତି...ରାଧାମାଧବଙ୍କୁ ।

 

–ନାଁ ନାଁ, ପାରିବିନି । ମୁଁ ଲଙ୍ଗଳା ହୋଇ ଜନ୍ମ ହୋଇଛି ।

 

–ତୁ କ’ଣ କହୁଛୁ ପ୍ରୀତି ?

 

–ମୁଁ ଠିକ୍ କହୁଛି । କେବଳ ଏଇ ଦେହ ସତ, ଆଉ ସବୁ ମିଛ, ଖାଲି ମିଛ ।

 

‘‘ମୁଁ ସହିପାରୁନି ତୋର ଏ ରୂପ ।’’ ମହନ୍ତ ମହାରାଜ ପ୍ରଦୀପ ଲିଭାଇଦେଲେ ।’

 

–‘‘ଦେଖିଲେନି ମୋ ଦେହ ! କାହ୍ନୁ ମୋର, କାହ୍ନୁ–ମୋର, କାହ୍ନୁ ମୋର’’ କହୁ କହୁ ପ୍ରୀତିନନ୍ଦା ମହନ୍ତ ମହାରାଜଙ୍କୁ ନିବିଡ଼ ଆଲିଙ୍ଗନ ଭିତରେ ଚାପିଧରି ଚୁମ୍ୱନ ପରେ ଚୁମ୍ୱନ ଢାଳି ଦେଇଗଲା । ‘‘ଅନ୍ଧାରରେ ଦେଖି ପାରିବେନି ମହାରାଜ ମୋ ଦେହ, ଅନୁଭବ କରନ୍ତୁ । ମହନ୍ତ ମହାରାଜଙ୍କ ମେଦବହୁଳ ଉଦରରେ ଚୁମ୍ୱନ କଲା ପ୍ରୀତିନନ୍ଦା...

 

‘‘ଇସ୍ ! କାହ୍ନୁ ତୁମେ ସୁନ୍ଦର,’’ ମହନ୍ତ ମହାରାଜଙ୍କ ହାତ ଟାଣିନେଲା ନିଜ ଛାତି ଉପରକୁ...’’ଏଇ ଗିରି ଗୋବର୍ଦ୍ଧନ... କାହ୍ନୁ ମୋର...କାହ୍ନୁ ମୋର...’’

 

–ପ୍ରୀତି, ବାୟାଣୀ ହୋଇଗଲୁ, ମୋର ଶକ୍ତି ନାହିଁ । ମୋର କିଛି ନାହିଁ । ମୁଁ ବୃଦ୍ଧ, ଅପାରଗ...ଅଥର୍ବ ।

 

–କାହ୍ନୁ, ତୁମେ ଅପାରଗ ? କିଏ କହିଲା ତୁମେ ଅପାରଗ, ତୁମେ ଅଥର୍ବ, ତୁମେ ବୃଦ୍ଧ !

 

ସେ ଏକ ଅପୂର୍ବ ଶିଳ୍ପ । ସେ ଶିଳ୍ପର ସୃଷ୍ଟି ପୃଥିବୀର ସୃଷ୍ଟି ଦିନରୁ, ଅତି ପୁରାତନ ନିତ୍ୟନୂତନ । ପ୍ରୀତିନନ୍ଦା ଚଞ୍ଚଳ ହୋଇଉଠିଛି । ପଦ ଯୁଗଳରେ ସେଇ ଛନ୍ଦ, କଟୀ ଚାଳନାରେ ଅପୂର୍ବ ମୂର୍ଚ୍ଛନା, ପ୍ରତି ଅଙ୍ଗେ ଅଙ୍ଗେ ଆବେଗ...ଆବେଦନଶୀଳତା, ପ୍ରତି ଲୋମକୂପେ ସ୍ପନ୍ଦନ । ମହନ୍ତ ମହାରାଜ ନବଜୀବନ ପାଇଛନ୍ତି, ପାଇଛନ୍ତି ନବଯୌବନ...ନୂତନ ଶକ୍ତି ସଞ୍ଚାର ହୋଇଛି ତାଙ୍କ ପେଲବ ବିପୁଳ ତନୁରେ ।

 

ମହନ୍ତ ମହାରାଜଙ୍କୁ ତା’ର ନଗ୍ନ ବାହୁ ଯୁଗଳରେ ଭିଡ଼ିଧରି ପ୍ରୀତିନନ୍ଦା କାନ୍ଦି ଉଠୁଥିଲା–

 

‘‘ତୁମେ ମତେ ମୁକ୍ତି ଦେଲ କାହ୍ନୁ ମୋର...ମତେ ମୁକ୍ତି ଦେଲ...ମତେ ମୁକ୍ତିଦେଲ...’’ ପ୍ରୀତିନନ୍ଦାର କଣ୍ଠରେ ଆର୍ଦ୍ରତା ।

 

ରାତ୍ରି ଗଭୀର ହେଲା–ଦିଗନ୍ତରେ ଚନ୍ଦ୍ର ନିଭିଗଲା । ମହନ୍ତ ମହାରାଜଙ୍କ ଲୋମଶ ଛାତି ଭିତରେ ନାକ ଗୁଞ୍ଜି ପ୍ରୀତିନନ୍ଦା କହିଲା–

 

ଶୁଦ୍ଧସ୍ନାନ କରିବାକୁ ଯିବେନି କି ମହାରାଜ ?

 

–ଉଁ...ହୁଁ ।

 

ମହନ୍ତ ମହାରାଜ ଭିଡ଼ିଧରିଲେ ପ୍ରୀତିନନ୍ଦାର...ମାଂସଳ ଦେହକୁ ବଜ୍ରମୁଷ୍ଟିରେ...ତାଙ୍କର ସମସ୍ତ ଶକ୍ତି ଦେଇ...ଏଥର ଶିଳ୍ପ ରଚନା କଲେ ମହନ୍ତ ମହାରାଜ...ପ୍ରୀତିନନ୍ଦାର ଲୋମବହୁଳ ବାହୁମୂଳର ସ୍ୱେଦ ଗନ୍ଧରେ ହଜିଗଲେ ମହନ୍ତ ମହାରାଜ...

 

ମହନ୍ତଙ୍କ ପୃଥୁଳ ଉଦର ଉପରେ ପ୍ରୀତିନନ୍ଦା ଢାଳୁଥିଲା ଅଶ୍ରୁ...

 

–‘‘କାହୁଁ ଏତେ ଶକ୍ତି ପାଇଲ କାହ୍ନୁ ମୋର ! ଏତେ ବଳ ତୁମ ଦେହରେ ଅଛି ? କାହ୍ନୁ ମୋର, ପ୍ରାଣ ମୋର, ରାଈ ତୁମ ଛାତି ତଳେ ମରିଯାଉ, ମୁକ୍ତି ପାଉ...’

 

ମହନ୍ତ ମହାରାଜ ନୀରବରେ ଅନୁଭବ କରୁଥିଲେ ପ୍ରୀତିର ବନ୍ଧୁର ଦେହର କଠିନତା ।

 

–କ’ଣ ଦେଖୁଛ କାହ୍ନୁ...ଏ ଯେ ଅନ୍ଧକାର...ପ୍ରଦୀପ ଜାଳିବି ?

 

ମହନ୍ତ ମହାରାଜ ନୀରବ ରହିଲେ ।

 

–କାହ୍ନୁ, ତୁମକୁ ମୁଁ ଦେଖିବି...ଦେଖିବି ତମ ଦେହର ସମସ୍ତ ପୌରୁଷ...ପୁରୁଷାକାର ।

 

–ବହୁ ବିଳମ୍ୱରେ ଆସିଲୁ ପ୍ରୀତି, ଦେଖିବାର କିଛି ନାହିଁ ଏ ବୃଦ୍ଧ ଶରୀରରେ, ପ୍ରୀତି କିଛି ନାହିଁ । କୁତ୍ସିତ, କଦାକାର ଦେହ ଦେଖି ଘୃଣା କରିବୁ ମତେ । ନିଜକୁ ଘୃଣା କରିବୁ, ବହୁ ବିଳମ୍ୱରେ ଆସିଲୁ ଏଠିକି । ବହୁ ବିଳମ୍ୱରେ ଜନ୍ମହେଲୁ ପ୍ରୀତି, ବହୁ ବିଳମ୍ୱରେ...

 

–‘‘ତୁମେ କୁତ୍ସିତ, କିଏ କହେ କାହ୍ନୁ ?’’

 

ପ୍ରଦୀପ ଜଳାଇଦେଲା ପ୍ରୀତି...

 

–ଇସ୍, କି ସୁନ୍ଦର ତମେ, କି ସୁନ୍ଦର ତୁମର ଏ ଦେହ କାହ୍ନୁ, ଏତେ ସୁନ୍ଦର ଦେହ କେବଳ ମୋରି ପାଇଁ ନୁହେଁ କାହ୍ନୁ, କୁହ ଥରେ କାହ୍ନୁ, ‘‘ତୋରି ପାଇଁ ତୋରି ପାଇଁ !’’

 

–‘‘ତୋରି ପାଇଁ’’ ମହନ୍ତ ପ୍ରୀତି କୋଳରେ ମଥା ଗୁଞ୍ଜିଲେ ।

 

ପ୍ରାତଃକୀର୍ତ୍ତନ ଚେଲାବାବାମାନେ ଆରମ୍ଭ କରିଦେଇଥିଲେ–‘‘ଯେ ଜନ ଭଜେ କ୍ରିଷ୍ଣେର ନାମ ସେ ହୟ ଆମାର ପ୍ରାନ୍‍ରେ–’’

 

ପ୍ରୀତିନନ୍ଦା ମହନ୍ତ ମହାରାଜଙ୍କ ପୃଥୁଳ ମେଦବହୁଳ ଉଦରର ଗଭୀର ନାଭିରେ ରସନା ଚାଳନା କରୁଥିଲା, ସେଇ ଗଭୀର ନାଭି ଭିତରେ ଅନୁଭବ କରୁଥିଲା ସୃଷ୍ଟିର ପୂର୍ଣ୍ଣ ପରିପୂର୍ଣ୍ଣ ସତ୍ତା ।

 

(‘ରବିବାସରୀୟ ପତ୍ର’ରେ ପ୍ରକାଶିତ; ରବିବାସରୀୟ ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ ।)

☆☆☆

 

ବିନିମୟ

 

ଏପ୍ରିଲର ସେ ଏକ ରବିବାସରୀୟ ଅପରାହ୍ନ । କଟକର ସେଇ ଛୋଟ ପିକ୍‍ନିକ୍ ପାର୍ଟିର ଆଗମନରେ ନନ୍ଦନକାନନରେ ଗହଳି । ପାର୍ଟିରେ ଆସିଥିଲେ ସ୍ୱସ୍ତି ଇଣ୍ଡଷ୍ଟ୍ରିଜ୍‍ର ଡିରେକ୍ଟର ଅଶୋକ ଜେନା, ତାଙ୍କ ସ୍ତ୍ରୀ ଚିତ୍ରଲେଖା ସତ୍ୟବତୀ, ତାଙ୍କ ସ୍ୱାମୀ ଗଣିତ ଅଧ୍ୟାପକ ଦେବାଶିଷ ପଟ୍ଟନାୟକ । ଷ୍ଟାଣ୍ଡାର୍ଡ଼ ହାରାଲଡ଼ଟା ବଂଲୋ ପାଖରେ ପାର୍କ କରି ରହିଥିଲା । ଦେବାଶିଷ ଓ ସୁଲେଖା ମାଛ ଧୋଇବାକୁ ଯାଇଥିଲେ ।

 

ସତ୍ୟବତୀ ଖଣ୍ଡେ ଚିକ୍‍କଣ ପଥର ଉପରେ ନଇଁପଡ଼ି ବେସର ବାଟୁଥାନ୍ତି । ବେସର ବାଟିବାରେ ତାଙ୍କର ତନୁଲତା ଦୋଳିତ ହେଉଥାଏ । ମାଂସବହଳ ଛାତି ଉପରୁ ପଣତଟା ଅବଲୀଳାକ୍ରମେ ଖସି ଆସିଥାଏ । ଅଶୋକ ଗ୍ରାମଫୋନରେ ରେକର୍ଡ଼ ବଦଳାଇଲାବେଳେ, ଅନିମେଷ ନୟନରେ ଚାହିଁ ଦେଖୁଥିଲେ, ସ୍ଳିଭଲେସ୍ ବ୍ଲାଉଜ ତଳେ ଦିପିଲ୍, ମାୟା...ମାଂସଳ ଲୋମହୀନ ଉଜ୍ଜ୍ୱଳ ବାହୁମୂଳରେ ଆଞ୍ଚୁରା ଦାଗ... । (କଲେଜ ଜୀବନରେ ସାଥିହୋଇ ଖଣ୍ଡିଏ ସିଗାରେଟ୍ ଖାଇଲାବେଳେ ଦେବାଶିଷ କହୁଥିଲା, ‘ମୋର ସ୍ତ୍ରୀ ଥିଲେ ତତେ ମୁଁ ଅଂଶୀଦାର କରନ୍ତି-।’)

 

ଦେବାଶିଷ, ଲେଖା ଫେରିଆସିଲେ । ଦେବାଶିଷ, ଅଶୋକ ବ୍ୟସ୍ତ ରହିଲେ କ୍ରସ ପଜ୍‍ଲରେ । ଲେଖା ଓ ସତ୍ୟବତୀ ରାନ୍ଧୁଥିଲେ, ରେକର୍ଡ଼ରୁ ଭାସି ବୁଲୁଥାଏ ‘ଆମାୟେ ତୁମି ଯେ ଭାଲ ବେସେଛ ଜୀବନେ ତାଇ, ଦୋଲା ଲାଗାଲେ ।’

 

ରନ୍ଧା ସରିଲା । ସମସ୍ତେ ଏକାସାଥିରେ ଖାଇବା ଆରମ୍ଭ କଲେ । ସତ୍ୟବତୀ ଲେଖା ପାଟିରେ ମାଛଭଜା ଖଣ୍ଡେ ଦେଲେ । ଲେଖା ମାଛଭଜା ଖଣ୍ଡେ ଦେବାଶିଷ ପାଟିରେ ଦେଲା । ଅଶୋକ ମାଛ ଖାଏନି ।

 

ଖାଇସାରି ସମସ୍ତେ ଆସିଲେ ଡଙ୍ଗାକୁ । ଲେଖା ଆହୁଲାମାରି ବସିଲା । ତା’ ବାପା ବୌଦରେ ଏସ୍.ପି. ଥିଲାବେଳେ ସେ ସାତକୋଶିଆ ଗଣ୍ଡରେ ଆହୁଲା ମାରି ଡଙ୍ଗା ଖେଳିଛି, ନିଜେ ଖେଳିବ ଓ ଅନ୍ୟକୁ ଖେଳାଇବାରେ ତା’ର ସବୁଦିନେ ଆନନ୍ଦ ।

 

ଦୁଇଟି ହରିଣ, ଦୁଇଟି ହରିଣୀ କୂଳେ କୂଳେ ଯାଉଥାନ୍ତି । ‘କିଏ କାହାର ସ୍ୱାମୀ, କିଏ କାହାର ସ୍ତ୍ରୀ ?’ ପ୍ରଶ୍ନ କଲା ଅଶୋକ ।

 

‘‘ଥରୁଟିଏ ରତି ପରେ ସ୍ୱାମୀ, ସ୍ତ୍ରୀର ପରିବର୍ତ୍ତନ ହୁଏ ସେମାନଙ୍କର’’ -ଲେଖା କହିଲା ।

 

ଦେବାଶିଷ ଲେଖାକୁ କହିଲା, ‘‘ଗୋଟେ ଗୀତ ଗାଆନ୍ତୁ ମିସେସ୍ ଜେନା ।’’

 

‘‘ଗୀତ, ପୁଣି ମୁଁ ଗାଇବି ?’’ ହସିଉଠିଲା ଚିତ୍ରଲେଖା ।

 

‘‘କାହିଁକି ? ଆପଣ ଗାଇବେନି ?’’ ଦେବାଶିଷ କଣ୍ଠରେ ଦୃଢ଼ତା ।

 

‘‘ମୁଁ ଗୀତ ଗାଏ କେବଳ ଜଣକ ପାଇଁ ।’’ ଶୁଣି ହସିଲା ଲେଖା ।

 

‘‘କିଏ ସେ ଭାଗ୍ୟବାନ, ନିଶ୍ଚୟ ଅଶୋକ !’’ –ଦେବାଶିଷ ଏଥର ହସିଲା ।

 

‘‘ନା, ମୋର ବାଥ୍‍ରୁମ୍ ଆଉ ଟମି ମାଇଁ ପେଟ୍ ଡଗ୍ !’’

 

‘‘ତୁ ଗାଆ ଦେବାଶିଷ ! କଲେଜରେ ତ ଗାଉଥିଲୁ ।’’ ଅଶୋକ କହିଲେ ।

 

ଶେଷରେ ଦେବାଶିଷ ଗଳା ଝାଡ଼ି ଗୀତ ଆରମ୍ଭ କଲା, ‘‘ଯେ ଗାନ, ତୁମାୟେ ଆମି ଶୁନାତେ ଚେୟେଛି ବାର-ବାର ।’’

 

ଦେବାଶିଷ ଗୀତ ଗାଇଲା ପରେ ବିନା ଅନୁରୋଧରେ ଲେଖା ଗୀତ ଗାଇଲା । ସେ ଗୀତ ଗାଇଲାବେଳେ ତା’ର ଆଖିରେ କେତେବିନ୍ଦୁ ଅଶ୍ରୁ ଦେଖିପାରିଥିଲା ଦେବାଶିଷ । ଗାଉଥିଲା ।

 

‘‘ରତି ପ୍ରତିମା ମୁଁ ପ୍ରେମର ମୂରତି ପାଷାଣର ତନୁ ଧରି’’ ଏ ଗୀତଟି ସରିଲା; ଆଉ ଗୋଟିଏ ଗାଇଲା । ଏଥର ସେ ଗାଇଲା ଆହୁରି ଦରଦ ଦେଇ, ଏ ଜୀବନ ଏତେ ନିଛାଟିଆ, ସବୁ ରୁଚିର ମଣିଷ ଆସ, ମୋ ସାଥିରେ ଖେଳିଯାଅ, ତୁମ ସ୍ଥାନ ତୁମେ ବାଛିନିଅ ବନ୍ଧୁ ବାଛିନିଅ । ଗୀତ ବନ୍ଦ କଲା ଲେଖା । ତରଙ୍ଗରେ ଭାସିଯାଉଥିଲେ ହଂସମିଥୁନ, ମୈଥୁନରତ ରାଜହଂସ ବନହଂସୀ, ରାଜହଂସ ଚାଲିଗଲା, ଆଉ ଗୋଟିଏ ରାଜହଂସ ଆସିଲା, ସେ ବି ସୃଜନ କଲା ।

 

‘‘ଦେଖୁଛ, ଅଶୋକ–ଦେଖୁଛ ହଂସଲୀଳା ।’’

 

–‘‘ଦେଖୁଛି, କେତେ ମୁକ୍ତ !’’

 

–‘‘ମଣିଷ କ’ଣ ମୁକ୍ତ ନୁହେଁ ?’’ ପଚାରିଲା ଲେଖା ।

 

–‘‘ଖାଲି ରିକ୍ତ’’ –ଦେବାଶିଷ କହିଲା ।

 

‘‘ଏଥର ଯିବା ଦେବାଶିଷ, ସନ୍ଧ୍ୟା ହେଲାଣି–ମେଘ ବି ଆସିଲାଣି ।’ –ଅଶୋକ କହିଲା-

 

‘‘କାର୍‍ ତ ଅଛି, କେତେ ସମୟ ଲାଗିବ ଯେ କଟକକୁ !’’ –ଲେଖା କହିଲା ।

 

‘‘ଭୁଲିଯାଉଛ ଯେ, ତୁମ କାର୍‍ଟା ଓପନ୍ କାର’’–

 

‘ହଁ ଚାଲିଯିବା, ମୋ ପୁଅ କାନ୍ଦୁଥିବ’ ସତ୍ୟବତୀ କହିଲେ ।

 

‘ମୋର କାନ୍ଦିବାପାଇଁ କେହି ନାହାନ୍ତି’ ଲେଖା ହସିଉଠିଲା ।

 

ସମସ୍ତେ ଆସି ଗାଡ଼ିରେ ବସିଲେ । ଲେଖା ଡ୍ରାଇଭ୍ କରୁଥିଲା, ଫଳନ୍ତ କ୍ଷେତର ଘୁମନ୍ତ ଶ୍ରୀ ଭିତରେ ଗତିଶୀଳ ଷ୍ଟାଣ୍ଡାର୍ଡ଼ କାର୍ କେତୋଟି ମାଇଲ ଅତିକ୍ରମ କରିଛି, ହଠାତ୍ ବର୍ଷା ଆରମ୍ଭ ହୋଇଗଲା । ସମସ୍ତେ ବର୍ଷାରେ ଜୁଡ଼ୁବୁଡ଼ୁ ହୋଇ ଭିଜିଗଲେ । ସେଇ ବର୍ଷାରେ କାର୍‍କୁ ଆଗେଇନେଲା ଲେଖା ପାଲେନଖରା ବଂଲୋକୁ । ବଂଲୋ ବାରନ୍ଦାରେ ଠିଆହେଲେ ଅଶୋକ, ଲେଖା, ସତ୍ୟବତୀ । ଦେବାଶିଷ ଚୌକିଦାରକୁ ଡାକିବାକୁ ଗଲେ । ଚୌକିଦାର ଆସିଲା ।

 

–ଆଜ୍ଞା, ଗୋଟିଏ ସୁଟ୍ ଖାଲି ଅଛି–ଆଉ ସବୁ ସୁଟ୍ ସାହେବ ଚାବିଦେଇ ଯାଇଛନ୍ତି ।

 

ହେଉ, ସେଇ ସୁଟ୍‍ଟି ଖୋଲିଦିଅ, ଲଣ୍ଠନ ଦିଅ, –ଅଶୋକ କହିଲେ ।

 

ଆଜ୍ଞା, ତେଲ ସରି ଯାଇଛି...ବର୍ଷାରେ ଯିବି କିପରି ?

 

–ବେଶ୍ ଖୋଲିଦିଅ ?

 

ଚୌକିଦାର ଖୋଳିଦେଲା ସୁଟ୍‍ଟି । ଛୋଟ ଏକ ବଖରା, ଗୋଟିଏ ଖଟ । ଖଟ ଉପରକୁ ସ୍କାଇଲାଇଟ ଦେଇ ପାଣିଛାଟ ମାରୁଛି । ବାରଣ୍ଡାରେ ଅଶୋକ-ଦେବାଶିଷ ଠିଆହେଲେ । ଘର ଭିତରେ ଲେଖା, ସତ୍ୟବତୀ ଲୁଗା ଖୋଲି ଚିପୁଡ଼ୁଥିଲେ । ଲେଖାର ମହମ ଚିକ୍‍କଣ ମାଂସଳ ପୃଷ୍ଠ ଦେଖି ଦେବାଶିଷ କହିଲା, ତୋ ସ୍ତ୍ରୀ ବଡ଼ ସୁନ୍ଦର ।

 

–ଆଉ ତୋ ସ୍ତ୍ରୀ କ’ଣ ଅସୁନ୍ଦର ?

 

–ଅସୁନ୍ଦର ନୁହେଁ ଯେ, କିନ୍ତୁ ତୋ ସ୍ତ୍ରୀ ଭଳି ନୁହେଁ ।

 

–ତେବେ ବିନିମୟ ହୋଇଯାଉ ଦେବାଶିଷ ।

 

–ପାରିବା ?

 

ଚୌକିଦାର ବିଛଣା ଦେଇଗଲା । ଗୋଟିଏ ବିଛଣା । ତଳେ ବିଛଣା ହେଲା, ଖଟରେ ଦେବାଶିଷ, ସତ୍ୟବତୀ; ତଳ ବିଛଣାରେ ଲେଖା, ଅଶୋକ ଶୋଇଲେ । ଘରସାରା କ୍ରୁସ୍‍ବିଦ୍ଧ ଅନ୍ଧକାର...ଅନ୍ଧକାର ଭିତରେ ଲେଖା ତା’ର ସିକ୍ତ ପରିଧେୟକୁ ଭିନ୍ନ କରିଦେଇଥିଲା । ଚୁପଚୁପ୍ ଦେବାଶିଷ ସତ୍ୟବାଦୀକୁ କହୁଥିଲେ, ଓଦା ଶାଢ଼ି ଖୋଲିଦିଅ, ଦେହ ଖରାପ ହେବ । ବାହାରେ ବର୍ଷା ସହ କୁଆପଥର ବୃଷ୍ଟି ହେଉଛି । ଦ୍ୱାରରୁଦ୍ଧ ପ୍ରକୋଷ୍ଠ ଭିତରେ ଦୁଇଟି ପରିବାର, ଦୁଇଟି ଦମ୍ପତି-

 

ଦେବାଶିଷ ସ୍ପର୍ଶ କରି ଦେଖିଲେ କଟୀଦେଶର ଊର୍ଦ୍ଧ୍ୱକୁ ସତ୍ୟବତୀ ସମ୍ପୂର୍ଣ୍ଣ ଆବରଣ ମୁକ୍ତ । ‘ଇସ୍ କେତେ ଥଣ୍ଡା ତୁମ ଦେହ !’ ଗୋଟିଏ ସନ୍ତାନର ମା’ହେଲା ପରେ ବି ତା’ର ସ୍ତନ୍ୟଭରା ବୁକୁର ଦୃଢ଼ତା ଓ କଠିନତା ତାଙ୍କ ଦେହରେ ଉତ୍ତେଜନା ଭରି ଦେଉଥିଲା । ସେ ଚଞ୍ଚଳ ହୋଇଉଠିଲେ–ଚପଳ ହୋଇଉଠିଲେ । ଦୁଇଟି ଦେହର ନିବିଡ଼ ଆଶ୍ଳେଷ । ସୃଜନର ଅସ୍ପଷ୍ଟ ଧ୍ୱନି-

 

ଏ ଉଠ–ଉଠ ମ, ଧୀରକଣ୍ଠରେ କହୁଥିଲା ଲେଖା ।

 

ତଳ ବିଛଣାରେ ସେଇ ଚିରନ୍ତନ...ଇସ୍, ଇସ୍, ଦୀର୍ଘଶ୍ୱାସ...ଅଳ୍ପ କେତୋଟି ମୁହୂର୍ତ୍ତରେ ତଳ ବିଛଣା ନୀରବ ହୋଇଗଲା–ଉପରେ ସେଇ ଚିରନ୍ତନ ସୃଜନର ଲୀଳା–ଦୀର୍ଘ ସମୟ ଧରି ପୁରୁଷୋଚିତ ଧ୍ୱନି ଭିତରେ ଲେଖା ଆଖି ବୁଜିଥିଲା । ଜୀବନରେ ଥରୁଟିଏ ବି ଦୀର୍ଘ ପୁରୁଷୋଚିତ ସ୍ପର୍ଶ ସେ ପାଇନି...ଇସ୍, କି କରୁଣ, କି ଜ୍ୱଳନ...ତା’ର ଦେହ ଚିର ଅତୃପ୍ତ...ଚିର ଅଶାନ୍ତ...ପାଖରେ ସେଇ ଲୋକଟି ଶୋଇଛି ଯେ ତା’ର ଜୀବନସାରା ସବୁକିଛି ନେଇ କିଛି ହେଲେ ପ୍ରତିଦାନ ଦେଇ ନାହିଁ, ଯେ ତାକୁ ଜଳାଇଛି ଅଥଚ ନିଜେ ଜଳିନି...ସେଇ ଲୋକଟି ଶୋଇପଡ଼ିଛି...ତୃପ୍ତ...ଶାନ୍ତ...ଆଖିରୁ ଅଶ୍ରୁଝରି ଯାଉଥିଲା । ଲେଖା ତା’ର ଚିର ଅତୃପ୍ତ ଦେହକୁ ପଥର କରୁଥିଲା । ହଁ ପଥର କରୁଥିଲା, ସେଇ ଅନ୍ଧାର ଭିତରେ ଦେଖୁଥିଲା ଦେବାଶିଷ ସତ୍ୟବତୀର ଦୁଇଟି ନର୍ତ୍ତନଶୀଳ ଦେହ...ଏ ନୃତ୍ୟର ସତେ ଯେପରି ଶେଷ ନାହିଁ ।

 

ପ୍ରକୋଷ୍ଠ ଭିତରେ ଅସମ୍ଭବ ନୀରବତା...ବର୍ଷାର ବେଗ ବଢ଼ିଛି । ଖଟସାରା ପାଣି ପଡ଼ୁଛି ।

 

‘ଆମେ ଓଦା ହୋଇଗଲୁ ଯେ’–ଦେବାଶିଷ କହିଲେ ।

 

‘ଆସ ଏଇ ବିଛଣାରେ ସମସ୍ତେ ଶୋଇବା’–ଅଶୋକ ପ୍ରସ୍ତାବ କଲେ ।

 

ଗୋଟିଏ ବିଛଣାରେ ଚାରିଟା ଦେହ...ଦୁଇଟି ପୁରୁଷର, ଦୁଇଟି ସ୍ତ୍ରୀର । ବାମପାର୍ଶ୍ୱରେ ଅଶୋକ, ଦକ୍ଷିଣ ପାର୍ଶ୍ୱରେ ଦେବାଶିଷ, ମଧ୍ୟଭାଗରେ ଲେଖା ଓ ସତ୍ୟବତୀ ।

 

ଅଶୋକଙ୍କ ଆଖିରେ ନାଚିଉଠିଥିଲା ସତ୍ୟବତୀର ବେସର ବାଟିବାବେଳର ସେଇ ଦୃଶ୍ୟ । ଦୋହଲି ଦୋହଲି ବେସରବଟାବେଳେ ସେଇ ଲୋମହୀନ ମାଂସଳ ବାହୁମୂଳର ଆଞ୍ଚୁରାଦାଗ ସେ–ସେଇ ଅନ୍ଧକାର ଭିତରେ ଲେଖା ଉପରେ ନଇଁପଡ଼ି, ସତ୍ୟବତୀର ହାତ ଚାପି ଧରିଲେ । ସତ୍ୟବତୀ ହଠାତ୍ କିଛି କହିପାରିଲେନି–ଧୀରେ, ସେ ହାତ ଛାଟିଦେଲେ; ଲେଖା ଜାଣିଲା, ସେ ସତ୍ୟବତୀଙ୍କୁ ଏ ପାଖକୁ ପେଲିଦେଇ ସେପଟକୁ ଚାଲିଗଲା ।

 

ଆଈଠାରୁ ପିଲାଦିନେ ଶୁଣିଥିଲି, ଜଉମୁଦରାଜା ଓ ମରାଳଗଡ଼ର ରାଜା ତାଙ୍କ ରାଣୀମାନଙ୍କୁ ନିଜ ନିଜ ଭିତରେ ବଦଳାଉଥିଲେ । (ଲେଖା ଭାବୁଥିଲା)

 

ଲେଖା ନିଜ ହାତନେଇ ଦେବାଶିଷଙ୍କ ହାତରେ ରଖିଲା–ଦେବାଶିଷଙ୍କ ଦେହରେ ଅପୂର୍ବ ଶିହରଣ, ଲୋମେ ଲୋମେ କାମନା । ଦେବାଶିଷ ଲେଖାକୁ ଚୁମ୍ୱନ କଲେ, ଲେଖା ଦେହରେ କଦମ୍ୱର ରୋମାଞ୍ଚ...ଶେଫାଳୀର ବେପଥୁ ।

 

ସତ୍ୟବତୀ ଭାବୁଥିଲେ, ଅଶୋକକୁ ପେଲିଦେଇ କହିବେ ନା, ନା, ମୁଁ ଅସତୀ ହେବାକୁ ଚାହେଁନି । କିଏ କହେ ମୁଁ ଅସତୀ ହେବି ? ମୁଁ ସତୀ, ଚିରଦିନ ସତୀ; ରାଧା ଚିରଦିନ ସତୀ ।

 

ପାରିବିନି–ପାରିବିନି–ନାଁ, ମୁଁ ପାରିବିନି । ମନ ଭିତରୁ ଚିତ୍କାର କରୁଥିଲା–କାହାଲାଗି ସତୀତ୍ୱ ତୋର ସତୀ, ଏଇ ତୋର ସ୍ୱାମୀ ଲେଖା ଛାତିରେ ହାତ ରଖି ଆଦର କରୁଛନ୍ତି । କାହାଲାଗି ତୋର ଏ ସତୀତ୍ୱ ସତୀ ?

 

–ନା ନା, ମୁଁ ପାରିବିନି–(ସତୀ ପାଦ ଛାଟୁଥିଲେ)

 

ମନ ଭିତରେ ଅପୂର୍ବ ଦ୍ୱନ୍ଦ୍ୱ–ମନ ଭିତରୁ ଚକୋର ପୁଣି କହୁଥିଲା ।

 

ସେ ତୋତେ ଚୁମା ଦେଲେଣି–ତୋର ସମସ୍ତ ଅଙ୍ଗସ୍ପର୍ଶ କଲାପରେ ତୋର ସତୀତ୍ୱ କ’ଣ ବାକି ଅଛି ସତୀ ? ଏଇ ଦେଖ, ଲେଖା ଛାତିରେ ତୋ ସ୍ୱାମୀ କେମିତି ଚପଳ ଚଞ୍ଚଳ ହୋଇଉଠୁଛନ୍ତି । ଝଡ଼ ବଢ଼ିଲା ବରଗଛର ବଣୁଆ ଲଟା ଓସ୍ତ ଗଛରେ ଗୁଡ଼ାଇ ହେଲା । ଓସ୍ତ ଗଛର ମାଳତୀଲତା ବରଗଛରେ ଜଡ଼ିଗଲା ।

 

କଷ୍ଟ, ଜ୍ୱାଳା, ଉତ୍ତେଜନା ଭିତରେ ସତୀ ଦେହର ସମସ୍ତ ପ୍ରତିରୋଧଶକ୍ତି ହ୍ରାସ ପାଉଥିଲା । ସେ ଦୁର୍ବଳ ହୋଇ ଯାଉଥିଲେ, ଶେଷକୁ ସେ ଅଶୋକଙ୍କ ଅଶ୍ଳୀଳ କ୍ରିୟାକୁ ବେଶ୍ ଉପଭୋଗ କରିବାକୁ ଲାଗିଲେ ।

 

ଲେଖାକୁ ଭିଡ଼ିଧରି ଦେବାଶିଷ ଭାବୁଥିଲେ, ଏ ରାତି ଅକ୍ଷୟ ହେଉ, ଅମର ହେଉ, ଶାଶ୍ୱତ ହେଉ ଆମର ବନ୍ଧୁତ୍ୱର ଏ ଚରମ ନିଦର୍ଶନ–ଏ ସଖାତ୍ୱ ନିବିଡ଼ ହେଉ ।

 

ଅଶୋକ ସତ୍ୟବତୀଙ୍କ ମାଂସଳ ବାହୁମୂଳରେ ସେଇ ଆଞ୍ଚୁଡ଼ା ଦାଗରେ ଚୁମ୍ୱନ ଢାଳି...ସତ୍ୟବତୀଙ୍କ କାନରେ ପଚାରୁଥିଲେ, ‘‘କି ଦାଗ ?’’

 

ପିଲାଦିନେ ଶଙ୍ଖୀ ବିଲେଇଟେ ଆମ୍ପୁଡ଼ି ଦେଇଥିଲା–ଖୁବ୍ ଧୀର କଣ୍ଠରେ ସେ କହୁଥିଲେ-

 

କି କ୍ଷୁଧା...କି ତୃଷ୍ଣା...ତୃପ୍ତି ପାଉଥିଲା ବହୁଦିନର ଲେଖାର ଉପବାସୀ ଦେହ...ପ୍ରକୃତିର ଭୋଜିସଭାରେ ଚାରୋଟି ଅତିଥି ।

 

ପରଦିନ ପ୍ରାତଃରେ ସେମାନେ କଟକ ଆସିଲେ, ଲେଖା ଡ୍ରାଇଭ୍ କଲା ଷ୍ଟାଣ୍ଡାର୍ଡ଼ ହାରଲ୍ଡ଼ । ଲେଖାର ଓଠରେ ପ୍ରସନ୍ନତାର ସ୍ୱାକ୍ଷର–ଅଶୋକ ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ରକୁ ଚାହିଁଥିଲେ । ଦେବାଶିଷ ସିଗାରେଟ୍ ଟାଣୁଥିଲେ–ନବପରିଣୀତା ଲାଜକୁଳୀ ବଧୂ ପରି ମଥାରେ ସତ୍ୟବତୀ ଅବଗୁଣ୍ଠନ ଟାଣି ବସିଥିଲେ । ସେ ଏ ସଂଘ ଭିତରେ ଏକମାତ୍ର ନୀରବ ସଭ୍ୟା–ସତେ ଯେପରି ଏତେ ଛନ୍ଦ ଏତେ ଛଳ, ଏତେ ଚପଳତା ଭିତରେ ସେ ମୁକ ପାଲଟି ଯାଇଛନ୍ତି–ରକ୍ତିମ ଅଧର ଥରି ଉଠୁଥିଲା, ସୂଚାଇ ଦେଉଥିଲା ବଞ୍ଚିଛି, ମୁଁ ବଞ୍ଚିଛି ।

 

ଲେଖା ଦେବାଶିଷ ଘର ପାଖରେ କାର୍ ରଖିଥିଲେ...ଦେବାଶିଷ, ସତୀ ଓହ୍ଲାଇଗଲେ । ଲେଖା ଦେବାଶିଷକୁ କହିଲା, ସନ୍ଧ୍ୟାକୁ ଆସିବେ । ଅଶୋକ କହିଲା, ଆସିବୁ ଦେବ ସନ୍ଧ୍ୟାକୁ–ଖେଳିବାକୁ ତାସ୍...ସଙ୍ଗରେ ସତ୍ୟବତୀଙ୍କୁ ଆଣିବୁ ।

 

ଦେବାଶିଷ ମୁଣ୍ଡ ଟୁଙ୍ଗାରିଲା ।

 

ଦେବାଶିଷ ଘରକୁ ଆସିଲା...ପୁଅ କନଭେଣ୍ଟ ଚାଲିଯାଇଛି । ସତ୍ୟବତୀଙ୍କୁ ରାତିରେ ବହୁତ ଖୋଜିଥିଲା ବୋଲି ଚାକରାଣୀ କହିଲା ।

 

ଦେବାଶିଷ ଷ୍ଟଡ଼ିରେ ବସି ଭାବୁଥିଲା...ଅଛିଣ୍ଡା ଅଙ୍କର ଅନେକ ସୂତ୍ର ତା’ର ମଥାରେ ଜମି ଯାଉଥିଲା ।

 

‘‘କ’ଣ ଭାବୁଛ ?’’ ସତ୍ୟବତୀ ପ୍ରଶ୍ନ କଲେ ।

 

‘‘ଉଁ’’ । ସଂକ୍ଷିପ୍ତ ଉତ୍ତର ।

 

‘‘ଖାଇବ ଆସ...।’’ ସତ୍ୟବତୀ ଅନୁନୟ କଲେ ।

 

‘‘ଦେହଟା ଭଲଲାଗୁନି...’’

 

‘‘ଦେହ ନା ମନ ସତ କୁହ, ମୋ ରାଣ ।’’

 

‘‘ତୁମେ ଯାଅ, ଖାଇନିଅ–’’

 

‘‘କୁହ, କ’ଣ ହୋଇଛି ?’’

 

‘‘କିଛି ନାହିଁ ।’’

 

ସେଦିନ ସନ୍ଧ୍ୟାରେ ଦେବାଶିଷ ଅଶୋକର ଘରକୁ ଗଲା ନାହିଁ । ରାତିରେ ଚାକରଟାକୁ ବିନା କାରଣରେ ପ୍ରହାର କଲା । ରାତ୍ରି ଭୋଜନର ଅର୍ଦ୍ଧାଧିକ ନଷ୍ଟ ହେଲା ।

 

ରାତିରେ ଦେବାଶିଷ ଶୋଇପଡ଼ିଲା । ସତ୍ୟବତୀ ତା’ର ଶୋଇଲା ମୁହଁକୁ ବହୁ ରାତି ଯାଏଁ ଚାହିଁ ବସିଥିଲା ।

 

ତା’ପରଦିନ ପୁଅ କନଭେଣ୍ଟ ଚାଲିଗଲା । ଦେବାଶିଷ କଲେଜକୁ ଗଲାନାହିଁ । ଫୋନ ପାଖରେ ବସି ଫୋନ ରିଙ୍ଗ ଶୁଣୁଥିଲା ଅଥଚ ଧରୁ ନଥିଲା । ଖାଇଲାବେଳେ ଯେ ଅନେକ ବାଛେ ସେ ଆଜି କିଛି ବାଛବିଚାର ନକରି ଖାଇଲା ।

 

ରାତିରେ ଯେ ଖୁବ୍ ଡେରିରେ ବିଛଣାକୁ ଯାଏ, ସେ ଆଜି ଖୁବ୍ ଶୀଘ୍ର ବିଛଣାକୁ ଗଲା ।

 

ପରଦିନ ସେ ଅଶୋକ ଘରକୁ ଗଲା । ଅଶୋକ ସିନେମା ଟିକେଟ ଲାଗି ବାହାରିଥାଏ-

 

–ଆରେ, ତୁ ଯିବୁ ସିନେମା ଦେବ ?

 

–ନା, ମୋ ଦେହ ଭଲନାହିଁ ।

 

–ନାହିଁ, ତୁ ତ ବେଶ୍ ଗୋଲଗାଲ ଦେଖାଯାଉଛୁ ।

 

–ହଉ, ତୁ ବସି ଗପ କର ଲେଖା ସଙ୍ଗେ । ମୁଁ ଆଡ଼ଭାନ୍‍ସ ଟିକେଟ ଦୁଇଟା ନେଇଆସେ । (ଅଶୋକ ଚାଲିଗଲା ।)

 

–ଏଇ ଯେ ଦେବାଶିଷବାବୁ–କାହିଁ ଦୁଇଦିନ ହେଲା ଯେ ଦେଖା ନଥିଲ ? ଲେଖା ପଚାରିଲା ।

 

–ମୋ ଦେହଟା ଭଲ ନଥିଲା ।

 

–ଆଚ୍ଛା, ସତ୍ୟବତୀ କେମିତି ଅଛନ୍ତି ?

 

–ଭଲ ।

 

–ଆସନ୍ତୁ, ବେଡ଼ରୁମ୍ ଫ୍ୟାନ୍ ଅଛି । ଏଠି ବଡ଼ ଅସହ୍ୟ ଗରମ । ବେଡ଼ରୁମରେ କେବଳ ଦୁଇଟି ଖଟ ଜୋଡ଼ା ହୋଇ ପଡ଼ିଛି ।

 

–ବସନ୍ତୁ !

 

ଦେବାଶିଷ ବସିଲା । ତା’ପାଖରେ ଲେଖା ବସିଲା । କିଛି ସମୟ ଦୁହେଁ ନୀରବ । ଲେଖା କଥା ଆରମ୍ଭ କଲା...

 

–ସେଦିନର ସେ ରାତିକଥା ମନେପଡ଼ିଲେ ଏବେ ବି ଦେହରେ ଉତ୍ତେଜନା ଭରିଯାଉଛି-

 

ଦେବାଶିଷ କିଛି କହିଲାନି ।

 

–ବଡ଼ ନୀରବ ଯେ ?

 

–ନା, ମୁଁ କାହିଁକି ଅସ୍ୱସ୍ତି ବୋଧକରୁଛି ।

 

ଫ୍ୟାନର ସ୍ପିଡ଼ ବଢ଼ାଇଦେଲା ଲେଖା ।

 

–ବେକରେ ଏ ଦାଗଟା ଦେଖୁଛନ୍ତି...

 

–ହଁ ।

 

–କହିପାରିବେ କି ଦାଗ ?

 

ନାଁ ।

 

–ଇସ୍, ଆପଣ କେଡ଼େ ବୋକା ମ ! ସେଦିନ ରାତିରେ ଏ ଦାଗଟା ଆପଣ ମୋ ବେକରେ ଦେଇଛନ୍ତି ।

 

କ’ଣ କହୁଛ ଲେଖା ?

 

–ହଁ ଦେବାଶିଷବାବୁ, ଅଶୋକ କହୁଥିଲେ, ଦେବକୁ ଏତେ ସୁନ୍ଦର ଚୁମା ଦେଇଆସେ !

 

–ଅଶୋକ ଆଉ କ’ଣ କହୁଥିଲା ?

 

–କହୁଥିଲେ, ସତ୍ୟବତୀଙ୍କ ଦେହର ଓଜନ ମୋଠାରୁ କମ୍ ।

 

–ଆଚ୍ଛା, ମୁଁ ଯାଉଛି । କାଲିକି ଆସିବି ।

 

–ଆରେ କ’ଣ ହେଲା ଯେ–ବସନ୍ତୁ ନା, ଘରେ ଯାଇ କ’ଣ କରିବେ ? (ସୁର ତା’ର ଅଭିମାନଭରା)

 

–ନା ମୋତେ ଯିବାକୁ ହେବ ।

 

–ଚାଲିଯିବେ ? ଯାଇପାରିବେ ? (ଲେଖାର ଆଖି ଛଳ ଛଳ ହୋଇଗଲା)

 

–ଆରେ ତମେ କାନ୍ଦୁଛ ?

 

–ବୁଝିପାରିବନି ଦେବାଶିଷ ମୁଁ ତୁମକୁ କେତେ ଭଲପାଏ, ତୁମେ ଦେଲ ମୋ ଜୀବନରେ ପ୍ରଥମ ପୁରୁଷୋଚିତ ପରିଚୟ...ବିରକ୍ତିକର କିଂଶୁକ ଶୃଙ୍ଗାରରେ ଜୀବନ ସାରା ଜଳିଥିବା ନାରୀକୁ ତୁମେ ମୁକ୍ତି ଦେଇଛ । ତୁମେ ମୋ ଜୀବନର ପ୍ରଥମ ପୁରୁଷ । କାନ୍ଦୁଥିଲା ଲେଖା-। ଦେବାଶିଷ ବୁଝିପାରୁ ନଥିଲା ଲେଖାକୁ । ମନେପଡ଼ୁଥିଲା କଲେଜରେ ପଢ଼ିଲାବେଳେ ଅଶୋକ କହୁଥିଲା, ଅବିବାହିତାଙ୍କ ପ୍ରେମ ପାଇବା ବଡ଼ ସହଜ...ବଡ଼, ବଡ଼ ତୁଚ୍ଛ । ସେଠି ଖାଲି ଦେହ...ଏ ଦେହ ଅବିବାହିତାର ମନ କିଣିବାରେ ଆନନ୍ଦ ଅଛି । କିନ୍ତୁ ବିଜୟର ଗୌରବ ନାହିଁ । ବିବାହିତାର ପ୍ରେମ ଲାଭ କରିବାରେ କେତେ ଗୌରବ ! ବିବାହିତାର ପ୍ରେମ ଖାଲି ଦେହ ନୁହେଁ । ସେଥିରେ ଅଛି ମନ, ପ୍ରାଣ, ଦେହ ସବୁକିଛି । ବିବାହରେ ଦେହର ଶୋଷ ମରିଯାଏ । କିନ୍ତୁ ମନର କ୍ଳାସିକ ଶୋଷ...କାହିଁ ତା’ର ଶେଷ ? କେଉଁଠି ?

 

...କ’ଣ ଭାବୁଛ ?-କାନ୍ଦ ବନ୍ଦକରି ଲେଖା ପଚାରିଲା ।

 

–କିଛି ନାହିଁ ।

 

ଫେରିଆସିଲା ଅଶୋକ ।

 

–ଆରେ ତୋପାଇଁ, ସତ୍ୟବତୀଙ୍କ ପାଇଁ ଟିକେଟ ନେଇ ଆସିଛି ।

 

–ନାଇଁ ଅଶୋକ, ମୁଁ ଯାଇପାରିବିନି । ସତୀ ଯାଇପାରେ ।

 

–ସେ କଥା ହେବନି, ତୁ ସତ୍ୟବତୀଙ୍କୁ ନେଇ ସିନେମା ଗେଟରେ ଅପେକ୍ଷା କରିବୁ ମତେ-

 

–ଚେଷ୍ଟା କରିବି ।

 

ଘରକୁ ଆସି ସତ୍ୟବତୀକୁ ସିନେମା କଥା କହିବାକୁ ଭୁଲିଗଲା ଦେବାଶିଷ । ସିନେମା ସେ ଯାଇପାରିଲାନି ।

 

ସେଦିନ ରାତିରେ ସତ୍ୟବତୀ ତା’ ପାଦ ଆଉଁସିଲା ।

 

–କୁହ, ତୁମର କ’ଣ ହୋଇଛି ?

 

–କିଛି ନାହିଁ ।

 

–ନାଇଁ କୁହ, ମୋ ରାଣ କୁହ । ସତ୍ୟବତୀ ଦେବାଶିଷ ଛାତିକୁ ଆଉଜି ଆସିଲା । ଦେବାଶିଷ ସତ୍ୟବତୀଙ୍କୁ ଘୁଞ୍ଚାଇଦେଲା ।

 

–ମୋ ଦେହ ତୁମକୁ ଭଲ ଲାଗୁନି ?

 

–ମୁଁ ଅସୁସ୍ଥ ସତୀ, ମୁଁ ଅସୁସ୍ଥ...

 

–ତୁମେ ତ ଜ୍ୱରରେ ବି ମୋ ଦେହରେ ହାତ ନ ରଖିଲେ ଶୋଇପାରନି...ଆଜି କ’ଣ ହୋଇଛି ତୁମର...

 

–ମୋର ଉତ୍ତେଜନା ଆସୁନି ସତୀ ! ମୁଁ ଦୁର୍ବଳ ହୋଇଯାଉଚି ।

 

–ଏଇ ଦେହକୁ ତୁମେ କେତେ ଭଲପାଅ ! କେତେ ଗେଲ କର । ଆଜି ଗେହ୍ଲା କର...ଆଦର କର । (ନିଜକୁ ଆବରଣମୁକ୍ତ କରୁଥିଲା ସତ୍ୟବତୀ...)

 

–ଓଃ, ବଡ଼ କଷ୍ଟ ହେଉଛି...ବଡ଼ କଷ୍ଟ...କି ଜ୍ୱାଳା...

 

–କ’ଣ କହୁଛ ? ମୋ’ ଦେହକୁ ସ୍ପର୍ଶକରି ଦେଖିବ ଠିକ୍ ସେମିତି ଅଛି...କିଛି ବଦଳିନି...କିଛି ବଦଳିନି ।

 

ଦେବାଶିଷର ହାତ ଟାଣିନେଇ ନିଜ ଦେହରେ ଚାପୁଥିଲା ସତୀ ।

 

–ସତୀ ! ସତେ ସତୀ ତୁମେ ଆଜି ବେଶି ସୁନ୍ଦର ଦେଖାଯାଉଛ ।

 

(ନିବିଡ଼ ଆଲିଙ୍ଗନ ଭିତରେ ସତୀ ଦେହକୁ ତୋଳିଧରି ଦେବାଶିଷ କହିଲା ।)

 

–ଭିଡ଼ିଧର ତମର ସମସ୍ତ ଶକ୍ତିଦେଇ...ପାଞ୍ଚଦିନ ହେଲା ତୁମ ସ୍ପର୍ଶ ପାଇନି...ପ୍ରତିଟି ରାତି ଯା’ର ହୁଏ ବାସର...ତା’ଲାଗି ପାଞ୍ଚଦିନ କ’ଣ କମ୍ ଦୀର୍ଘ ?

 

ସତୀ ଦେହରେ ନିଜ ଦେହ ଜଡ଼ାଇଦେଇ ଦେବାଶିଷ କହିଲା, ସେଦିନ ଅଶୋକ ଦେହ ତୁମକୁ ଭଲ ଲାଗିଲା ?

 

–ନା ମୋଟେ ନୁହେଁ । ମୋ ଇଚ୍ଛା ବିରୁଦ୍ଧରେ ମୁଁ ଦୟିତ ହୋଇଛି...

 

(ଦେବାଶିଷର ଆଲିଙ୍ଗନ ଶିଥିଳ ହୋଇଆସୁଥିଲା ।)

 

–କ’ଣ ହେଲା...କ’ଣ ହେଲା ?

 

–ମୋ ଦେହରେ ଉତ୍ତେଜନା ଆସୁନି ସତୀ !

 

–ମତେ ଚାହଁ...ଦେଖ...ତୁମେ ତ କୁହ କେତେ ସୁନ୍ଦର ମୋ ଦେହ...କେତେ ମାଂସଳ...ସୁନ୍ଦର...ଚାହଁ ।

 

(ଦେବାଶିଷର ହାତନେଇ ତା’ର ମାଂସଳ କଟୀରେ ରଖିଲା ।)

 

ତୁମେ କୁହ, ମାଂସଳ ମୋ ବାହୁମୂଳ, ମାଂସଳ ମୋ କଟୀତଟ...ମାଂସଳ ମୋ ଜଙ୍ଘ; ଦେଖ ଠିକ୍ ସେମିତି ଅଛି ମୋ ଦେହ...ଠିକ୍ ସେମିତି ଅଛି ।

 

–ଏଇ ଦେଖ ବାହୁମୂଳ...ସେମିତି ମାଂସବହୁଳ ହୋଇ ରହିଛି, ଏହି ସେଇ ବିଲେଇର ଆଞ୍ଛୁରା ଦାଗ...ଯାହାକୁ ତୁମେ ବେଶି ଭଲପାଅ...ଚୁମା ଦିଅ ଯେଉଁ ଦାଗକୁ...ସେଇ ଦାଗ ଠିକ୍ ସେମିତି ଅଛି ।

 

–ଭିଡ଼ିଧରିଲେ ସତୀର ଦେହକୁ ବଜ୍ରମୁଷ୍ଠିରେ ଦେବାଶିଷ ।

 

–ଏ ଦାଗ ମୋରି ଲାଗି, ମୁଇଁ କେବଳ ଚୁମା ଦେବି, ଏ ଦାଗ ସବୁଠାରୁ ଗୋପନୀୟ ତୁମ ଦେହର...ତୁମର ଏକାନ୍ତ ନିଜସ୍ୱ ।

 

ଦେବାଶିଷ ବାହୁମୂଳର ଆଞ୍ଚୁରା ଦାଗକୁ ଜିଭରେ ସ୍ପର୍ଶ କଲେ ।

 

–ଏ ଦାଗକୁ ଚୁମା ଦେଇଛି ଅଶୋକ ?

 

ହଁ ।

 

–ଭଗବାନ, ହେ ଭଗବାନ !

 

(ସତ୍ୟବତୀର ଆଲିଙ୍ଗନରୁ ସାମାନ୍ୟ ବଳପ୍ରୟୋଗ କରି ନିଜକୁ ମୁକ୍ତ କରିନେଲା ଦେବାଶିଷ ।)

 

ସତ୍ୟବତୀ କଇଁ କଇଁ କାନ୍ଦୁଥିଲା ।

 

–କାହିଁକି କାନ୍ଦୁଛ ? ମୋପାଇଁ କ’ଣ ରଖିଛ ଆଉ ?

 

–ତୁମେ ବଡ଼ ଜେଲସ୍ ! (ସତୀ କାନ୍ଦୁ କାନ୍ଦୁ କହିଲା ।)

 

–ଯାଅ, ଚାଲିଯାଅ ମୋ ଆଗରୁ ।

 

–ମତେ, ତଡ଼ିଦିଅନା, ମୁଁ ତୁମର ସନ୍ତାନକୁ ଗର୍ଭରେ ଧରିଛି, ମୁଁ ତୁମର ସନ୍ତାନକୁ ଜନ୍ମ କରିଛି, ମତେ ତଡ଼ିଦିଅନି, ମୁଁ ସତୀ, ସତୀ ।

 

–ତଡ଼ି ଦେଉନି, କହୁଛି ମୋ ଆଗରୁ ଚାଲିଯାଅ ।

 

(ଦେବାଶିଷ ଭାବୁଥିଲା ଗୋଟିଏ ମୁହୂର୍ତ୍ତରେ କେଡ଼େ ବଡ଼ ଭୁଲ୍ ସତୀ କଲା । ସତୀର ଅନାବୃତ ଦେହ ଭିତରେ ସେ କେବଳ ଅଶୋକକୁ ଦେଖିଥିଲା । ଏ ବକ୍ଷ ସେ ସମସ୍ତଙ୍କୁ ସ୍ପର୍ଶ କରିବାକୁ ଦେଇପାରିବ । ସତୀର ଏ ମୁକ୍ତଦେହ କେବଳ ତା’ର ନୁହେଁ, ସମସ୍ତଙ୍କର ।)

 

–ନାଁ ଚାଲିଯାଅ, ମୋ ଆଗରୁ ଚାଲିଯାଅ । (ସେ ଗର୍ଜିଉଠିଲା ।)

 

–ମତେ ମାର, ମତେ ପିଟ–ଚାଲିଯିବାକୁ କୁହ ନାହିଁ, ମୁଁ ସତୀ–ଅଶୋକକୁ ଦେହ ଦେଲାବେଳେ ମୁଁ ତୁମକୁ ଭାବୁଥିଲି; ମୋ ନିଷ୍ଠା ଅତୁଟ ରହୁ ।

 

ମତେ ଭାବୁଥିଲ ? ହଳିଆ ମଧୁଆକୁ ଦେହ ଦେଲାବେଳେ ବି ତୁମେ ମତେ ଭାବିବ ।

 

–ଇସ୍, କି ଇତର ତୁମେ-ଏଡ଼େ ନୀଚ ?

 

–ଦୟାକରି ମୋ ଆଗରୁ ଚାଲିଯାଅ ।

 

–ସତୀ ନଇଁପଡ଼ି ଶାଢ଼ିଟା ଉଠାଇନେଲା–ପେଟରେ ତା’ର ମାଂସର ଢେଉ, ଖାଲି ଶାଢ଼ିଟି ପିନ୍ଧି ମଥାରେ ଓଢ଼ଣା ଦେଇ ସେ ଚାଲିଗଲା ରାଜରାସ୍ତାକୁ ।

 

ଦେବାଶିଷ ଟେବୁଲ ଉପରେ ନଇଁପଡ଼ି ତାଙ୍କ ମୁଣ୍ଡବାଳକୁ ଟାଣୁଥିଲେ ତାଙ୍କର ସମସ୍ତ ଶକ୍ତି ଦେଇ ।

 

ସ୍କୁଲରୁ ଫେରି ବାବୁଲି ପଚାରୁଥିଲା, ଡାଡ଼ି, ମାମି କାଇଁ ? ମାମି କାଇଁ ?

 

(ବାବୁଲି କାନ୍ଦିଉଠିଲା)

 

ଦେବାଶିଷଙ୍କର କାନ୍ଦିବାକୁ ଇଚ୍ଛା ହେଲା । ସେ କାନ୍ଦିବେ । ସଭ୍ୟତା ତାଙ୍କୁ କାନ୍ଦିବାକୁ ଦେଇଛି । ସାତ ସମୁଦ୍ରର ଲୁହ, ତା’ର ଶେଷ ନାହିଁ, ବିରାମ ନାହିଁ । ଏ ସଭ୍ୟତା ତାଙ୍କ ଜୀବନର ସମସ୍ତ ଶ୍ୱାସକୁ ନିଃଶେଷ କରୁଛି ଗଣ୍ଡୁକର ଚଳୁରେ । ଦେବାଶିଷ ଆଖିବୁଜି ଦେଖୁଥିଲେ–ତାଙ୍କ ଆଗରେ ପୃଥିବୀଟା ତା’ର ନିଜ କକ୍ଷ ଛାଡ଼ି ମଙ୍ଗଳ, ବୁଧ, ଶୁକ୍ର ସବୁ ଗ୍ରହକୁ ପରିକ୍ରମା କରି ଶନିର କକ୍ଷରେ ଘୂରୁଛି । ତା’ରି ଭିତରେ ଅଶୋକ, ଲେଖା, ସତୀ, ସେ ନିଜେ, ବାବୁଲି, ସମସ୍ତେ ଘୂରୁଛନ୍ତି-। ସେ ଘୂର୍ଣ୍ଣନର ଘର୍ଘର ଧ୍ୱନି ଭିତରେ ବାବୁଲିର ଓ ତାଙ୍କର କଇଁ କଇଁ କାନ୍ଦ, ଅଶୋକ ଓ ଲେଖାର ହସ ସବୁ ଚାପି ହୋଇଯାଇଛି ।

 

*(‘ଆସନ୍ତାକାଲି’ ଓ ‘ସ୍ଥିତି’ରେ ପ୍ରକାଶିତ ।)

 

*(ରବିବାସରୀୟ ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ ।)

☆☆☆

 

ଚନ୍ଦନ-କୁଙ୍କୁମ

 

ସେଦିନ ଥିଲା ମୋର ଜନ୍ମଦିନ । ମିନି ତା’ର ଟିକି ହାତରେ ସମସ୍ତ ଶିଳ୍ପନୈପୁଣ୍ୟ ଦେଇ ମଥାରେ ଚନ୍ଦନ କୁଙ୍କୁମର ଚିତା ଲେଖି ସ୍କୁଲ ଚାଲିଯାଇଥିଲା ।

 

ମୋ ପରିବାର କହିଲେ ମୁଁ ଆଉ ମିନି–ଛେଉଣ୍ଡ ଭାଇ ଭଉଣୀ । ମୋ ଘରଟା ସହରଠାରୁ ଅଳ୍ପ ଦୂରରେ । ପଡ଼ୋଶୀ କହିଲେ ଘର ଗୋଟିଏ ପାଖରେ ବିସ୍ତୀର୍ଣ୍ଣ ଝାଉଁବଣ, ଅପର ପାଖରେ ସୁବିସ୍ତୃତ ଛୁରିଅନାର ଝୁପୁରୁ ଝୁପୁରୁ ଜଙ୍ଗଲ । ଆଗରେ ରାଜରାସ୍ତା । ବାଡ଼ିପଟେ ଗୋଟିଏ କାଠଚମ୍ପା ଗଛ । ନିର୍ଜ୍ଜନ; ବଡ଼ ନିରୋଳା ଆମର ଘରର ଅବସ୍ଥିତି, ତା’ର ପରିବେଶ ଦର୍ଶନ ଶିକ୍ଷାଲାଗି ବେଶ୍ ଉପଯୋଗୀ ଥିଲା । ଚେୟାରଟାରେ ବସି ବସି ବଡ଼ ବିରକ୍ତ ଲାଗିଲା । ପୁରୁଣା ପତ୍ରିକା ଆଣି ଗଳ୍ପ ପଢ଼ି ବସିଲି । ଗଳ୍ପ ପଢ଼ୁ ପଢ଼ୁ କେତେବେଳେ ନିଦ ହୋଇଯାଇଛି ଜାଣେନା । ଥଣ୍ଡା ପବନରେ ନିଦ ଭାଙ୍ଗିଗଲା । ଏହା ଭିତରେ ବର୍ଷା ସହ ଝଡ଼ ଆରମ୍ଭ ହୋଇଯାଇଥିଲା । ଝଡ଼ରେ ଝାଉଁବଣରୁ ଝିଁ ଝିଁ କରି ପବନ ବହୁଥାଏ...ବର୍ଷା ଛାଟ ମାରୁଥାଏ ମୋ ଉପରକୁ । ଭାରି ଖୁସି ଲାଗୁଥାଏ...ଇଚ୍ଛା ହେଉଥାଏ ବର୍ଷାରେ ଭିଜିବାକୁ...ଏ ବର୍ଷାରେ ମିନି କେମିତି ଆସିବ ?

 

ପରଦା ନ ଥିବା ରିକ୍‍ସାଟିଏ ଆସି ଠିଆହେଲା । ତାହା ଭିତରୁ ମିନି ସହ ଆଉ ଦୁଇଜଣ ବର୍ଷାରେ ଭିଜି ଜୁଡ଼ୁ ବୁଡ଼ୁ ହୋଇ ଓହ୍ଲାଇପଡ଼ିଲେ । ମିନି ଧାଇଁ ଆସି କହିଲା, ‘‘ଭାଇ !’’ ତୁମ ଜନ୍ମଦିନ ଲାଗି ମାସିମା ଆଉ ତାଙ୍କ ଭଉଣୀ ଲତିକୁ ନେଇଆସିଛି । ଚାହିଁ ଦେଖିଲି, ଭିଜା ସଫେଦ ଶାଢ଼ି ଏବଂ ଅଦୀ କନାର ବ୍ଲାଉଜଟିଏ ପିନ୍ଧି ଅନିନ୍ଦ୍ୟା ରୂପବତୀ ମହିଳାଟିଏ ମୋ ଆଡ଼କୁ ଆଗେଇ ଆସିଲେ । ବର୍ଷାପାଣି ଶାଢ଼ିରୁ ବହିଯାଉଥାଏ, ଦେହରେ ଜଡ଼ିଯାଇଥାଏ ବ୍ଲାଉଜ । ଶିକ୍ତ ଶାଢ଼ି ତଳୁ ଫୁଟି ଉଠୁଥାଏ ସ୍ୱର୍ଣ୍ଣାଭ ବକ୍ଷୋଜ...ଅନିମେଷ ନୟନରେ ଚାହିଁ ରହିଥାଏ । କି ସୁନ୍ଦର, କି ଲୋଭନୀୟ ! କଅଁଳ ତନୁଲତା ଉପରେ ବର୍ଷାର ଲୀଳା । ତାରୁଣ୍ୟର ପଟ୍ଟଭୂମିରେ ପ୍ରଥମ ଥର ପାଇଁ ଦେଖିଲି ଏକ ଅସାଧାରଣ ରୂପବତୀ ନାରୀର ବର୍ଷାସ୍ନାତ ଅଙ୍ଗର ଲୋଭନୀୟ ସମ୍ଭାର...ଆଖି ଫେରାଇ ଦେଖିଲି ଚଉଦ ପନ୍ଦର ବର୍ଷର କିଶୋରୀଟିଏ ଡେଇଁ ଡେଇଁ ଆସୁଛି । ମିନି ପଛେ ପଛେ ମାସିମା, ଲତି ଆଉ ମୁଁ ଘର ଭିତରକୁ ଆସିଲୁ । ମିନି ତା’ର ଫ୍ରକ୍ ଆଣି ଲତିକୁ ଦେଲା, ଆଉ ନିଜେ ଗୋଟାଏ ଧରି ବାଥରୁମ୍‍କୁ ଚାଲିଗଲା । ମାସିମାକୁ ଚାହିଁ ବଡ଼ ବିକଳ ଲାଗିଲା । ବିଚାରୀ ଶୀତରେ ଥରୁଥାଏ । ବାହାରେ ବର୍ଷା ପ୍ରବଳରୁ ପ୍ରବଳତ୍ତର ହେବାକୁ ଲାଗିଛି...କଳାହାଣ୍ଡିଆ ମେଘ ଆକାଶକୁ ଆଚ୍ଛନ୍ନ କରି ରଖିଛି । ଲତି ଫ୍ରକ୍ ବଦଳାଇବାକୁ ଅନ୍ୟ ଏକ ପ୍ରକୋଷ୍ଠକୁ ଚାଲିଗଲା । ପଚାରିଲି, ‘ଆପଣ ଶାଢ଼ି ବଦଳାଇବେ ନାହିଁ ?’

 

–ନାହିଁ ଚଳିଯିବ ଏ ଶାଢ଼ି, ବିନୟ କଣ୍ଠରେ ମାସିମା କହିଲେ ।

 

–କେମିତି ଚଳିବ ?

 

–ଆପଣଙ୍କ ଘରେ ତ ଶାଢ଼ି ନାହିଁ । ଆଉ କ’ଣ ଫ୍ରକ୍ ପିନ୍ଧିବି ?

 

ମୁଁ ହସିଉଠିଲି । କହିଲି, ଥଣ୍ଡା ଧରିବ, ଏକଦମ୍ ଭିଜି ଯାଇଛନ୍ତି । କିଛି ଯଦି ମନେ ନ କରନ୍ତି..ମୋର କଣ୍ଠରୋଧ ହୋଇ ଆସୁଥିଲା । ମିନି ଦଉଡ଼ି ଆସି କହିଲା, ‘ମାସିମା, ଭାଇଙ୍କ ଇସ୍ତ୍ରୀ ହୋଇ ଧୋତି ଅଛି, ପିନ୍ଧିବେ ନାହିଁ ?’

 

–କାହିଁକି ତୁ ବ୍ୟସ୍ତ ହେଉଛୁ କହ ତ ?

 

–ବ୍ୟସ୍ତ କ’ଣ ? ମାସିମା, ଆପଣଙ୍କୁ ପରା ଚାରିଦିନ ତଳେ ଜର ହୋଇଥିଲା । ଏହା କହି ସେ ଧାଇଁଯାଇ ମୋର ଏକ ଧୋତି ଆଣି ମାସିମାଙ୍କୁ ଦେଲା । ମାସିମା ମୋ’ ଆଡ଼କୁ ଚାହିଁ ଈଷତ୍ ହସି ଧୋତିଟା ନେଇ ଲୀଳାୟିତ ଗତିରେ ବାଥରୁମ୍‍କୁ ଚାଲିଗଲେ । ଗୁରୁ ନିତମ୍ୱରେ ସ୍ଥଳପଦ୍ମର ଲୀଳା...

 

ମନେ ହେଲା, ଏଇ ନାରୀଟି ମୋର ହୋଇପାରନ୍ତା କି ? ପ୍ରାଣପ୍ରାଚୁର୍ଯ୍ୟ ଭରା ଅନ୍ତର ମୋର ପ୍ରଣୟାକୁଳ ହୋଇଉଠିଲା । ବାଥ୍‍ରୁମ୍‍ରୁ ପ୍ରତ୍ୟାବର୍ତ୍ତନ ତା’ର ବିଳମ୍ୱ ହେଉଥିଲା...ବିଳମ୍ୱ ମୁଁ ସହିପାରିନଥିଲି । ତରୁଣୀଟିର ସାନ୍ନିଧ୍ୟ ଲାଗି ଜୀବନରେ ପ୍ରଥମଥର ମୋର ଏ ନିଶା...କ’ଣ ସେ କରୁଛି ବାଥ୍‍ରୁମରେ ? ବାଥରୁମ ଭିତରୁ Showerର ଝୁରୁ ଝୁରୁ ଶବ୍ଦ...ତରୁଣୀଟି ତା’ ଅଙ୍ଗରେ ପରିଧେୟ ଭିନ୍ନ କରି ଦେଇଥିବ...ତା’ପରେ ଲୋଟି ପଡ଼ିଥିବ... ଇସ୍ କି କଦର୍ଯ୍ୟ ଚିନ୍ତା କରୁଛି ! ସେ ବାଥ୍‍ରୁମ୍‍ରୁ ଫେରିଆସିଲା–ଫେରିଆସିଲା ସନ୍ୟାସିନୀର ଅପୂର୍ବ ରୂପ ନେଇ । ଦେହରେ ତା’ର ମୋର ଲୁଗା...ଅନାବୃତ ବାହୁଯୁଗଳ...ମାଂସଳ ବକ୍ଷମୂଳର ଆଲୁଳାୟିତ ରୋମାଳୀର ଫାଙ୍କେ ଫାଙ୍କେ ଜଳବିନ୍ଦୁ ମୁକ୍ତାପରି ଠୋପା ଠୋପା ଝରିପଡ଼ୁଛି...ବାହୁଯୁଗଳ ଟେକି କେତୋଟି ସିକ୍ତ ଅଳକ ସଜାଡ଼ିଦେଲା । ଆଭରଣହୀନ ବାହୁତଟ କି ସୁନ୍ଦର, କି କମନୀୟ ! ତା’ ଉପରେ ଜଳବିନ୍ଦୁର ଲୀଳା କି ଲୋଭନୀୟ ! ବିପୁଳ ସମ୍ଭାବନାରେ ପ୍ରାଣ ମୋର ଆକୁଳ ହୋଇଉଠିଲା । ସେ ମତେ ଚାହିଁଦେଲା । ଆଖି ଆଖିରେ ଦୁଇ ବିନ୍ଦୁର ମିଳନ...ସେ ଲାଜରେ ସରମି ଗଲା...ଆଖି ତା’ର ନଇଁଗଲା...ଆଖି ମତେ କହୁଥିଲା, ମତେ ବଧୂ କରିନିଅ...ମତେ ବଧୂ କରିନିଅ । ସେ ଏକ ଆବେଗମୟ ଦୃଶ୍ୟ ।

 

ସତେ ଯେପରି ସେ ମୋ ଘରକୁ ବୋହୂ ହୋଇ ଆସିଛି । ହାଣ୍ଡିଶାଳରେ ପଶି ମାସିମାଙ୍କୁ ଉଠାଇ ଚାହା କରିବାକୁ ମୁଁ ମିନିକୁ କହିଲି । ମୁଁ କହିଲି–ମୋ ଚାହା ମିନି ଭଲ କରିପାରିବ ।

 

–ମୁଁ ଜାଣେ ଆପଣ କେମିତି ଚାହା ଭଲପାଆନ୍ତି ।

 

–କେମିତି ଜାଣିଲେ ?

 

–ମୁଁ ଜାଣେନି ଆପଣ ବେଶି ମିଠା ଚାହା ଖାଆନ୍ତି ।

 

ସତରେ ମୁଁ ମିଠା ଚାହା ଭଲପାଏ...ମତେ ଭାରି ଖୁସି ଲାଗିଲା...ତା’ପରେ ମାସିମା ଚାହା କରି ମତେ ଦେଲେ । ଲତି ମୋ ଆଗକୁ ଆସୁ ନଥାଏ...ପଚାରିଲି ଲତି କାହିଁକି ଆସୁନି ?

 

–ତା’ ଦେହକୁ ମିନି ଫ୍ରକ୍ ଛୋଟ ହେଉଛି । ମାସିମା କହିଦେଇ ହସିଦେଲେ । ଲତି ସେତିକିବେଳେ ଯାଉଥାଏ...ତନୁପାତଳୀ ବାଳିକାଟି ବୁକୁରେ ବିପୁଳ ଅଭ୍ୟୁଦୟର ସମ୍ଭାବନା...ତନୁପାତଳୀ ବାଳିକାର ପଲ୍ଲବିତ ତନୁରୁ ଆଖି ଫେରାଇ ତରୁଣୀର ଦେହକୁ ଚାହିଁ ହସିଦେଲି ।

 

–ଆପଣ ବଡ଼ ୟେ...ଇସ୍ ବଡ଼...ତରୁଣୀ ଥମିଗଲା ।

 

–ବଡ଼ ଅସଭ୍ୟ...ମୁଁ ପଦପୂରଣ କରିଦେଲି ।

 

–ନାଁ, ତା କ’ଣ ମୁଁ କହିଲି ?

 

–ତେବେ କ’ଣ କହିଲେ ? (ମୁଁ ହସି କରି ପଚାରିଲି ।)

 

–ବଡ଼ ଦୁଷ୍ଟ ।

 

ବାହାରେ ବର୍ଷା ବଢ଼ିଚାଲିଛି...ହିଲ୍ଲୋଳରେ ଅଗଣାର ଜଳରାଶି ଢେଉ ତୋଳୁଛି । ଲତି କାଗଜ ଡଙ୍ଗା ତିଆରି କରୁଛି...ମିନି ଖେଚୁଡ଼ି ଗରମ କରୁଛି ।

 

ମୋ ପଢ଼ାଘର ଟେବୁଲର ଦୁଇ ପାଖରେ ଆମେ ଦୁହେଁ ମୁହାଁ ମୁହିଁ ଗଳ୍ପ ଆରମ୍ଭ କରି ଦେଇଛୁ ।

 

–ଯାହା କୁହନ୍ତୁ, ଯାହା ଭାବନ୍ତୁ, ଆପଣଙ୍କ ସାନିଧ୍ୟ ଆଜି ମତେ ଭାରି ଆନନ୍ଦ ଦେଉଛି ।

 

–କହିବାର କ’ଣ ଅଛି ନା ଭାବିବାର କ’ଣ ଅଛି ଏଥିରେ । (ଟେବୁଲ୍ ଉପରେ ବହିଗୁଡ଼ା ସଜାଡ଼ୁ ସଜାଡ଼ୁ ସେ କହିଲା) ବହିଗୁଡ଼ା ସଜାଇ ରଖିପାରୁନାହାନ୍ତି ଆପଣ ?

 

–କିଏ ସଜାଡ଼ିବ ?

 

–ମୁଁ ସଜାଡ଼ି ଦେବି ।

 

–ଆଜି ଦିନକ ସିନା !

 

–ଆପଣ ସଜାଡ଼ି ଦେଇଯିବେ ସବୁଦିନକୁ–

 

ବେଶ୍, ମୁଁ ପ୍ରତିଦିନ ସଜାଡ଼ି ଦେଇଯିବି ।

 

ସତ କହୁଛନ୍ତି ? ଆପଣ ଏ ଭଙ୍ଗାଘରକୁ ସଜାଡ଼ି ଦେବେ ?

 

ସେ ନୀରବ ରହିଲେ ।

 

ମୁଁ ତାଙ୍କର ଆଙ୍ଗୁଳିରେ ଚାପ ଦେଲି ।

 

ସେ ଲାଜରେ ନଇଁଗଲେ । ଅନାବୃତ ବାହୁତଟ ମୋ ମନରେ ଉତ୍ତେଜନା ଭରି ଦେଉଥିଲା । ଜୀବନର ପ୍ରଥମ ଥର ପାଇଁ ଅଙ୍ଗେ ଅଙ୍ଗେ ଉତ୍ତେଜନା...ଲୋମେ ଲୋମେ କାମନା...

 

–ସତରେ, ଆପଣଙ୍କୁ ଏ ଧୋତି ପିନ୍ଧିବା ବେଶ୍ ମାନୁଛି...

 

–ମୁଁ ଯେ ଅଭ୍ୟସ୍ତ ଏ ବେଶରେ ।

 

–ମାନେ ?

 

–ମାନେ...ମୁଁ ଯେ ବିଧବା !

 

ହାତ ମୁଠା ମୋର ଶିଥିଳ ହୋଇ ଆସୁଥିଲା । ମୁଁ ପୁଣି ବଜ୍ର କଠିନ କରି କହିଲି, କିନ୍ତୁ ଆପଣ ଜାଣନ୍ତି ମୋର ସେ ପ୍ରକାରର ଅନ୍ଧ କୁସଂସ୍କାର କିଛି ନାହିଁ ।

 

ତା’ ଆଖିରୁ ଝରିପଡ଼ିଲା ଅଶ୍ରୁର ଧାର । ଅଗଣାରେ ବର୍ଷାର ଧାର ଛୁଟିଛି ।

 

–ଏ ବର୍ଷା ଆଜି ଛାଡ଼ିବ ନାହିଁ ବୋଧହୁଏ...(କିଛି ସମୟ ନୀରବତା ପରେ ସେ ପଚାରିଲେ)

 

–ବେଶ୍, ଆପଣ ତ ଘରେ ଅଛନ୍ତି ?

 

ତା’ ତ ବୁଝୁଛି । କିନ୍ତୁ...

 

କିନ୍ତୁ ଫିନ୍ତୁ କିଛି ନାହିଁ ।

 

ଲତି କାଗଜ ଡଙ୍ଗା କରି ବର୍ଷାପାଣିରେ ଭସାଉଥିଲା । ଦେଖିବାଲାଗି ଆମେ ଦୁହେଁ ଉଠିଗଲୁ । ମିନିର ଛୋଟ ଫ୍ରକ୍‍ ଖଣ୍ଡି ତାକୁ ବଡ଼ ଛୋଟ ହେଉଥାଏ । ମନେହେଲା, ସେ ଜାଣିକରି ଛାତି ଉପର ଫ୍ରକ୍ ଭିଜାଇ ଦେଇଛି । ସତେ ଯେମିତି ମାସିମା ସଙ୍ଗରେ ସେ ପ୍ରତିଯୋଗିତା କରିବାକୁ ଆସିଛି !

 

–ଲତି ତୁ ଯା । ମିନି ସଙ୍ଗରେ ବଢ଼ାବଢ଼ି କର । ମାସିମା ଆଦେଶ ଦେଲାବେଳକୁ ଲତି ଚାଲିଗଲାଣି ଆଖିରେ ଆଖିଏ ଅଭିମାନ କରି । ଆମେ ଦୁହେଁ କାଗଜ ଡଙ୍ଗା କରି ପିଲାଙ୍କ ଭଳି ସେ ବର୍ଷାସ୍ରୋତରେ ଭସାଇଦେଲୁ । ଆକାଶରେ ମେଘ ଭାସି ଯାଉଥିଲା ଆଉ ତଳେ ଆମର ଏଇ ହାତଗଢ଼ା କାଗଜର ଡଙ୍ଗା...ଜୀବନତରୀ...

 

ମିନି, ଲତି ବଢ଼ାବଢ଼ି ସାରି ଆମକୁ ଡାକିଲେ...ଖେଚିଡ଼ିର ପର୍ବ ସରିଲା...ବର୍ଷା ବଢ଼ି ଚାଲିଛି । ଟେବୁଲର ଚାରି ଧାରରେ ଆମେ ଚାରିଜଣ । ତାସ୍‍ଖେଳ ଆରମ୍ଭ ହେଲା । ଲତି ମୋ ପଟ ନେଇ ଖେଳିଲା । ଆମେ ଜିତିଲୁ ; କିନ୍ତୁ ସେ ଜିତିବାରେ ଆନନ୍ଦ ନ ଥିଲା...ହାରିଯାନ୍ତି କି ? ଦକ୍ଷ ଖେଳାଳି ଲତି ପାଇଁ ଜିତାପଟ ହିଁ ମୋର ଥିଲା ।

 

ରାତ୍ରି ନିବିଡ଼ ହେଲା । ବର୍ଷା ଛାଡ଼ିନାହିଁ । ବିଛଣା ସଜାଡ଼ି ଦେଲା ମୋ ଖଟରେ ଲତି । ମୀନା, ଲତି, ମାସିମା ତଳେ ଶୋଇଲେ । ଗୋଟିଏ ପ୍ରକୋଷ୍ଠ ଭିତରେ ତିନୋଟି ନାରୀର ସାନ୍ନିଧ୍ୟ । ଜଣେ ରକ୍ତର, ଦୁଇଟି ଅପରର । ରକ୍ତରେ ନିଆଁ ଲାଗିଲା । ରାତ୍ରି ଗଭୀର ହେଲା । ବର୍ଷା ସହ ଝଡ଼ର ଥଣ୍ଡା ପବନରେ ଲ୍ୟାମ୍ପଟା ଲିଭିଗଲା । ଉବା, କି ଶୀତ...ଖଟର ଧାରକୁ ଲାଗି ମାସିମାଙ୍କ ଶଯ୍ୟା । ତାଙ୍କ କଅଁଳ ପାପୁଲିକୁ ଚାପଦେଲି । ଚାପ-ପ୍ରତିଚାପ ଭିତରେ ମୋର ରକ୍ତରେ ନିଆଁ ।

 

ସକାଳ ହେଲା । ମାସିମା ନାହାନ୍ତି ? ମୋ ଖଟ ତଳକୁ ଲତି ଶୋଇଛି । ବେଶବାସ ଅସଂଜତ ।

 

ଉଠି ବାହାରକୁ ଯାଇ ଦେଖିଲି, ଗୋଟିଏ ଝାଉଁଗଛକୁ ଆଉଜି କଇଁ କଇଁ କାନ୍ଦୁଛନ୍ତି ମାସିମା । ମୁଁ ତାଙ୍କୁ ଏକୁଟିଆ ପାଇ କୋଳକୁ ଆଉଜାଇ ଆଣି ପଚାରିଲି–କାହିଁକି କାନ୍ଦୁଚ ?

 

–ତୁମେ ମତେ କଷ୍ଟ ଦେଉଚ । ତୁମଠାରୁ ମୁଁ...

–ଆମେ ତ ସବୁଥିରେ...ଶିକ୍ଷା, ବୟସ, ସବୁ ଦୃଷ୍ଟିରୁ...

–ତୁମକୁ କେତେ ବର୍ଷ ?

ଆଲିଙ୍ଗନ ଭିତରେ ଭିଡ଼ି ଧରି କହିଲି-‘‘ତେଇଶି ।’’

ତେଇଶି...ତେଇଶି...ତେଇଶି । ସେ ଥିଲେ ତାଙ୍କୁ ଆଜି ହୋଇଥାନ୍ତା ତେୟାଳିଶି । (ସେ ନିଜକୁ ମୋ ଆଲିଙ୍ଗନରୁ ମୁକ୍ତ କରି ଧାଇଁଗଲା ।)

ତା’ପରେ ସେ ବହୁବାର ଆସିଛି । ଚୁମ୍ୱନ, ଆଲିଙ୍ଗନ ଭିତରେ ଦେହ ଲାଗି ମୋର ସମସ୍ତ ନିବେଦନ ସେ ପ୍ରତ୍ୟାଖ୍ୟାନ କରୁଥିଲା...ଆଖିରେ ଆଖିଏ ଲୁହ ନେଇ । ସେଇ କାଠଚମ୍ପାର ଛାଇ ତଳେ ତା’ର ଅନାବୃତ ବୁକୁର ସ୍ଥଳପଦ୍ମକୁ ମୋ ଅଞ୍ଜଳି ପୁଟରେ ତୋଳିଦେଇ ମୋ ଗଣ୍ଡରେ ତା’ର ଚଟୁଳ ଅଧରରୁ ଅମୃତ, ନୟନରୁ ଅଶ୍ରୁ ଢାଳି ସେ କହେ, ‘‘ଏତିକି ମୋର କାମ୍ୟ, କାମନା । ଏତିକିରେ ମୋର ପୂର୍ଣ୍ଣତା । ଆଉ ମୋର କିଛି ଲୋଡ଼ା ନାହିଁ ପ୍ରବୀର ! ମୁଁ କିଛି ଆଉ ଚାହେଁନି, ଏତିକି...କେବଳ ଏତିକି...’’

ମୁଁ ଚାହୁଁଥିଲି ଆହୁରି କିଛି ଅଧିକରୁ ଅଧିକ ।

ଏକ ରବିବାସରୀୟ ଅପରାହ୍ନରେ ସେ ଆସିଥିଲା । ତା’ର ଆଲିଙ୍ଗନ...ପ୍ରାଣଭରା ଚୁମ୍ୱନରେ ମୁଁ ଉତ୍ତେଜିତ ହୋଇ ତା’ର ନୀବିବଂଧନ ଶିଥିଳ କରିଦେଲି । ସେ ମୋ ହାତ ଭିଡ଼ି ଧରି ଗମ୍ଭୀର ସ୍ୱରରେ କହିଲା ‘‘ନାଁ...’’

 

–କାହିଁକି ?

–‘‘କଣ ଅଛି ଏ ଦେହରେ ପ୍ରବୀର ? ଗୋଟିଏ ପରେ ଗୋଟିଏ–ତିନୋଟି ମୃତ ବିକଳାଙ୍ଗ ସନ୍ତାନକୁ ଜନ୍ମକରି ଏ ଦେହରେ କି ଆକର୍ଷଣ ଅଛି ତୁମ ଭଳି ତେଇଶି ବର୍ଷର ତରୁଣ ମନ ଲାଗି ?’

ମୁଁ କହିଲି–ବୁଝୁଛି, ତୁମେ ଡରୁଛ ? କାଳେ ତୁମ ଦେହ ନେଲା ପରେ ଆଉ ତୁମକୁ ବିବାହ କରିବିନି ? ବେଶ୍, ମୁଁ ତୁମକୁ ଆଗେ ବିବାହ କରିବି ।

–ବିବାହ ? କିଏ କହୁଛି ମୁଁ ତୁମକୁ ବିବାହ କରିବାକୁ ଚାହେଁ ?

–ଆଉ ତୁମେ କ’ଣ ଚାହଁ ମତେ ଜଳେଇପୋଡ଼ି ମାରିବା ପାଇଁ ?

–ଶୁଣ ପ୍ରବୀର, ଅଧୈର୍ଯ୍ୟ ହୁଅନି, ରାଗି ଯାଅନି । ମୁଁ ତୁମକୁ ଭଲପାଏ, ଦେହ ମୋର ବଡ଼ ନୁହେଁ । ଉଚ୍ଛିଷ୍ଟ ମୋ ଦେହ, (କିଛି ସମୟ ରହିଯାଇ ସେ ପୁଣି କହିଲେ) ତୁମେ ନାରୀ ଦେହର ପରିଚୟ ପାଇନ ! ନାରୀ ଦେହର ଉଷ୍ମତା ଅନୁଭବ କରିନ । ସତେ ପ୍ରବୀର, ମୋ ଦେହରେ ଉଷ୍ମତା ନାହିଁ, କାମନା ନାହିଁ, ଉତ୍ତେଜନା ନାହିଁ, ଶିଥିଳ ଦେହ...ଶିଥିଳ ମନ... ।

ସେ ଶିଥିଳତା ଭିତରେ ମୁଁ ଦେଖିଛି କଠିନତା, ରାଣୀ ମୋର...(ସେ କଇଁ କଇଁ କାନ୍ଦୁଥିଲା)

–ବହୁ ପୁରୁଷ ମୋ ଅଧ୍ୟାପିକା ଜୀବନ ଭିତରେ ଆସିଛନ୍ତି...କିଏ ରାତିଟିଏ ଲାଗି କିଏ ଅବା ମାସଟିଏ ଲାଗି...ବିଦାୟ ବେଳାର ନମସ୍କାର ଭିତରେ ଆଉ ନ ଫେରିବାର ସଙ୍କେତ । କି କରୁଣ ପ୍ରବୀର...ମୁଁ ବିବାହ କରିବାକୁ ଚାହିଁଛି...ସେମାନେ ଚାହିଁଛନ୍ତି ଦେହ...ଥରୁଟିଏ, ରାତିଟିଏ...ଆଜି କିନ୍ତୁ ବିବାହ ଲାଗି ମୋର କାମନା ନାହିଁ...ଆଜି ମୁଁ ବି ଚାହେଁ ଦେହ...କିନ୍ତୁ ତୁମେ ପବିତ୍ର...ତୁମେ ତୁଳସୀ...ଅନାଘ୍ରାତ କୁସୁମ ତୁମେ...ମୋ କଥା ମାନିବ ପ୍ରବୀର, ମୋ ଛାତି ଛୁଇଁ ଶପଥ କର ।

ମୁଁ ଶପଥ କଲି ।

–ତୁମେ ଲତିକୁ ବିବାହ କର...ସେ ତୁମକୁ ଭାରି ଭଲପାଏ । ନୀରବ ପୂଜାରିଣୀ ପରି ତା’ର ବ୍ଲାଉଜ ଭିତରେ ସେ ତୁମ ଫଟୋଟିକୁ ରଖିଛି । ତୁମେ ତାକୁ ବିବାହ କର...ବିବାହ କର । ପାଇବ ଅକ୍ଷତ ଦେହର ପରିଚୟ ।

ମୁଁ ଶିଶୁଟି ପରି କାନ୍ଦିଉଠିଲି । ସେ କାନ୍ଦୁଥିଲେ । ଦୁହିଁଙ୍କର ଅଶ୍ରୁ ଭିତରେ ଧୋଇ ଯାଉଥିଲା ପ୍ରଣୟ-ବିଧୁର ଅଶ୍ରୁଳ ଇତି କଥା ।

ସେଦିନ ମୋର ବାସର...ମନର ପୁଞ୍ଚୀଭୂତ ବେଦନା ନେଇ ପ୍ରବେଶ କଲି ବାସରଘରକୁ । ଲତି ମଥାରେ ଚନ୍ଦନ, କୁଙ୍କୁମ ଭିତରେ ସିନ୍ଦୁରର ବଡ଼ ଟୋପାଟିଏ ଉଜ୍ଜ୍ୱଳି ଉଠୁଥାଏ-। ସେ ମତେ ପ୍ରଣାମ କଲା...ମୁଁ ତୋଳିଧରିଲି ତା’ର ଦେହ । ବିଜୁଳି ଆଲୋକର ପ୍ଳାବନ ଭିତରେ ମୁଁ ଦେଖିଲି ଲତି ଦେହର ପ୍ରତିଟି ଭଙ୍ଗିମା, ତନ୍ଦ୍ରାବିହୀନ ଛଳ ଛଳ ଚାହାଣିରେ କଳ୍ପଲୋକର ସ୍ୱପ୍ନ । ସ୍ତନାଗ୍ରରେ ବେପଥୁ...ତା’ପରେ...ହଁ ତା’ପରେ ଦୁଇଟି ଦେହର ପରିଚୟ ।

 

–‘‘ସୁଇଚଟା ଅଫ୍‍ କରି ଦିଅନ୍ତୁ !’’ ଲତିର ଲାଜ ଲାଜ ଚୁପ୍ ଚୁପ୍ କଥା...

 

–ସେଇ ଅନ୍ଧକାର ଭିତରେ ମୁଁ ପାଇଲି ନାରୀ ଦେହର ପ୍ରଥମ ପରିଚୟ...ଅକ୍ଷତ ନାରୀର-। ସେଇ ଅନ୍ଧକାରରେ ସେ ମୋ’ଠାରୁ ଶପଥ କରେଇନେଲା ଏକପତ୍ନୀ ବ୍ରତ...

 

ସୁପ୍ତା ରତିକ୍ଳାନ୍ତା ଲତିର ପରିଧେୟହୀନ ଦେହକୁ ଚାହିଁ ବାହାରକୁ ଉଠିଆସିଲି ।

 

କିଏ ଏ ନାରୀ ? ମୋ ପାଦ ଛୁଇଁ ପ୍ରଣାମ କରୁଛି ? ଏ ଯେ ମାସିମା...ଏତେ ରାତିରେ-? ବନାରସୀ ଶାଢ଼ି, ସିଲ୍‍କ ବ୍ଲାଉଜ, ମଥାରେ ଚନ୍ଦନ କୁଙ୍କୁମ...ଜୁଡ଼ାରେ ରଜନୀଗନ୍ଧା ।

 

‘‘ମତେ ତୋଳିନିଅ ପ୍ରବୀର !’’ ଏ ଦେହ ତୁମର । ସେ ମତେ ନିବିଡ଼ ଆଲିଙ୍ଗନ କଲେ । ଚୁମ୍ୱନ ପରେ ଚୁମ୍ୱନ ଢାଳି ଦେଉଥିଲେ । ମତେ ଭିଡ଼ି ଧରି କାଠଚମ୍ପାର ତଳକୁ ନେଇଗଲେ ।

 

‘‘କୁହ ପ୍ରବୀର କିଏ ସୁନ୍ଦର ? କାହା ଦେହ ତୁମକୁ ଭଲ ଲାଗେ ?’’

 

କ’ଣ କହିଥାନ୍ତି–କିଏ ସୁନ୍ଦର...ଜଣକର ଉଜ୍ଜ୍ୱଳ ଦେହ, ପୀନ ବୁକୁ, ଲୋମହୀନ ବାହୁ ତଟ, ମାଂସଳ ନିତମ୍ୱ, ଛଳଛଳ ଆଖି...

 

ଅନ୍ୟର ଉଚ୍ଛଳ ଦେହ, ସ୍ୱର୍ଣ୍ଣାଭ ବକ୍ଷୋଜ, ବିପୁଳ ନିତମ୍ୱ, ଲୋମବହୁଳ ବାହୁମୂଳ, ଅଶ୍ରୁଳ ଆଖି...କିଏ ସୁନ୍ଦର ?

 

‘‘ବିଳମ୍ୱ କରନି...ତୋଳିନିଅ ମୋ ଦେହ, ଭିଡ଼ି ଧର...ଯାହା ଚାହିଁଥିଲ ନିଅ...ନିଅ ।’ ସେ ମତେ ନିବିଡ଼ ଆଲିଙ୍ଗନ ଭିତରେ ଚାପିଧରି ଖୋଜୁଥିଲା କାମନାର ଚାରା ।

 

‘‘ନାଁ, ମତେ କ୍ଷମାକର ମାସିମା !’’

 

କାହିଁକି ? ଓ, ତୁମେ ଡରୁଛ, ଡରୁଛ ସାମାନ୍ୟ ଲତିକୁ...ତାକୁ ମୁଁ ତୁମକୁ ଦେଇଥିଲି–ଜୀବନର ପ୍ରଥମ ନାରୀଦେହର ପରିଚୟ ଅକ୍ଷତ କୁମାରୀ ଦେହରୁ ପାଇବ ବୋଲି । ପାଇଲ...ଏଥର ମତେ ନିଅ...ମତେ ମୁକ୍ତି ଦିଅ ।

 

‘‘ଆସ୍ତେ କଥା କୁହ, ଲତି ଶୁଣିବ ।’’

 

‘‘ଇସ୍, ତୁମେ ଡରୁଛ...ଲତିକୁ...ବେଶ୍ ମୁଁ ଯାଉଛି । ବିଦାୟ ବେଳାର...ସେଇ ଆଶୀର୍ବାଦ ତୁମେ ସୁଖୀ ହୁଅ । ଦାମ୍ପତ୍ୟ-ଜୀବନ ତୁମର ପୁଷ୍ପାମୃତ ହେଉ । ମୋ ପ୍ରେମ ତୁମ ଜୀବନରେ କେବଳ ବିଷ ହିଁ ସୃଜିଲା–’’ ସେ ମୋତେ ଆଲିଙ୍ଗନରୁ ମୁକ୍ତ କଲେ । ଦୂରରେ ଅସ୍ପଷ୍ଟ ଛାଇଟି ଦୀର୍ଘଶ୍ୱାସ ଛାଡ଼ିଲା...ମାସିମା ଚାଲି ଯାଉଥିଲେ । ଛାଇ କଥା କହୁଥିଲା । ‘ଅପା ଚାଲିଗଲା ଯେ, ତାକୁ ଅଟକାଅ...ତାକୁ ଡାକ । ଛାଇ କାନ୍ଦୁଥିଲା ମୋ ଛାତି ଉପରେ । ସେ ଲୁହରେ ଚନ୍ଦନ-କୁଙ୍କୁମ ଧୋଇ ହୋଇ ଯାଉଥିଲା ।

 

ମୁଁ ମୂକ ପାଲଟି ଯାଇଥିଲି ।

 

*(ପୂଜାସଂଖ୍ୟା ‘ସ୍ୱାତୀ’ରେ ପ୍ରକାଶିତ ।)

 

*(ବାଲେଶ୍ୱର ଫକୀର ମୋହନ ସାହିତ୍ୟ ସଂସଦରେ ପଠିତ ଓ ଆଲୋଚିତ ।)

☆☆☆

 

ଅନ୍ଧକାରର ଆତ୍ମା

 

ଏ ଆକାଶ, ଏତେ ନୀଳ...ଏତେ ରଙ୍ଗ...ଏତେ ଅନ୍ଧକାର, ଏତେ ବାଦଲ...ଏତେ ପୁଣି ଜ୍ୟୋତ୍ସ୍ନା...ସୁନନ୍ଦର ଏତେ ସ୍ୱପ୍ନ, ଏତେ ଆଶା, ଏତେ ପାପ, ଏତେ ପୁଣ୍ୟ, ଏ ଜୀବନ ଏତେ ନିଛାଟିଆ ! ସୁନନ୍ଦ ପାରାପେଟ୍‍କୁ ଆଉଜି ଆକାଶକୁ ଚିରି ଚିରି ଦେଖୁଥିଲା ।

 

ସୁନନ୍ଦ ପାଣିଗ୍ରାହୀ ବିଦ୍ରୋହୀ । ସୁନନ୍ଦ ପାଣିଗ୍ରାହୀ ବିପ୍ଳବୀ । ଏଇ ତା’ର ପରିଚୟ ।

 

ସୁନନ୍ଦ ଆଜି ଚକୋର ପରି ଜ୍ୟୋତ୍ସ୍ନା ପିଉଛି । ଆହା କି ସ୍ୱାଦ ! କିଏ ସେ ନାଚି ନାଚି ଆସୁଛି...ଜ୍ୟୋତ୍ସ୍ନାର ତରୁଣୀ...ଜ୍ୟୋତ୍ସ୍ନା ନାଚୁଛି, ଖାଲି ନାଚୁଛି ।

 

ସନ୍ତ୍ରାସବାଦୀଦଳର ନୈଶ ବୈଠକ ଚାଲିଥିବ । ସୁନନ୍ଦ ପାଣିଗ୍ରାହୀର ସତରବର୍ଷର ରାଜନୈତିକ ଜୀବନର ପ୍ରଥମ ଅନୁପସ୍ଥିତି କମ୍ରେଡ଼-ବନ୍ଧୁମାନଙ୍କୁ ବିସ୍ମିତ କରିଥିବ । ନାଁ, ସୁନନ୍ଦ ପାଣିଗ୍ରାହୀ ଯିବ ନାହିଁ ବୈଠକକୁ...ନାଁ ଯିବ ନାହିଁ । କାହିଁକି ? କାହିଁକି ? ସେ ନିଜେ ବି ବୁଝି ପାରୁ ନଥିଲା ।

 

ଏ ଆକାଶ ଏତେ ବଡ଼, ଏତେ ବିରାଟ ଆଉ ତା’ର ସଂଘ କେତେ ଛୋଟ ! ସେ ନିଜେ ଆହୁରି ଛୋଟ ହୋଇ ଯାଉଛି ।

 

ସୁନନ୍ଦ ପାଣିଗ୍ରାହୀ ଆକାଶକୁ ଡବ ଡବ ଆଖିରେ ଚାହିଁଥିଲା । ଛାତି ଭିତରର ବିକଳ ସାନ୍ଦ୍ର ନିଃସଙ୍ଗତା । ଆକାଶ ଭିତରେ ସେ ନିଜକୁ ଆବିଷ୍କାର କରୁଥିଲା ।

 

ଆକାଶର ମାଇଲ ମାଇଲ ବ୍ୟାପୀ ନୀଳିମା ଭିତରେ, ସତେ ଆଜି ସେ ଯେପରି ଏକ ମାଇଲ ଖୁଣ୍ଟି ।

 

ଏ ଆକାଶ ଗନ୍ଧହୀନ, ସ୍ପର୍ଶହୀନ । ସୁନନ୍ଦ ଆଉ ମାଇଲଖୁଣ୍ଟି ନୁହେଁ । ସେ ବିରାଟ, ସେ ବିପୁଳ, ସେ ଅନନ୍ତ, ଅନନ୍ତ ଆକାଶ ।

 

ଆକାଶରେ ଉଡ଼ିଗଲେ ଛୋଟ ଏକ ପକ୍ଷୀର ଦଳ । ଆକାଶକୁ ସେ ଉଡ଼ିଯିବ, ବାହୁରେ ପହଁରି ପହଁରି ମିଶିଯିବ ଏ ପକ୍ଷୀର ଦଳରେ । ଛାଡ଼ିଯିବ ତା’ ଦଳ, ତା’ ସଂଘ ।

 

ଏ ଆକାଶ ଏତେ ସୁନ୍ଦର, ଏତେ ଲୋଭନୀୟ । କେତେ ହୀରା, କେତେ ନୀଳା, କେତେ ମୋତି, କେତେ ଯେ ମାଣିକ...କେତେ ମଲ୍ଲୀ, କେତେ ଜୁଈ, କେତେ ହେନା, କେତେ ଯେ ରଜନୀଗନ୍ଧା ।

 

ସୁନନ୍ଦ ପାଣିଗ୍ରାହୀ ଆକାଶକୁ ନୂଆ କରି ଦେଖୁଥିଲା । ସତରବର୍ଷର ରାଜନୈତିକ ଜୀବନରେ ଥରେହେଲେ କ’ଣ ସେ ଆକାଶକୁ ଚାହିଁ ନ ଥିଲା ? ରାତି ରାତି ମୁକ୍ତ ଆକାଶ ତଳେ ବସି ରହି ସେ ରେଲଉଏ ପୋଲରେ ଡିନାମାଇଟ୍ ଖଞ୍ଜିଛି...ଥରଟିଏ କ’ଣ ସେ ଆକାଶକୁ ଚାହିଁନି-?

 

ଗହୃହୀନ, ପରିବାରହୀନ ସୁନନ୍ଦର ଆକାଶ ତଳ ହିଁ ବର୍ଷ ବର୍ଷ ରାତ୍ରିର ଆଶ୍ରୟସ୍ଥଳୀ, ଆକାଶକୁ ଦେଖିଛି ବୋଲି ମନେପଡ଼ୁନି...ସବୁ ନୂଆ...ନୂଆ ମନ, ନୂଆ ପ୍ରାଣ, ନୂଆ ଜୀବନ... ଆଉ ଏ ନୂଆ ଆକାଶ ! ସୁଦୀର୍ଘ ସତର ବର୍ଷ ରାଜନୀତିରେ କାହିଁ ଥିଲା ଜୀବନ ? କାହିଁ ଥିଲା ପୂର୍ଣ୍ଣତା ? କେଉଁଠି ?

 

ଆକାଶ ଭିତରେ ସୁନନ୍ଦ ଦେଖୁଥିଲା ପୂର୍ଣ୍ଣ...ପରିପୂର୍ଣ୍ଣ ଜୀବନ, ଜୀବନର ସମସ୍ତ ପୂର୍ଣ୍ଣତା-

 

ତା’ ଜୀବନର ସମସ୍ତ କାଳିମା ପୋଛି ହୋଇଯାଇଛି–ଜୀବନର ସମସ୍ତ ଶୂନ୍ୟତା ଭରିଯାଉଛି ଚେନା ଚେନା ଆକାଶରେ ।

 

ଉଲଗ୍ନ ଆକାଶୀ–ଦେହଲତାର ଆଲିଙ୍ଗନ, ଇସ୍ କି ସ୍ନିଗ୍‍ଧ, କି ମଧୁର, କି ମାଦକଭରା ଏଇ ବାସ୍ନା, ଏଇ ଗନ୍ଧ, ଏ ସୌରଭ ଜୀବନର ପ୍ରଥମ !

 

ସୁନନ୍ଦ ଦେଖୁଥିଲା କୃଷ୍ଣକଳି ବାଦଲ ଘେରି ଯାଉଥିଲା ଆକାଶ । ଝଡ଼ ଆରମ୍ଭ ହୋଇଛି...ଏଥର ସେ ଉଡ଼ିପାରିବ, ପକ୍ଷୀଦଳ ନିଶ୍ଚିହ୍ନ ହେଲେଣି, ସେ ଏକା ଉଡ଼ିବ, ଉଡ଼ିଯିବ–କୋଟି କଣ୍ଠର ଡାକ ସେ ଆଉ ଶୁଣିବନି ।

 

ଏଥର ସେ ଉଠି ଠିଆହେଲା–ବାହୁ ପ୍ରସାରି ନଇଁ ଆସିଲା । ପଦତଳୁ ସିମେଣ୍ଟ ଚଟାଣ ଖସି ଯାଉଥିଲା । ସେ ଉପରକୁ ଉଠିବାକୁ ଶେଷ ଚେଷ୍ଟା କଲା । ଖସି ଯାଉଥିଲା ତଳକୁ ତଳକୁ ।

 

ତଳେ ମାଇଲ ମାଇଲ ନିରବଚ୍ଛିନ୍ନ ଅନ୍ଧକାର...କ୍ରୁଶବିଦ୍ଧ ଅନ୍ଧକାର...ଅନ୍ଧକାରରେ ଆତ୍ମା ହଜି ଯାଉଥିଲା ।

 

*(ପୂଜାସଂଖ୍ୟା ‘କଳିଙ୍ଗ’ରେ ପ୍ରକାଶିତ ।)

☆☆☆

 

ପୌଷର ପ୍ରାର୍ଥନା

 

ପହିଲି ପୌଷ...

 

ହେ ପ୍ରଭୁ, ହେ ମୋର ଅନ୍ତରର ଅନ୍ତରତମ–ତୁମେ ବୁଦ୍ଧ ହୁଅ ଅବା ଖ୍ରୀଷ୍ଟ ହୁଅ, ଆଲ୍ଲା ଅବା କୃଷ୍ଣ–ତୁମେ ଆଜି ମନେପଡ଼ୁଚ–ପୌଷର ସ୍ପର୍ଶରେ ମୁଁ ଆଜି କ୍ଳାନ୍ତ ପ୍ରଭୁ, ବଡ଼ କ୍ଳାନ୍ତ–ଇଚ୍ଛା ହେଉଛି ପ୍ରାର୍ଥନା ଗାଇବାକୁ–ସ୍ତୁତି, ପ୍ରଶସ୍ତି–ପାରୁନି ପ୍ରଭୁ ପାରୁନି–ମୋ ପ୍ରକୋଷ୍ଠର କୋଣରେ ବସି ଲୁସି ମତେ ଚାହିଁଛି–ତା’ ଆଖି ମତେ କହୁଛି, ‘‘ମୋ’ ପାଇଁ ପ୍ରାର୍ଥନା କର, ମୋ ପାଇଁ–ମତେ ପଶୁ ଜନ୍ମରୁ ମୁକ୍ତି ଦିଅ’’–ମୁଁ ଏ ଘରର କର୍ତ୍ତା ଆଉ ସେ ମୋର ଅନ୍ନରେ ପାଳିତ । ତା’ର କ’ଣ ଅଧିକାର ନାହିଁ ମତେ ଅନୁରୋଧ କରିବାକୁ ? ମିନତି କରିବାକୁ ? ଇସ୍, କି ବିକଳ ତା’ ଆଖିଯୋଡ଼ାକ !

 

ପୌଷ...

 

କାଲି ଗାଇ ପାରିଲିନି ପ୍ରାର୍ଥନା–କ୍ଷମା କର ପ୍ରଭୁ–ଆଜି ବି ପାରୁନି–ଆଜି ବି ପାରୁନି–ପାପ କ’ଣ ଜାଣିନି ପ୍ରଭୁ, ପୁଣ୍ୟ କ’ଣ ତା’ ବି ଜାଣିନି–ପାପର ପରିଚୟ ଦିଅ, ଆଉ ପୁଣ୍ୟର ବି...ମୋ ଅନ୍ତର କାହିଁକି ଭୟଭୀତ ହେଉଚି...କାହିଁକି, କାହିଁକି ଏ ଭୟ ! ଲୁସି ଆଖିରୁ ଲୁହ ଝରୁଛି ।

 

ପୌଷ...

 

ଆଜି ଗୀତା ପଢ଼ିଲି–ତୁମେ ମୋ ଅନ୍ତର ଭିତରେ କାମ...ତୁମେ କ୍ରୋଧ, ତୁମେ ମୋହ...ସତ ? ଏହା କ’ଣ ପ୍ରଭୁ ସତ ? ଏହା କ’ଣ ପ୍ରଭୁ ସତ ? ଲୁସି ମୁଣ୍ଡ ଟୁଙ୍ଗାରୁଛି ।

 

ପୌଷ...

 

ଆଜି ଗାଇବି ପ୍ରାର୍ଥନା ପ୍ରଭୁ, ଆଜି ଗାଇବି...ଆଜି ବେଶ୍ ଭୟଶୂନ୍ୟ ଲାଗୁଛି...ତୁମେ ସୃଷ୍ଟି କର, ସୃଜନ କର...ସେ ତୁମର ଧର୍ମ...ମୁଁ ତୁମକୁ ମୋ ଭିତରେ ଆଜି ଆବିଷ୍କାର କରିଛି । ମୋର ସୃଷ୍ଟି କରିବା ଧର୍ମ । ଯେଉଁଠି ଥାଏ, ଯେଉଁ ଅବସ୍ଥାରେ ଥାଏ, ମୁଁ କେବଳ ସୃଷ୍ଟି କରିବି ଠିକ୍ ତୁମରି ଭଳି...ପ୍ରାର୍ଥନା ଆଜି ଗାଇ ପାରିଲିନି ପ୍ରଭୁ–ଗାଇ ପାରିଲି ନାହିଁ । ଲୁସି ତା’ର ଫୁଲିଲା ପେଟକୁ ଚାଟୁଛି ।

 

ପୌଷ...

 

ଗୀର୍ଜାଘଣ୍ଟା ବାଜୁଛି । କିଛି ସମୟ ବାଜିବ–ଏ ଘଣ୍ଟା କାହିଁକି ବାଜେ ? ଏ କ’ଣ ମୃତ୍ୟୁର ଧ୍ୱନି ? ମୃତ୍ୟୁ...ଧ୍ୱନି ଭିତରେ ମୂର୍ଚ୍ଛାଳଆ ଶିହରଣ । ମୃତ୍ୟୁକୁ ଭୟ କରୁଛି–ବଡ଼ ଭୟ, ଭୟରେ ପ୍ରାର୍ଥନା ଭୁଲ୍ ହେବ । କାଲି ଗାଇବି ପ୍ରଭୁ...କାଲି ଗାଇବି ।

 

ପୌଷ...

 

ନଦୀର ସେପାରିର ବୁଦାମୂଳୁ ସୂର୍ଯ୍ୟ ଉଇଁଲେଣି–ତୁମରି ପ୍ରଥମ ସୃଷ୍ଟି ସୂର୍ଯ୍ୟ । ପୃଥିବୀର ଅପବିତ୍ରତାକୁ ନିଃଶେଷ କରି ସେ ସବୁଠାରୁ ପବିତ୍ର–ସବୁଠାରୁ ଶୁଦ୍ଧ...କିନ୍ତୁ ଏତେ ପବିତ୍ରତା ସ୍ପର୍ଶରେ ବି ସେ ଗଛର ପତ୍ରଗୁଡ଼ାକ ଝଡ଼ିଗଲା କାହିଁକି ?...କାହିଁକି ଏ ଝଡ଼ାପତ୍ରର ଝଡ଼ ?

 

ପୌଷ...

 

ପ୍ରଭୁ...ହେ ମୋର ପ୍ରିୟତମ ! ଏଠି ସମସ୍ତେ ତୁମର ପ୍ରାର୍ଥନା ଗାଆନ୍ତି, କିନ୍ତୁ ସେମାନେ ତୁମକୁ ଚିହ୍ନନ୍ତି ନାହିଁ । ମୁଁ ତୁମକୁ ଚିହ୍ନିବାକୁ ଚାହେଁ, ଚିହ୍ନିବାକୁ–ଲୁସି ଆଖିରେ ବିସ୍ମୟ କାହିଁକି ?

 

ପୌଷ...

 

କାଲି କହିଥିଲି ମୁଁ ଚିହ୍ନିବାକୁ ଚାହେଁ ତୁମକୁ । ଆଜି ମୁଁ ତୁମକୁ ଚାହିଁଛି–ତୁମେ ଆସ, ମତେ ଗ୍ରହଣ କର । ଲତୁ କୁହେ ମୁଁ ତାକୁ ଭଲପାଏ–ଲତୁକୁ ଭଲପାଇବାରେ ମୋର ପ୍ରେମ ତ ଶେଷ ହୋଇଯାଇନି–ମୁଁ ଲୁସିକୁ ବି ଖୁବ୍ ଭଲପାଏ–କାହିଁ ମୋର ଭଲ ପାଇବାର ଶେଷ–ସେ ଶେଷ ତ ତୁମଠି ପ୍ରଭୁ ତୁମଠିଁ...

 

ପୌଷ...

 

ଆଜି ପ୍ରଭୁ ବାଇବେଲ ପଢ଼ୁଥିଲି-‘‘ତୁମେ ମଣିଷ ପାଇଁ ଉଚ୍ଚତମ ଆନନ୍ଦର ବ୍ୟବସ୍ଥା ରଖିଛ’’-ବୁଝୁଛି ସେ ଆନନ୍ଦ ମଣିଷକୁ ଖାଲି ପ୍ରେମ କରିବାରେ ନାହିଁ–ମଣିଷ ଭିତରେ ଆଉ କିଛି–? ବୁଝିପାରୁନି ପ୍ରଭୁ, ବୁଝିପାରୁନି–ମୁଁ ନାରୀକୁ ପ୍ରେମ କରିଛି, ଶ୍ୱାନକୁ ପ୍ରେମ କରିଛି, ତୁମକୁ ପ୍ରେମ କରିପାରିବି–ପ୍ରେମ, ସେ ତ କେବଳ ତୁମରି ଦାନ, ପ୍ରଭୁ ତୁମରି ଦାନ...

 

ପୌଷ...

 

ମସ୍‍ଜିଦରେ ପ୍ରାର୍ଥନା ଚାଲିଛି...ଗୀର୍ଜାଘଣ୍ଟା ବି ବାଜୁଛି...ମନ୍ଦିରରେ ଆରତି ମନେହୁଏ ହେଉଛି...ସବୁଠି ତୁମରି ପ୍ରାର୍ଥନା, ତୁମରି ସଙ୍ଗୀତ, ତୁମରି ସ୍ତୁତି–ମୋ ପ୍ରେମରେ ବାନ୍ଧି ହେବନି କି ପ୍ରଭୁ ? ଭକ୍ତି ଆଉ ପ୍ରେମ, ତୁମେ କ’ଣ ଚାହଁ ପ୍ରଭୁ, କ’ଣ ଚାହଁ ?...କୁହ । ଲୁସିର ମୋ ପ୍ରତି ଭକ୍ତି ଛଡ଼ା ଆଉ କ’ଣ ଅଛି ?

 

ପୌଷ...

 

ଆଜି ବହୁତ ରାତି...ସତେ ପ୍ରଭୁ ରାତି ଗଭୀର ହେଉଛି । ଘରସାରା ନିରବଚ୍ଛିନ୍ନ ଅନ୍ଧକାର...ଏଇ ଅନ୍ଧକାରରେ ତୁମେ ଆସିବ । ଏଇ ଯେ ଆଲୋକ ଜାଳିଲି...ଅନ୍ଧକାର କାଟି କାଟି ଆଲୋକର ଗତି...କିଏ ଏ ନାରୀ ଉଲଗ୍ନ ହୋଇ ଶୋଇଛି ମୋ ଶଯ୍ୟାରେ...ନାଁ ନାଁ, ଏ ତ ମୋର ଶବାଧାର...କାହିଁକି ସେ ଉଲଗ୍ନ ? –କ’ଣ ତା’ର କାମନା ? ଉଲଗ୍ନ ଅଥଚ ସୁପ୍ତା...ସେ ମତେ ବେଶ୍ ଆନନ୍ଦ ଦେଉଛି...ମନେହୁଏ ସେ ମୋରି ପାଇଁ ଉଲଗ୍ନ...ଏ ତ ଉଲଗ୍ନ ସତ୍ୟ ! ତୁମର ସୃଷ୍ଟିରେ ଏ ଉଲଗ୍ନ ନାରୀକୁ ଦେଖି ମୁଁ ବିସ୍ମିତ ନୁହେଁ, ମୋଟେ ନୁହେଁ...ମୋ ଲୁସି ତ ଚିରଦିନ ଉଲଗ୍ନ...

 

ପୌଷ...

 

ଅଛି ମୁଁ ପୁଣି ଭୟଭୀତ । ସତେ ଯେପରି ଗୋଟାଏ ଡକାୟତଦଳ ମୋ ଚାରିପିଠି ଘେରି ଯାଇଛନ୍ତି...ମନେହେଉଛି, ଡକାୟତମାନେ ଚାଲିଗଲେ...ଗୋଟାଏ ପୋଲିସ କର୍ଡ଼ନ ଭିତରେ ମୁଁ ଅଛି...ଜଣେ ସିପାହୀ ହାତକଡ଼ି ନେଇ ମୋ’ ଆଡ଼କୁ ଆସୁଛି–କାହିଁକି ? କାହିଁକି ଏ ଭୟ ପ୍ରଭୁ ? ଏ ଯେ ମୃତ୍ୟୁଠାରୁ ଭୟଙ୍କର !

 

ପୌଷ...

 

ମୁଁ ଏକ ଅଳସୁଆ ଭକ୍ତ ତୁମର ପ୍ରଭୁ, ଏକ ଅଳସୁଆ ଭକ୍ତ...ପ୍ରାର୍ଥନା ଗାଇବି ବୋଲି ପୌଷର ରାତି ପାହିଲା...ପ୍ରଭୁ ମତେ କ୍ଷମାକର, ମତେ କ୍ଷମାକର...

 

ପୌଷ...

 

ଆଜି ବଡ଼ ଶୀତ...ଉଃ ! କି ଶୀତ...ଥରିଉଠୁଛି ମୋ ଦେହ–ଏଇ ଶୀତର ସ୍ପର୍ଶ ଭିତରେ ମୁଁ ତୁମରି ସ୍ପର୍ଶ ପାଉଛି–ତୁମରି ସ୍ପର୍ଶ ପାଉଛି...ତୁମର ସ୍ପର୍ଶ ବଡ଼ ହିମ ନାଁ...

 

ପୌଷ...

 

ତିନୋଟି ସହରରେ ମୁଁ ଦେଖିଛି ତୁମରି ମନ୍ଦିର, ଗୀର୍ଜା, ମସ୍‍ଜିଦ୍ । ଚାରୋଟି ସହରରେ ମୁଁ ଶୁଣିଛି ତୁମରି ପ୍ରାର୍ଥନା, ସ୍ତୁତି ସଙ୍ଗୀତ...କିନ୍ତୁ ଗାଇପାରିନି ତୁମର ପ୍ରାର୍ଥନା...ଏଥର ପ୍ରଭୁ ଗାଇବି ତୁମରି ପ୍ରାର୍ଥନା ପ୍ରଭୁ ତୁମରି...ଏଇଠି ବସି...

 

ପୌଷ...

 

ଆଜି ପ୍ରଭୁ ମୋର ମନେପଡ଼ୁଛି ବନ୍ଧୁ କୈଳାସର କଥା...ସେ ତୁମକୁ ବିଶ୍ୱାସ କରେନି ପ୍ରଭୁ...ତୁମର ଅସ୍ତିତ୍ୱକୁ ବି ସ୍ୱୀକାର କରେନି–ତୁମେ ତାକୁ କ୍ଷମାକର ପ୍ରଭୁ, ତୁମେ ତାକୁ କ୍ଷମାକର...

 

ପୌଷ...

 

ଚତୁଃପାର୍ଶ୍ୱରେ କ୍ରୁଶବିଦ୍ଧ ଅନ୍ଧକାର–ଏଇ ଜାହାଜ ଜାହାଜ ଅନ୍ଧକାର ଚିରି ସେଇ ଦୂରର ସେଇ ପୁରୁଣା କୋଠାଟିର ଝରକା ଫାଙ୍କରେ ଯେ ଆଲୋକ ଦେଖାଯାଉଛି, ସେ କ’ଣ ତୁମରି ଆଲୋକ ପ୍ରଭୁ !

 

ପୌଷ...

 

ରାତି ୩ଟା–ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଭିତରେ ମୁଁ ତୁମରି ପଦଧ୍ୱନି ଶୁଣୁଚି ପ୍ରଭୁ...ନିଶାଚର-ପକ୍ଷୀର ରାବ ଭିତରେ ତୁମରି ପ୍ରାର୍ଥନା ଶୁଣୁଛି...କିନ୍ତୁ ଗାଇପାରୁନି ମୁଁ ତୁମର ପ୍ରାର୍ଥନା...

 

ପୌଷ...

 

ପ୍ରାର୍ଥନା ଗାଇବି ବୋଲି ଗାଇପାରୁନି ପ୍ରଭୁ...କିପରି ଗାଇବି କୁହ ? କେତେ କଥା ମୋର କହିବାକୁ ଅଛି...କହି ସରିଲେ ତ ?

 

ପୌଷ...

 

ଏଇ ଯେ ଶିଶୁପୁତ୍ର ଶୋଇଛି...ଓଠରେ ତା’ର ପ୍ରଶାନ୍ତି...ତା’ର ଟିକି ଟିକି ଆଙ୍ଗୁଳି, ଟିକି ଟିକି ନଖ, ଛୋଟ ଛୋଟ ଭ୍ରୂ ଭିତରେ ମୁଁ ଦେଖୁଛି ତୁମର ତୁଳିର ଶିଳ୍ପନୈପୁଣ୍ୟ...

 

ପୌଷ...

 

କିଛି ମାଗିନି ପ୍ରଭୁ...ମାଗିବାର ପିପାସା ତ ନଥିଲା...ଆଜିବି ନାହିଁ ପ୍ରଭୁ !

 

ପୌଷ...

 

ଏ ରାତି, ଏ ଶୂନ୍‍ଶାନ୍...ଏ ଭିତରେ ତୁମେ ଆସ ପ୍ରଭୁ ! ଗାଇ ପାରିବିନି ତୁମ ପ୍ରାର୍ଥନା...ପ୍ରାର୍ଥନା ତ ସଙ୍ଗୀତ...ମୋ ଗଦ୍ୟମୟ ଜୀବନରେ ସଙ୍ଗୀତ ଆସିବ କେଉଠୁଁ ପ୍ରଭୁ ? କେଉଠୁଁ...

 

ପୌଷ...

 

ପ୍ରଭୁ ! ତୁମ ଚରଣରେ ଶିଶୁ ଭଳି କାନ୍ଦିପାରିଲେ ମୁଁ ଶାନ୍ତି ପାଇପାରନ୍ତି...ତୁମ ପ୍ରାର୍ଥନା ଗାଇପାରିଲିନି...ଯାହା ଲୁସି କରିପାରିଲା...ତା’ର ସେ ଭୁକିବା ଭିତରେ ସେ କେବଳ ତୁମରି ପ୍ରାର୍ଥନା ଗାଉଛି...

 

ପୌଷ...

 

ତୁମକୁ ଭାବିଲେ ନାରୀ ମୂର୍ତ୍ତିଟି ଦେଖୁଛି । ଭଗବାନ୍ ! ତୁମେ ନାରୀ ନାଁ ପୁରୁଷ ? ବୁଝୁଛି, ବୁଝୁଛି, ତୁମେ ଅର୍ଦ୍ଧନାରୀଶ୍ୱର ।

 

ଶେଷ ପୌଷ ।

 

ପୌଷର ଆଜି ଶେଷ ତିଥି ପ୍ରଭୁ...ଗାଇପାରିଲିନି ତୁମର ପ୍ରାର୍ଥନା...ଏଇଯେ ପୌଷ ମନ୍ଦିରର ଚୂଡ଼ାରେ ବିଦାୟ ନେଉଛି, ସେ ତ ଆଉ ଫେରିବନି ପ୍ରଭୁ...ଫେରିବ ଆଉ ଏକ ପୌଷ, ଆଉ ଏକ ଜନ୍ମ...ମୁଁ ଜନ୍ମଜନ୍ମାନ୍ତରରେ ବିଶ୍ୱାସ କରେ...ସ୍ୱର୍ଗ ଅଛି କି ନର୍କ ଅଛି, ଜାଣେନି ପ୍ରଭୁ...ଯଦି ସ୍ୱର୍ଗ ଅବା ନର୍କ ବୋଲି କିଛି ଥାଏ–ତେବେ ଲୁସିକୁ ମୋ ସ୍ୱର୍ଗ ଦିଅ, ମତେ ନର୍କ ଦିଅ ପ୍ରଭୁ–ମତେ ନର୍କ ଦିଅ–ସେଇଠି ମୁଁ ଗାଇବି ପୌଷର ପ୍ରାର୍ଥନା ।

 

ହେ ଈଶ୍ୱର ! ମତେ କ୍ଷମାକର ।

 

*(ରବିବାସରୀୟ ସାହିତ୍ୟ-ସଂସଦରେ ପଠିତ ଓ ଆଲୋଚିତ ।)

☆☆☆

 

ଏ, ଐ, ଐରାବତ

 

‘‘ଏଠାକୁ...ମୋ କୋଲକୁ ଆ...ଆନ୍ତେଇଛୁ କାଇଁକି ? ପାଟ ପଡ଼ିନୁ କାହିଁକି ? ମାଟ୍ରେ ତତେ ଆନତେଇଛନି...’’

 

‘‘ଆଖି ବୁଜି ତତେ ଆଈମା’ କନ କଏ ? କଇବୁନି ?’’ ଟୁକୁନାର କଥା ଶୁଣିଥିଲେ ତା’ ଆଈମା’...ଆଉ ମୁଁ, ତା’ର ଘରୋଇ ଶିକ୍ଷକ ।

 

ଆଈମା’ କହିଲେ, ‘‘ଏ ଟୋକା, ଠାକୁରଙ୍କୁ ତୁ ତା’କର କରନ୍ତି ?’’ ଟୁକୁନା ଏଥର ଆରମ୍ଭ କଲା, ‘ଏଠାକୁ, ତୋତେ ଆଈମା’ କଇଛି ତମେ କଇବି...ତମେ ଖେଳୁନୁ କାଇକି ? ଆ...ଆ...ଖେଲିବୁ...ଆ...ତମେ ଆ...ଆ...’’ ତିନିବର୍ଷର ଟୁକୁନାର କଥା ଠାକୁର ଶୁଣୁଥିଲେ କି ନାଇଁ ମୁଁ ସବୁ ଶୁଣୁଥିଲି ।

 

‘‘ହଇରେ ଟୁକୁନା...ବୋଉ ପାଖରୁ କଦଳୀ ନେଇଆ...ଠାକୁରଙ୍କୁ ଭୋଗ ଦେବା ।’’

 

‘‘କଦଲୀ ଆନିବି କଦଲୀ’ ? ଟୁକୁନା ଚାଲିଗଲା ବୋଉ ପାଖକୁ...’’

 

‘‘କିରେ କଦଳୀ କାହିଁ ?’’

 

‘‘ଖାଲି ଦେଲି’’ ।

 

‘‘କିରେ ଖାଇଲୁ ତୁ ?’’

 

ବାଲେଶ୍ୱର ଜିଲ୍ଲା ଚଷାପଡ଼ା ଗାଁ ଛାଡ଼ି ଅମୃତ ସହରରେ ମୋର ଦଶବର୍ଷ ଶିକ୍ଷକତା ପରେ ଟୁକୁନା ମୋରି ପ୍ରଥମ ଓଡ଼ିଆ ଛାତ୍ର...ତା’ ବାପା ମୋର ବାଲ୍ୟବନ୍ଧୁ ମନ୍ମଥବାବୁଙ୍କର ପାଞ୍ଚ ଝିଅରେ ପୁଅ ଟୁକୁନା... ମନ୍ମଥବାବୁ ଦିଲ୍ଲୀରୁ ଅମୃତ ସହରକୁ ବଦଳିହୋଇ ଆସିବା ଦିନଠୁ ମୁଁ ଟୁକୁନାର ‘‘ମାଟ୍ରେ ।’’

 

ଟୁକୁନାର ବିଦ୍ୟାରମ୍ଭ । ମୁଁ ସ୍ଲେଟରେ, ‘ଅ’ ଲେଖିଦେଇ ପଚାରିଲି, କ’ଣ ଟୁକୁନା ?

 

–ଅ

 

ମୁଁ ‘ଅ’ରେ ଗାରଟି ଟାଣି ‘ଆ’ ଲେଖି ପଚାରିଲି କ’ଣ ହେଲା ?

 

–ଭଲ ହେଲା ।

 

ତା’ପରେ ତା’ର ସ୍କୁଲ ଶିକ୍ଷା...ଟୁକୁନାର ଦରୋଟି କଥା ମତେ ଭାରି ଭଲ ଲାଗେ...ଆଖିରେ ନାଚି ଉଠେ କାହିଁ କେଉଁଠି ଓଡ଼ିଶା, ମୋ ଗାଁ, ମୋ ବିଲ, ମୋ ତୋଟା, ମୋ ଭାଷା, ମୋ ସଂସାର, ମୋ ପୁଅ ରୁଇନାର କଥା । ରୁଇନା ବି ଏମିତି କଥା କହୁଥିବ, ଠିକ୍ ଏମିତି...ଆଖି ମୋର ବୁଜିହୋଇ ଆସେ ।

 

ଟୁକୁନା ଦୁଇମାସ ସ୍କୁଲ ଆସିଛି । ଯୁଦ୍ଧ ଲାଗିଲା, ସ୍କୁଲ ବନ୍ଦ ।

 

ସାଇରେନ୍ ବାଜୁଛି ଲହରେଇ, ଲହରେଇ...ଦୌଡ଼ା ଦୌଡ଼ି, ପଳାୟନ ଭିତରେ ବୋମାବର୍ଷୀ ଉଡ଼ାଜାହାଜଗୁଡ଼ା ମାଡ଼ିଆସୁଛି ରାକ୍ଷସ ଭଳି ।

 

ମୁଁ ଧାଇଁଛି...ଲକ୍ଷ୍ୟ ମୋର ଛୋଟ ଏକ ପକ୍କାଘର । ମୋ ଚାଟଶାଳୀ ।

 

ଛୋଟ ପିଲାଟିଏ ଚାଟଶାଳୀ ଭିତରେ...କିଏ ଏ ? ଟୁକୁନା, ହଁ, ଟୁକୁନା ବସି ସ୍ଲେଟରେ କ’ଣ ଲେଖୁଛି, ଇସ୍‍ ବି ନିର୍ଭୀକ ଶିଶୁ ! ଆଉ ତା’ର ଆଖିରେ ଟିକେହେଲେ ଭୟ ନାହିଁ, ନାଲି ଟୁକୁଟୁକୁ ଓଠ...ନିଶୂନ୍ ଶ୍ରେଣୀ ଭିତରେ ସେ ଏକା...ବାହାରେ ଏତେ କୋଳାହଳ, ଏତେ ଆର୍ତ୍ତନାଦ, ଏତେ ଚିତ୍କାର; ଅଥଚ ପିଲାଟି ଲେଖିଚାଲିଛି ।

 

ଟୁକୁନାକୁ ଟେକିନେଇ ମୁଁ କାନ୍ଥ କଡ଼ରେ ଶୁଆଇଦେଇ ଶୋଇପଡ଼ିଲି ଲମ୍ୱହୋଇ । ଡବ ଡବ ଆଖିରେ ସେ ମତେ ଚାହିଁ ରହିଥାଏ । ହାତରେ ତା’ର ସ୍ଲେଟ୍‍ଟା ବି ଥାଏ । ତା’ର ଆଖି କହୁଥାଏ, ‘‘ଯୁଦ୍ଧ ହେଉ କି ପୃଥିବୀ ଧ୍ୱଂସ ହେଉ କି ପ୍ରଳୟ ହେଉ, ମୁଁ ପଢ଼ିବି...ମୁଁ ଲେଖିବି...ମୁଁ ମଣିଷ ହେବି ।’’

 

ବାହାରର ଚିତ୍କାର, ଆର୍ତ୍ତନାଦ, କୋଳାହଳ ଭିତରେ ମୁଁ ଆଖିବୁଜି ପଡ଼ିରହିଲି ଶୀତଳ ମୃତ୍ୟୁ ଅପେକ୍ଷାରେ–

 

ହଠାତ୍ ଟୁକୁନା ଚିତ୍କାର କରି ଉଠିଲା–ବୋଉ, ବୋଉ, ହୁଃ–

 

ସବୁ ଶେଷ ।

 

ବୋମାବର୍ଷୀ ଉଡ଼ାଜାହାଜଗୁଡ଼ା ଫେରିଯାଇଛନ୍ତି । ନିରାପଦର ଧ୍ୱନି ବାଜିଉଠୁଛି, ଟୁକୁନା ହାତରେ ସ୍ଲେଟ୍...ତା’ରି ହାତଲେଖା-‘ଏ, ଐ. ଐରାବତ ।’

 

ତା’ର ମୃତଦେହକୁ ବାହାରକୁ ଆଣିଲି । ରାଜପଥ–ଚାରିଆଡ଼େ ମୃତ୍ୟୁର ଲୀଳା-ମୃତ୍ୟୁର ପଟୁଆର ।

 

ଶୋଇରହିଛି ନିଷ୍ପାପ ଶିଶୁ...ତା’ର ମୃତ ଆଖି ଦୁଇଟିକୁ ମୁଗ୍ଧ ହୋଇ ଚାହିଁରହିଲି, ମୃତ୍ୟୁ ବିରୁଦ୍ଧରେ ମୋର କିଛି ଅଭିଯୋଗ ନାହିଁ, ମୋର ଅଭିଯୋଗ ନାହିଁ ଏ ମାଟିର ଦ୍ରଷ୍ଟା ପାଖରେ କି ଏଇ ଆକାଶର ସ୍ରଷ୍ଟା ପାଖରେ ।

 

ମୋର ଅଭିଯୋଗ ସେଇ ଯୁଦ୍ଧଖୋର ମଣିଷ ପାଖରେ...ମୃତ୍ୟୁ ସୁନ୍ଦର...ଏ ପିଲା ସୁନ୍ଦର ଭାବେ ମରିବା ଉଚିତ । ଟୁକୁନାର ବିବର୍ଣ୍ଣ ମୁହଁକୁ ଚାହଁ ହେ ଧ୍ୱଂସର ଠାକୁର ! ଥରୁଟିଏ ଚାହଁ ଏଇ ଦରଫୁଟା କଳିଟିକୁ ଧୂଳିରେ ମିଶାଇ କ’ଣ ତୁମେ ପାଇଲ ଫ୍ୟାସିଷ୍ଟ ?

 

ସେ ମତେ ଦେଇଯାଇଛି ତା’ର ସ୍ଲେଟ୍...ତାରି ହାତଲେଖା ‘ଏ, ଐ, ଐରାବତ’ । ହେ ବର୍ବର ଯୁଦ୍ଧଖୋର, ତୁମେ ପିଲାଟିଏ ମାରିନ; ମାରିଛ ଭବିଷ୍ୟତର କାଳିଦାସକୁ, ମାରିଛ ଜବାହରକୁ...

 

ହତଭାଗା ପିଲା !

 

ତା’ର ପୋଥି, ତା’ର ଛପା ଗ୍ରନ୍ଥ ସ୍ଲେଟ୍ ଖଣ୍ଡି ଦେଇଗଲା–ଦେଇଗଲା ମେଘଦୂତ, ବିଶ୍ୱ ଇତିହାସ ଏ, ଐ, ଐରାବତ–

 

ଅମୃତ ଅଛି ତା’ର ଆଖିରେ...ଅମୃତ ଅଛି ତା’ର ଓଠରେ...ସେ ଶୋଇଛି...ଶୋଉ...

Image